ଓଡିଶା ଆଦିବାସୀ ଅଧିକାର ମଞ୍ଚ ତରଫରୁ ମହାମହିମ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ ସକାଶେ ଦାବୀପତ୍ର ପ୍ରଦାନ ।
ଗଜପତି (ମନୋଜ ପାଢୀ) ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଠାରେ ଓଡିଶା ଆଦିବାସୀ ଅଧିକାର ମଞ୍ଚ ତରଫରୁ ମହାମହିମ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ୧୩ଦଫା ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଓଡିଶା ଆଦିବାସୀ ଅଧିକାର ମଞ୍ଚର ରାଜ୍ୟ ସଭାପତି ଦଣ୍ଡପାଣି ରଇତଙ୍କ ନେତୃତ୍ୱରେ ଏକ ଦଳ ଜିଲ୍ଲାପାଳ ମଧୁମିତାଙ୍କୁ ଏହି ଦାବୀପତ୍ର ପ୍ରଦାନ କରିଥିଲେ । ଉକ୍ତ ଦୃଷ୍ଟି ଆକର୍ଷଣକାରୀ ଦାବୀପତ୍ରରେ ଚଳିତ ଜନଗଣାନାରେ ଆଦିବାସୀଙ୍କ ଅସ୍ମିତାର ସୁରକ୍ଷା ଉଦ୍ଦେଶ୍ୟରେ ଥିବା ଧର୍ମ ସ୍ତମ୍ଭରେ ସାର୍ନା/ପ୍ରକୃତି ପୂଜକଙ୍କ ପରିଚୟ ନିମନ୍ତେ ସ୍ୱତନ୍ତ୍ର ପରିଚୟ ବ୍ୟବସ୍ଥା କରିବା, ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ ସାନ୍ତାଳୀ ଭାଷାର ବିଧିବଦ୍ଧ ଶିକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହ ହୋ, ସୌରା, ମୁଣ୍ଡା ଓ କୁଇ ଭାଷାକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରିବା, ପଞ୍ଚମ ଅନୁସୂଚୀ ଅଞ୍ଚଳରେ ପେସା ଆଇନ୧୯୯୬ ଅନୁସାରେ ଆଦିବାସୀଙ୍କ ପାରମ୍ପରିକ ବିଧି ବ୍ୟବସ୍ଥାକୁ ଆଧାର କରି ତୁରନ୍ତ ନିୟମ ପ୍ରଣୟନ କରିବା, ଜଙ୍ଗଲ ଅଧିକାରରେ ବାଧକ ସାଜୁଥିବା ଜଙ୍ଗଲ ସଂରକ୍ଷଣ ନିୟମାବଳୀ ୨୦୨୩କୁ ବାତିଲ କରିବା, ଜଙ୍ଗଲ ଅଧିକାର ଆଇନ ୨୦୦୬ ଏବଂ ସଂଶୋଧିତ ନିୟମ ୨୦୧୨ଅନୁସାରେ ଆଦିବାସୀ ଏବଂ ପାରମ୍ପରିକ ଜଙ୍ଗଲ ଅଧିବାସୀଙ୍କୁ ଦଖଲ ମୁତାବକ ବ୍ୟକ୍ତିଗତ, ଗୋଷ୍ଠୀଗତ ଏବଂ ଗୋଷ୍ଠୀ ସମ୍ବଳ ଅଧିକାର ପ୍ରଦାନ ଶେଷ ନହେବା ପର୍ଯ୍ୟନ୍ତ ଜଙ୍ଗଲ ଜମିରୁ କୌଣସି ସଦସ୍ୟଙ୍କୁ ସ୍ଥାନାନ୍ତର କିମ୍ବା ବିସ୍ଥାପିତ ନକରାଯାଉ, ଜଙ୍ଗଲ ଅଧିବାସୀଙ୍କ ଉପରେ ଜୁଲମ କରୁଥିବା ବନସୁରକ୍ଷା ସମିତିକୁ ରଦ୍ଧ କରିବା, ଅଭୟାରଣ୍ୟ, ଜାତୀୟ ଉଦ୍ୟାନ ସଂପ୍ରସାରଣ ଓ ବିସ୍ଥାପନକୁ ବନ୍ଦ କରି ଜଙ୍ଗଲ ଅଧିକାର ପ୍ରଦାନ କରିବା, ସମସ୍ତ ଜଙ୍ଗଲ ଜମିରେ ଚାଷ କରୁଥିବା ଚାଷୀ ଓ ଭାଗଚାଷୀଙ୍କୁ ମଗଣାରେ ବିହନ, ସାର ଓ କୃଷି ସାମଗ୍ରୀ ପ୍ରଦାନ କରିବା, ଭୂମିହୀନ ଓ ଗୃହହୀନଙ୍କୁ ଚାଷଜମି ଏବେ ୧୦ଡେସିମିଲ୍ ଘରଡୀହ ପଟ୍ଟା ପ୍ରଦାନ ଆଦି ଉଲ୍ଲେଖ ରହିଛି । ଏହି ଦାବୀପତ୍ର ପ୍ରଦାନ ବେଳେ ଓଡିଶା ଆଦିବାସୀ ଅଧିକାର ମଞ୍ଚର ଜିଲ୍ଲା ସଭାପତି ସୁନାମ ମଣ୍ଡଳ, ଜିଲ୍ଲା କମିଟି ସଦସ୍ୟ ଅନାମ ମଣ୍ଡଳ, ଏମ୍.ବାଙ୍ଗାରୀ ଓ ଶ୍ରୀନୁ ବେହେରା ଉପସ୍ଥିତ ଥିଲେ ।

