ରାସ୍ତା,ପାନୀୟ ଜଳ, ବିଏସଏନଏଲ ଟାୱାର ଅବସ୍ଥା ନ କହିବା ଭଲ, ପ୍ରଶାସନର ଦୃଷ୍ଟି ପଡ଼ିବ କେବେ? ଆର,ଉଦୟଗିରି(ମନୋଜ ପାଢୀ)କେନ୍ଦ୍ର ଓ ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ପାଣି ଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରଶାସନର ଦୂର ଦୃଷ୍ଟି ଅଭାବରୁ ବହୁ ଦୟନୀୟ ରେ ରହିବା ସଙ୍ଗେ ଅଞ୍ଚଳବାସୀ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଏଭଳି ଅଭିଯୋଗ କରି ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଅଞ୍ଚଳବାସୀ ।ଗଜପତି ଜିଲ୍ଲା ମୋହନା ଓ ନୂଆଁଗଡ଼ ଦୁଇଟି ବ୍ଳକ ରେ ବସବାସ କରୁଥିବା ସୀମାନ୍ତବର୍ତ୍ତୀ ଅଞ୍ଚଳବାସୀ ରାସ୍ତା ସଂଯୋଗୀ କରଣ ହେଲେ ସେମାନଙ୍କର ବହୁବିଧ ଉନ୍ନତି ସାଧିତ ହୋଇପାରିବ ବୋଲି ଆଶା ରଖିଥିବା ବେଳେ ଅଞ୍ଚଳରେ ଗମନା ଗମନ ର ସୁବିଧା ହେଲେ ଗର୍ଭବତୀ ମା’ଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା, ଜରୁରୀ କାଳୀନ ଚିକିତ୍ସା ସେବା,ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଯିବା ଆସିବା କରିପାରିବା ଭଳି ଅନେକ ସୁବିଧା ପାଇପାରିବେ। କିନ୍ତୁ ପ୍ରଶାସନ ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ତାହା ସମ୍ଭବ ହୋଇ ପାରୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ଅଞ୍ଚଳର ମୌଳିକ ସମସ୍ୟା ଗୁଡ଼ିକୁ ପୂରଣ କରିବା ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଅଞ୍ଚଳବାସୀ ଲିଖିତ ଅଭିଯୋଗ କରିଥିବା କହିଛନ୍ତି। ୧୦ ଗୋଟି ଦାବି ନେଇ ସେମାନେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କର ଦାବି ଗୁଡ଼ିକ ମଧ୍ୟରେ ଲଦିଗୁଡ଼ା ଠାରୁ ଜାରିଙ୍ଗିଦୁଆ ଗ୍ରାମକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଆରମ୍ଭ ହୋଇଥିବା କାମ ଅଧପନ୍ତରିଆ ହୋଇ ଦୀର୍ଘବର୍ଷ ହେଲା ପଡ଼ିରହିଛି। ସେହି କାମକୁ ତୁରନ୍ତ ଶେଷ କରିବା,କିରାମା ପଞ୍ଚାୟତର କିରାମା ଗ୍ରାମ ଠାରୁ ଡ଼ିମ୍ବିରିଝୁଳି ଦେଇ ନୂଆଁଗଡ଼ ବ୍ଳକ ଅଧିନ ଅନୁଗୁରୁ ପଞ୍ଚାୟତର ପଟେଗୁଡ଼ା