ଗରିବଙ୍କ ଭଗବାନ: ଡ଼ା.ଅନଙ୍ଗ ସୁଜନ ଭୁୟାଁ

ଗରିବଙ୍କ ଭଗବାନ: ଡ଼ା.ଅନଙ୍ଗ ସୁଜନ ଭୁୟାଁ

ଗରିବଙ୍କ ଭଗବାନ: ଡ଼ା.ଅନଙ୍ଗ ସୁଜନ ଭୁୟାଁ

ଗଜପତି, 31.12.2025(ମନୋଜ ପାଢ଼ୀ): ପ୍ରଭାତ କୁମାର ପାତ୍ର- ଲକ୍ଷ୍ୟ ହାସଲ ପାଇଁ ଥିଲା ଦୃଢ଼ ଏକାଗ୍ରତା ଓ ଅଦମ୍ୟ ଉଦ୍ୟମ। ଏପଟେ ପରିବେଶ ଥିଲା ପ୍ରତିକୂଳ। ଏହା ସତ୍ତ୍ୱେ ପୁରଣ ହେଲା ଡାକ୍ତର ହେବା ସ୍ବପ୍ନ। ଏ ହେଉଛି ଜଣେ ଡାକ୍ତରଙ୍କ ପ୍ରେରଣାଦାୟୀ କାହାଣୀ। ଗଜପତି ଜିଲ୍ଲା ରାୟଗଡ ବ୍ଳକ ଭଳି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଏକ ଛୋଟିଆ ଗାଁ ମୁନିସିଂ ରେ ଜନ୍ମଗ୍ରହଣ କରିଥିଲେ ଯୁବ ଡାକ୍ତର ଅନଙ୍ଗ ସୁଜନ ଭୁୟାଁ। ଦୁର୍ଗମ ଅଞ୍ଚଳର ନିରିହ ଜନସାଧାରଣଙ୍କ ମଧ୍ୟରେ ସ୍ବାସ୍ଥ୍ୟ ସଚେତନ କରିବା ସହ ଉତ୍ତମ ଚିକିତ୍ସା ସେବାରେ ସେ ଉତ୍ସର୍ଗୀକୃତ।

ପିଲାଦିନେ ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ସେବାର ସ୍ଥିତିକୁ ଅଙ୍ଗେ ନିଭାଇଥିବା ବେଳେ ରୋଗୀଙ୍କ ଚିକିତ୍ସା ଅଭାବ କେତେ କଷ୍ଟ ଦାୟକ ତାହା ଅତି ନିକଟରୁ ଦେଖିଥିଲେ। ତେଣୁ ପାଠ ପଢ଼ି ଡାକ୍ତର ହେବାକୁ ଦୃଢ଼ ସଙ୍କଳ୍ପ ନେଇଥିଲେ। ଅଞ୍ଚଳରେ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାର ମନସ୍ଥ କରିଥିଲେ। ଡାକ୍ତର ହେବା ଲକ୍ଷ୍ୟରୁ ଆଉ ପଛକୁ ହଟି ନ ଥିଲେ। ୨୦୦୭ ରୁ ୨୦୧୨ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ପଢା ସାରିବା ପରେ , ୨୦୧୪ ପ୍ରଥମେ ରା ଉଦୟଗିରି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ପାଇଥିଲେ। ଜିଲ୍ଲାର ଦୁର୍ଗମ ଅଞ୍ଚଳ ଡେରେବା , ଛେଳିଗଡ , ରାମଗିରି, ଗୁରାଣ୍ଡି ଆଦି ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି। ଗାଁ ଗାଁରେ ସୁସ୍ଥ ପରିବେଶ, ଅନ୍ଧବିଶ୍ବାସ ସମ୍ପର୍କିତ ସଚେତନତା, ସ୍ବାସ୍ଥ୍ୟ ସଚେତନ ସଭା, ବୃକ୍ଷ ରୋପଣ ଏବଂ ମ୍ୟାଲେରିଆ ନିରାକରଣ ପାଇଁ ପଦକ୍ଷେପ ନେଇ ଲୋକଙ୍କ ସୁଖ ଦୁଃଖରେ ସାମିଲ ହୋଇଛନ୍ତି। ଲୋକଙ୍କ ଜୀବନ ଜୀବିକା ପାଇଁ ପରାମର୍ଶ ଦେବା ସହ ସହାୟତା କରି ସଭିଙ୍କ ଆପଣାର ପାଲଟିଛନ୍ତି ।

