ସର୍ଟ ସର୍କିଟ ଯୋଗୁଁ ଗଜପତିରେ ଜଳିଗଲା ଜଗନ୍ନାଥ କାଜୁ ଇଣ୍ଡ୍ରଷ୍ଟି, ୨ କୋଟିରୁ ଉର୍ଦ୍ଧ ସମ୍ପତ୍ତି କ୍ଷତି ।୨୦ ଘଣ୍ଟା ବିତିଲା ତଥାପି ଜଳୁଛି ନିଆଁ
ଗଜପତି ୨୧/୧୦/୨୦୨୫ (ମନୋଜ ପାଢୀ): ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକର ଲାବଣ୍ୟଗଡ଼ ପଞ୍ଚାୟତରେ ଥିବା ଜଗନ୍ନାଥ କାଜୁ ଇଣ୍ଡ୍ରଷ୍ଟିରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଏଥିରେ ୨ କୋଟିରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଥିବା ପ୍ରାଥମିକ ଆକଳନରୁ କୁହାଯାଇଛି । ବର୍ତ୍ତମାନ ଖବର ଲେଖିବା ସମୟ ସୁଦ୍ଧା ୨୦ ଘଣ୍ଟାରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇପାରିନାହିଁ । ଘଟଣାରୁ ପ୍ରକାଶ, ଗତକାଲି ଦୀପାବଳି ପାଇଁ ଜଗନ୍ନାଥ ଇଣ୍ଡଷ୍ଟ୍ରିର ସମସ୍ତ କର୍ମଚାରୀ ଓ ମାଲିକ ସମସ୍ତ କାମ ସାରି ଇଣ୍ଡଷ୍ଟ୍ରିକୁ ବନ୍ଦ କରି ସନ୍ଧ୍ୟା ପୂର୍ବରୁ ନିଜ ନିଜ ଘରକୁ ଫେରି ଯାଇଥିଲେ ।ଗତକାଲି ରାତ୍ର ଠିକ ୯ ଟା ବେଳେ ଏହି ଇଣ୍ଡଷ୍ଟ୍ରିରେ ହୁତହୁତ ହୋଇ ନିଆଁ ଲାଗିଥିବା ଦେଖି ମାଲିକ ବିଭି ଜଗନ୍ନାଥ ରାଓଙ୍କୁ ନିକଟସ୍ଥ ଗ୍ରାମବାସୀମାନେ ଖବର ଦେଇଥିଲେ. ସମ୍ପୃକ୍ତ ମାଲିକ ଆନ୍ଧ୍ର ପଲାସା ଗ୍ରାମର ହୋଇଥିଲେ ବି ଗଜପତିର ଲାବଣ୍ୟଗଡ଼ ଠାରେ ଇଣ୍ଡଷ୍ଟ୍ରି କରିଥିଲେ । ଲୋକଙ୍କ ଠାରୁ ଖବର ପାଇବା ପରେ ଇଣ୍ଡଷ୍ଟ୍ରି ଠାରୁ ମାତ୍ର ୧୫ କିମି ଦୂରରେ ରହୁଥିବା ମାଲିକ ଜଗନ୍ନାଥ ରାଓ ରାତ୍ର ୯: ୩୦ ସୁଦ୍ଧା ଆସି ପହଞ୍ଚି ଗାରାବନ୍ଧ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପରେ ଇଣ୍ଡଷ୍ଟ୍ରିର ଫାଟକକୁ ତରବରିଆ ଭାବେ ମାଲିକ ଜଗନ୍ନାଥ ଖୋଲିବା ଯୋଗୁଁ ଅଗ୍ନିର ପ୍ରଖର ତାପରେ ଅଚେତ ହୋଇ ତଳେ ପଡି ଯାଇଥିଲେ ।ଡାକ୍ତରଙ୍କ ପରାମର୍ଶ ଯୋଗେ ତାଙ୍କ ପରିବାରବର୍ଗ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରି ଜରୁରୀ ଚିକିତ୍ସା ଯୋଗାଇବା ଯୋଗୁଁ ସେ ବିପଦମୁକ୍ତ ଥିବା ଜଣାଯାଇଛି । ଅପରପକ୍ଷରେ ନିଆଁ ଜଳୁଥିବା ଇଣ୍ଡଷ୍ଟ୍ରି ଠାରେ ଗତରାତ୍ର ଠାରୁ ଗାରାବନ୍ଧ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ତଥାପି ବର୍ତ୍ତମାନ ଖବର ଲେଖିବା ସୁଦ୍ଧା ୨୦ ଘଣ୍ଟା ରୁ ଉର୍ଦ୍ଧ ବିତି ଯାଇଥିଲେ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇପାରିନାହିଁ । କୁହାଯାଉଛି ଯେ ଏହି କାଜୁ ଇଣ୍ଡଷ୍ଟ୍ରିରେ ଗଛିତ ଥିବା ଚୋପା ବାହାରି ନ ଥିବା କାଜୁରେ ନିଆଁ ଲାଗିବା ଦ୍ୱାରା ସେଥିରୁ ତେଲ ବାହାରିବା ଯୋଗୁଁ ନିଆଁର ପ୍ରଖରତା ବଢିବା ସହ ନିଆଁକୁ ଆୟତ୍ତ କରାଯାଇପାରୁନାହିଁ ।ତଥାପି ନିଆଁକୁ ଆୟତ୍ତ ପାଇଁ ବହୁ ପ୍ରୟାସ ଜାରି ରହିଛି । ହୁତହୁତ ହୋଇ ଜଳୁଥିବା ଇଣ୍ଡଷ୍ଟ୍ରି ଠାରେ ମାଲିକଙ୍କ ସମ୍ପର୍କୟ ଓ କର୍ମଚାରୀମାନେ ମଧ୍ୟ ପହଞ୍ଚି ନିଆଁ ଲିଭାଇବାରେ ଲାଗି ପଡିଛନ୍ତି । ପ୍ରାଥମିକ ଭାବେ ୨ କୋଟିରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଥିବା କୁହାଯାଉଛି । ଏହି ଅଗ୍ନିକାଣ୍ଡ ସର୍ଟସର୍କିଟ ଯୋଗୁଁ ଘଟିଥିବା ସମସ୍ତେ ସନ୍ଦେହ କରୁଛନ୍ତି ।

