ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଅସ୍ତ୍ରୋପଚାର ସମୟରେ ବିଦ୍ୟୁତ ବ୍ୟାଘାତ, ଅନ୍ଧାରରେ ଚିକିତ୍ସା କରିବାକୁ ବାଧ୍ୟ ହେଲେ ଡାକ୍ତର

ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଅସ୍ତ୍ରୋପଚାର ସମୟରେ ବିଦ୍ୟୁତ ବ୍ୟାଘାତ, ଅନ୍ଧାରରେ ଚିକିତ୍ସା କରିବାକୁ ବାଧ୍ୟ ହେଲେ ଡାକ୍ତର

ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଅସ୍ତ୍ରୋପଚାର ସମୟରେ ବିଦ୍ୟୁତ ବ୍ୟାଘାତ, ଅନ୍ଧାରରେ ଚିକିତ୍ସା କରିବାକୁ ବାଧ୍ୟ ହେଲେ ଡାକ୍ତର

ବ୍ରହ୍ମପୁର :ବ୍ରହ୍ମପୁର ବଡ଼ ଡାକ୍ତରଖାନା (ଏମ୍‌କେସିଜି)ରେ ଆଜି ସକାଳେ ଜଣେ ରୋଗୀଙ୍କ ଅସ୍ତ୍ରୋପଚାର ଚାଲିଥିବା ସମୟରେ ହଠାତ୍‌ ବିଦ୍ୟୁତ ସେବା ବିଘ୍ନ ଘଟିଥିଲା। ଫଳସ୍ୱରୂପ ଓଟି (ଅପରେସନ୍ ଥିଏଟର) ସମ୍ପୂର୍ଣ୍ଣ ଅନ୍ଧାର ହୋଇଯାଇଥିଲା ଏବଂ କିଛି ସମୟ ପାଇଁ ଡାକ୍ତରମାନେ ଅତ୍ୟନ୍ତ ସଙ୍କଟଜନକ ପରିସ୍ଥିତିରେ ଚିକିତ୍ସା ସେବା ଜାରି ରଖିବାକୁ ବାଧ୍ୟ ହୋଇଥିଲେ।

ସୂଚନା ଅନୁସାରେ, ରୋଗୀଙ୍କୁ ସକାଳେ ଅସ୍ତ୍ରୋପଚାର ପାଇଁ ଓଟିକୁ ନେଯାଯାଇଥିବାବେଳେ ବିଦ୍ୟୁତ କଟ୍‌ ଘଟିଥିଲା। ବିକଳ୍ପ ବ୍ୟବସ୍ଥା ଭାବରେ ଓଟିରେ ଲାଗିଥିବା ୟୁପିଏସ୍‌ ମଧ୍ୟ କାମ କରିନଥିଲା। କିଛି ସମୟ ପରେ ଡିଜି ଲଗାଇ ବିଦ୍ୟୁତ ସଂଯୋଗ ପୁନଃସ୍ଥାପନ କରାଯାଇଥିଲା ବୋଲି ଜଣାପଡ଼ିଛି।

ସାଧାରଣତଃ ବିଦ୍ୟୁତ କାଟ୍‌ ପରେ ଡିଜି ମାଧ୍ୟମରେ ତୁରନ୍ତ ବିଦ୍ୟୁତ ଯୋଗାଣ ହେବା ଉଚିତ୍। କିନ୍ତୁ ଏଥର ଡିଜି ଚାଲୁ କରିବାରେ ବିଳମ୍ବ ହେବା ସହ ୟୁପିଏସ୍‌ ଅକ୍ରିୟ ଥିବାରୁ ଓଟିରେ ଅନ୍ଧାର ପରିସ୍ଥିତି ସୃଷ୍ଟି ହୋଇଥିଲା।

ରକ୍ଷଣାବେକ୍ଷଣ ଅଭାବର ଅଭିଯୋଗ

ଦୀର୍ଘଦିନ ଧରି ଜିଇଡି ବିଭାଗ ପକ୍ଷରୁ ସର୍ଜରି ବିଭାଗରେ ଲାଗିଥିବା ୟୁପିଏସ୍‌ ଓ ବିଦ୍ୟୁତ ବ୍ୟବସ୍ଥାର ଯଥେଷ୍ଟ ରକ୍ଷଣାବେକ୍ଷଣ ହୋଇନଥିବା ଅଭିଯୋଗ ଆସୁଛି। ପୂର୍ବରୁ ମଧ୍ୟ ବିଦ୍ୟୁତ ସମସ୍ୟା ଯୋଗୁଁ ସର୍ଜରି କୋଠା କିଛି ଘଣ୍ଟା ଧରି ଅନ୍ଧାର ରହିଥିବା ଘଟଣା ସାମ୍ନାକୁ ଆସିଥିଲା।

ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଦକ୍ଷିଣ ଓଡ଼ିଶାର ଏକମାତ୍ର ରେଫରାଲ୍‌ ହସପିଟାଲ୍‌ ଭାବରେ ପରିଚିତ ଏମ୍‌କେସିଜିର ସମ୍ମାନ କ୍ଷତିଗ୍ରସ୍ତ ହେଉଛି ବୋଲି ସାଧାରଣ ଲୋକ ଓ ରୋଗୀଙ୍କ ସ୍ୱଜନ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରି ଘଟଣା ପୁନରାବୃତ୍ତି ନ ହେବାକୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।