ତେବେ ଯେକୌଣସି ବିଭାଗରେ କାର୍ଯ୍ୟ କରୁଥିଲେ ସୁଦ୍ଧା ଲୋକଙ୍କୁ ସେବା କରିବା ମନୋବୃତ୍ତି ରହିଲେ ଲୋକେ ଉପକୃତ ହେବେ ବୋଲି କହିଛନ୍ତି ଡା ଭୁୟାଁ।ଭଗବାନଙ୍କ ଆଶୀର୍ବାଦ ତଥା ନିଜର ଅଧ୍ୟବସାୟ ଓ ପ୍ରଚେଷ୍ଟା ବଳରେ ସେ ଡାକ୍ତର ହେଲେ ଆଉ ସୈଭାଗ୍ୟ ବଶତଃ ତାଙ୍କ ନିଜ ଜିଲ୍ଲାରେ ହିଁ ତାଙ୍କୁ ସେବା କରିବାକୁ ସୁଯୋଗ ମିଳିଲା। ଦୀର୍ଘ ୧୨ ବର୍ଷ ହେଲା ଗରିବ ଆଦିବାସୀଙ୍କୁ ନିରନ୍ତର ସେବା ଯୋଗାଇ ଲୋକଙ୍କ ପ୍ରିୟ ଭାଜନ ହେବାସହ ନିଜ ଗ୍ରାମ ତଥା ଅଞ୍ଚଳବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି, ଡ଼ା ଅନଙ୍ଗ ସୁଜନ ଭୁୟାଁଙ୍କ ଠାରୁ ପ୍ରେରଣା ପାଇ ଆଜି ତାଙ୍କ ନିଜ ଗାଁ ମୁନିସିଂ ଠାରୁ ଆଉ ୪ ଜଣ ଛାତ୍ର ଡାକ୍ତରୀ ପାଠ ପଢ଼ୁଥିବାବେଳେ ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ପାଇଁ ଜଣେ ଆଦର୍ଶ ଡାକ୍ତର ଭାବେ ପରିଗଣିତ ହୋଇ ପାରିଛନ୍ତି।

ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳରେ ଉଚ୍ଚ ଶିକ୍ଷିତ ହେବା ପାଇଁ ଅନେକ ପ୍ରତିବନ୍ଧକ ରହିଥାଏ। ଏଠି ଶୈଖିକ ପରିବେଶ, ଗମନାଗମନ, ଆର୍ଥିକ ଅବସ୍ଥା ସବୁ କ୍ଷେତ୍ରରେ ସମସ୍ୟା ରହିଥାଏ ତଥାପି ନିଜ ମନୋବଳକୁ ସୁଦୃଢ କରି ଲକ୍ଷ୍ୟ ହାସଲ କରିପାରିଛନ୍ତି ଡାକ୍ତର ଭୁୟାଁ, ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଏକ ଉଦାହରଣ, ତାଙ୍କର ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ଲୋକଙ୍କ ବେଶ ପ୍ରିୟ ଭାଜନ ହୋଇ ପାରିଥିବାରୁ ଗର୍ବିତ ମନେ କରୁଥିବା କହିଛନ୍ତି ଆଦିବାସୀ ସମ୍ପ୍ରଦାୟର ସମାଜସେବୀ। ନିଜର ଦୃଢ଼ ସଙ୍କଳ୍ପ ଓ ଅଦମ୍ୟ ଉଦ୍ୟମ ଆଗରେ ହାର ମାନିଥାଏ ପ୍ରତିକୂଳ ପରିବେଶ ଓ ପ୍ରତିବନ୍ଧକ।

ଯେ କୌଣସି ବିଭାଗରେ ସୁଦ୍ଧା ଉତ୍ସର୍ଗୀକୃତ ସେବା ଯୋଗାଇ ଜନସାଧାରଣଙ୍କ ହୃଦୟ ଜିଣିବା ଏକ ମହାନତା, ଯାହ ଡା ଅନଙ୍ଗ ସୁଜନ ଭୁୟାଁଙ୍କ କ୍ଷେତ୍ରରେ ଉଲ୍ଲେଖନୀୟ।‎