ଗ୍ରାମ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସାମିଲ କରିବା,ପିଡ଼ିକିପଦର ଠାରୁ ଆଶାରଗୁଡ଼ି ଗ୍ରାମକୁ ପ୍ରଧାନମନ୍ତ୍ରୀ ସଡ଼କରେ ଅନ୍ତର୍ଭୁକ୍ତ,ଜାରିଙ୍ଗିଦୁଆ ଠାରୁ ପଟାଙ୍ଗ ପଦର ଗ୍ରାମ ପର୍ଯ୍ୟନ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ, ମୋହନା ବ୍ଲକ ଚୁଡ଼ଙ୍ଗପୁର ଗ୍ରାମ ଠାରୁ ଝରଣପୁର ଏବଂ ରାୟଗଡ଼ା ଜିଲ୍ଲା ସୀମାନ୍ତ ପଦ୍ମପୁର ବ୍ଲକ ଅଧିନ ନୂଆଗଡ଼ ପର୍ଯ୍ୟନ୍ତ ରାସ୍ତାକୁ ସଂଯୋଗୀକରଣ କରି ପ୍ରଧାନମନ୍ତ୍ରୀ ସଡ଼କରେ ଅନ୍ତର୍ଭୁକ୍ତ,ସିଆଳିଲଟି ଗ୍ରାମ ଠାରୁ ଖଜୁରିପଦା ସାହି ଦେଇ ବୁରିପଦର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ଗୁଲୁବା ପଞ୍ଚାୟତର ଲଦିଗୁଡା ଠାରୁ କାଲେମା ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ ଓ ପାଲକୁଆ ଠାରୁ ସିଆଳିଲଟି (ଖଜୁରିସାହି) ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗୀ କରଣ ଏବଂ ନୂଆଁଗଡ଼ ବ୍ଳକର କିରାମା, ଅନୁଗୁରୁ, ସୁନ୍ଦରଡ଼ାଙ୍ଗ ପଞ୍ଚାୟତ ଗୁଡ଼ିକରେ ନୂତନ ଭାବେ ବିଏସଏନଏଲ ଟାୱାର ସ୍ଥାପନ କରାଯିବା ସହିତ କିଛି ଅଞ୍ଚଳରେ ସ୍ଥାପନ କରାଯାଇଥିବା ବିଏସଏନଏଲ ଟାୱାର ଗୁଡ଼ିକ କୁ ସକ୍ଷମ କରିବା ଏବଂ ପାନୀୟ ଜଳର ସୁବ୍ୟବସ୍ଥା କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଦାବି ପୂରଣ ନହେଲେ ରାଜରାସ୍ତା ଅବରୋଧ କରିବା ସହ ଗ୍ରାମ ଉନ୍ନୟନ ବିଭାଗକୁ ଘେରାଉ କରିବେ ବୋଲି ଜନଜାଗରଣ ସଂଘର୍ଷ ସମିତିର ସଭାପତି ସିମିୟ ଗମାଙ୍ଗ, ଡ଼ାନିଏଲ ଗମାଙ୍ଗ, ବ୍ରହ୍ମାନନ୍ଦ ଭୂୟାଁ, ଜନାସ ରାଇକା, ସାଉଦ ମାଝୀ,ଜାପତ ଗମାଙ୍ଗ, ବେଞ୍ଜାମିନ ଗମାଙ୍ଗ, ଆୟୁବ ରଇତ,ଜହନ ମାଝୀ,ପାଉଲ ଗମାଙ୍ଗ କହିବା ସହ ଏହାର ଏକକିତା ନକଲ ଜିଲ୍ଲାପାଳ, ଉପଜିଲ୍ଲାପାଳ,ମୋହନା ଓ ନୂଆଁଗଡ଼ ବିଡ଼ିଓ ଙ୍କୁ ପ୍ରଦାନ କରିଥିବା କହିଛନ୍ତି। ଏ ସଂପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ବେହେରା କହିଛନ୍ତି ପଦସ୍ଥ ଅଧିକାରୀଙ୍କୁ ଦାବିପତ୍ର ପଠାଇବା ସହ ଅବଗତ କରାଇବେ।
ରାସ୍ତା,ପାନୀୟ ଜଳ, ବିଏସଏନଏଲ ଟାୱାର ଅବସ୍ଥା ନ କହିବା ଭଲ, ପ୍ରଶାସନର ଦୃଷ୍ଟି ପଡ଼ିବ କେବେ? 