କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ମହେନ୍ଦ୍ରତନୟା ନଦୀ ସଫେଇ ।
ଗଜପତି (ମନୋଜ ପାଢୀ) : କଥାରେ ଅଛି “ଗାଁ ପରିମଳ ଧୋବା ତୁଠରୁ।” ସେହି କଥାକୁ ଧ୍ୟାନରେ ରଖି ଆଜି କାର୍ତ୍ତିକ ପୂର୍ଣ୍ଣିମାର ପୂର୍ବରୁ ତଥା ନାଗ ଚତୁର୍ଥୀ ଅବସରରେ ବିଭିନ୍ନ ପ୍ରଶାସନିକ ଅଧିକାରୀ ତଥା ଗଜପତି ଜିଲ୍ଲା ପୋଲିସ ଓ ସ୍ବେଚ୍ଛାସେବୀଙ୍କ ସହାୟତାରେ ପାରଳାଖେମୁଣ୍ଡିସ୍ଥିତ ମହେନ୍ଦ୍ରତନୟା ନଦୀ ପଠାକୁ ପରିଷ୍କାର କରାଯାଇ ସମାଜକୁ ଏକ ନିଆରା ବାର୍ତ୍ତା ଦିଆଯାଇଛି। ସୂଚନାଯୋଗ୍ୟ, ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ଡ଼ାକରାରେ, ପାରଳାଖେମୁଣ୍ଡି ଏସଡ଼ିପିଓ ମାଧବାନନ୍ଦ ନାୟକ, ଜିଲ୍ଲା ଖଣି ଅଧିକାରୀ ଦିପେନ ପରିଡ଼ା, ଓକିଲ ବି. ପ୍ରବୀଣ, ପାରଳାଖେମୁଣ୍ଡି ଥାନା ନବ ନିଯୁକ୍ତ ସବ ଇନ୍ସପେକ୍ଟର ଚକ୍ରଧର ହାନ୍ସଦା, ହାବିଲଦାର ପ୍ରଦୀପ କୁମାର ପ୍ରଧାନ ତଥା ଗାୟତ୍ରୀ ଶକ୍ତିପୀଠର ସନ୍ତୋଷ କୁମାର ଗନ୍ତାୟତ, ପରିବେଶବିଦ ମନୋଜ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୫୦ରୁ ଉର୍ଦ୍ଧ୍ବ ବ୍ୟକ୍ତିବିଶେଷ ଯୋଗ ଦେଇ ଆଜି ମହେନ୍ଦ୍ରତନୟା ନଦୀ ତୁଠକୁ ସକାଳ ୬.୩୦ରୁ ୯ଘଟିକା ପର୍ଯ୍ୟନ୍ତ ପରିଷ୍କାର କରି ସ୍ୱଚ୍ଛତାର ବାର୍ତ୍ତା ଦେଇଥିଲେ। ଆଜିର ଏହି ସ୍ୱଚ୍ଛ ଭାରତ ଅଭିଯାନରେ ପାରଳାଖେମୁଣ୍ଡି ପୌର ପରିଷଦର ସଫେଇ କର୍ମଚାରୀଙ୍କ ସମେତ ଅଭିଷେକ ଗନ୍ତାୟତ, ଶଶୀଭୂଷଣ ପଟ୍ଟନାୟକ, ସଞ୍ଜୟ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଯଥାର୍ଥ ସାହାଯ୍ୟ ସହଯୋଗର ହାଥ ବଢାଇଥିଲେ। ଏହିଭଳି ଲୋକାଭିମୁଖୀ କାର୍ଯ୍ୟକ୍ରମ ପାଇଁ ଆଜି ଗଜପତି ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ସମସ୍ତଙ୍କୁ ସାଧୁବାଦ ଜଣାଇବା ସହ ଆଗକୁ ମଧ୍ୟ ଏହିପରି ଜନଭିମୁଖୀ କାର୍ଯ୍ୟ ଜାରି ରଖିବାକୁ ସମସ୍ତଙ୍କୁ ପ୍ରୋତ୍ସାହିତ କରିଛନ୍ତି।

