ଦ୍ୱିତୀୟ ଟି-୨୦ ମୁକାବିଲାରେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି । ରାୟପୁରର ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ୨୦ ଓଭରରେ ୬ ୱିକେଟ୍ ହରାଇ ୨୦୮ ରନ୍ କରିଥିଲା । ଜବାବରେ ଇଶାନ କିଶନ୍ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଇନିଂସ୍ ଯୋଗୁଁ ଭାରତ ୨୮ ବଲ୍ ବାକି ଥାଇ ମ୍ୟାଚ୍ ଜିତି ନେଇଛି । ଭାରତ ୧୫.୨ ଓଭରରେ ୩ ୱିକେଟରେ ୨୦୯ ରନ୍ କରି ମ୍ୟାଚ୍ ଜିତିଛି । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୨-୦ରେ ଅଗ୍ରଣୀ ହାସଲ କରିଛି ।
୨୦୯ ରନର ଟାର୍ଗେଟ ପିଛା କରୁଥିବା ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସାମନା କରିଥିଲା । ପ୍ରଥମ ୭ ବଲ୍ ମଧ୍ୟରେ ଉଭୟ ଓପନରଙ୍କୁ ହରାଇଥିଲା । ସଞ୍ଜୁ ସାମସନ ୫ ବଲରେ ୬ ରନ୍ କରିଥିଲେ, ଅଭିଷେକ ଶର୍ମା ଖାତା ଖୋଲିପାରି ନଥିଲେ । ଏହାପରେ ଇଶାନ କିଶାନ ୧୧ ଚୌକା ଏବଂ ୪ ଛକା ସହ ୩୨ ବଲରେ ୭୬ ରନର ଏକ ଆକର୍ଷଣୀୟ ଇନିଂସ ଖେଳିଥିଲେ । ସୂର୍ଯ୍ୟକୁମାର ଯାଦବ ୩୭ ବଲରେ ଅପରାଜିତ ୮୨ ରନ୍ କରିଥିଲେ । ଶିବମ୍ ଦୁବେ ୧୮ ବଲରେ ୩୬ ରନର ଇନିଂସ ଖେଳିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ହେନରୀ, ଡଫି ଏବଂ ସୋଢି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ
