ଏନ୍‌. ଝାଲରସିଂ ଗ୍ରାମକୁ ମଦମୁକ୍ତିର ଆହ୍ୱାନ: ମହିଳା ମାନଙ୍କର ସାହସୀ ଉଦ୍ୟମ।

ଗଜପତି (ମନୋଜ ପାଢୀ) ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ଅନ୍ତର୍ଗତ ସମ୍ବଲପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଏନ୍‌.ଝାଲରସିଂ ଗ୍ରାମ ଏକ ପ୍ରେରଣାଦାୟକ ପରିବର୍ତ୍ତନର ସାକ୍ଷୀ ହେଉଛି। ଗ୍ରାମର ସମସ୍ତ ସାହିର ଜନସାଧାରଣଙ୍କ ସମର୍ଥନରେ ତିନି ସାହିର ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ଅଙ୍ଗନୱାଡ଼ି ସହାୟିକା, ୱାର୍ଡ ସଦସ୍ୟ ଏବଂ ବୁଦ୍ଧିଜୀବୀ ମାନଙ୍କ ମିଳିତ ଉଦ୍ୟମରେ ଏକ ସଚେତନତା ମୂଳକ ବୈଠକ ଆୟୋଜିତ ହୋଇଛି। ଏହି ବୈଠକର ମୁଖ୍ୟ ଲକ୍ଷ୍ୟ ହେଉଛି ଗ୍ରାମକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ଏବଂ ମଦ୍ୟପାନର କୁପ୍ରଭାବଠାରୁ ସମାଜକୁ ରକ୍ଷା କରିବା। ପ୍ରତ୍ୟେକ ସାହିରେ ସଚେତନତାର ବାର୍ତ୍ତା ପ୍ରଚାର କରି ଗ୍ରାମବାସୀମାନେ ଏକ ନୂଆ ସମାଜ ଗଢ଼ିବାର ସ୍ୱପ୍ନ ଦେଖୁଛନ୍ତି। ଯଦି ଏହି ପ୍ରୟାସ ସଫଳ ହୁଏ, ତେବେ ଏହା ଗ୍ରାମରୁ ଆରମ୍ଭ ହୋଇ ସମ୍ବଲପୁର ପଞ୍ଚାୟତକୁ ମଦମୁକ୍ତ କରିବାର ଏକ ବ୍ୟାପକ ଆନ୍ଦୋଳନରେ ପରିଣତ ହେବ। ଏହି ଉଦ୍ୟମ ସମାଜର ଏକତା ଓ ସଚେତନତାର ଏକ ଉଜ୍ଜ୍ୱଳ ଉଦାହରଣ ସ୍ଥାପନ କରୁଛି, ଯାହା ଅନ୍ୟ ଗ୍ରାମାଞ୍ଚଳ ପାଇଁ ପ୍ରେରଣାର ଉତ୍ସ ହେବ। ବୈଠକର ସଞ୍ଚାଳନା ଶ୍ରୀ ଜଗନ୍ନାଥ ଗମାଙ୍ଗଙ୍କ ଦ୍ୱାରା ସୁନ୍ଦର ଭାବରେ ପରିଚାଳିତ ହୋଇଥିଲା। ଏହି ସମାବେଶରେ ଏକ ୪୦ ଜଣିଆ ଦଳ ଗଠନ କରାଯାଇଛି, ଯାହା ସଚେତନତା କାର୍ଯ୍ୟକ୍ରମକୁ ଆଗେଇ ନେବ। ଦଳର ସଭାପତି ଭାବେ ଶ୍ରୀରଫାଏଲ୍ ଛିଞ୍ଚାଣି, ସମ୍ପାଦକ ଶ୍ରୀ ଜଗବନ୍ଧୁ ସାହୁ, ସହ ସମ୍ପାଦକ ଶ୍ରୀ ସନ୍ୟା ଶବର, କଷାଧ୍ୟକ ଶ୍ରୀ ଭିନ୍ସେଣ୍ଟ ଲିମ୍ମାକୁ ଚୟନ କରାଯାଇଛି, ଯାହାଙ୍କ ନେତୃତ୍ୱରେ ଏହି ପ୍ରୟାସ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ଗ୍ରାମର କୌଣସି ବ୍ୟକ୍ତି ନିୟମର ପାଳନ ନ କରେ ତାହା ହେଲେ ଅର୍ଥ ଦଣ୍ଡରେ ଦଣ୍ଡିତ ହେବେ ବୋଲି କଢ଼ା ନିୟମ ପାରିତ କରାଗଲା। ଏନ୍‌.ଝାଲରସିଂ ଗ୍ରାମର ଏହି ସାହସିକ ପଦକ୍ଷେପ ପ୍ରମାଣ କରୁଛି ଯେ, ସାମୂହିକ ସଂକଳ୍ପ ଓ ନିଷ୍ଠା ସହିତ ଯେକୌଣସି ସାମାଜିକ ଅନ୍ୟାୟକୁ ନିର୍ମୂଳ କରାଯାଇପାରେ।

Leave a Reply

Your email address will not be published. Required fields are marked *