ନିମ୍ନମାନର ମଧ୍ୟାହ୍ନ ଭୋଜନ ପ୍ରଦାନ ନେଇ ଅସନ୍ତୋଷ । ଆର,ଉଦୟଗିରି(ମନୋଜ କୁମା ପାଢୀ )-: ରାଜ୍ୟ ଖାଦ୍ୟ ଆୟୋଗର ତିନି ଜଣଆ ସଦସ୍ୟ ଗଜପତି ଜିଲ୍ଲା ମୋହନା ବ୍ଳକର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ଏହି ସମୟରେ ବିଭିନ୍ନ ବିଦ୍ୟାଳୟରେ ପରିଦର୍ଶନ କରି ବିଦ୍ୟାଳୟରେ ନିମ୍ନମାନର ମଧ୍ୟାହ୍ନ ଭୋଜନ ଖାଦ୍ୟ ପ୍ରଦାନ କରାଯାଉଥିବା ଦେଖି ଟିମ୍ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଜି ଖାଦ୍ୟ ଆୟୋଗର ଦୟାନିଧି ଦାସ, ପ୍ରିୟବ୍ରତ ସାମନ୍ତରାୟ ଓ ଅକ୍ଷୟ କୁମାର ବେହେରା ଆଜି ପୂର୍ବହ୍ନ ସମୟରେ ଚନ୍ଦ୍ରଗିରି ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ପରିଦର୍ଶନ କରିଥିଲେ । ବିଦ୍ୟାଳୟରେ ଶିକ୍ଷାଦାନ, ପରିବେଶ ଓ ଅନୁସଙ୍ଗିକ ସୁବିଧା ସମ୍ପର୍କରେ ଛାତ୍ରୀମାନଙ୍କୁ ସହ ଆଲୋଚନା କରିଥିଲେ । ପରେ ଚନ୍ଦ୍ରଗିରି ପଞ୍ଚାୟତ କାର୍ଯ୍ୟଳୟକୁ ଯାଇ ସାଧାରଣ ବଣ୍ଟନ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ପରେ ଟିମ୍ ମାଣିକପୁର ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଯାଞ୍ଚ କରିଥିଲେ । ବଣ୍ଟନ ହେଉଥିବା ଚାଉଳର ମାନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ମୋହନା କଲେଜ ଛକ ନିକଟରେ ଥିବା ଛତୁଆ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କରିଥିଲେ । ସେମାନେ ସ୍ଥାନୀୟ ପାତ୍ର ସାହି ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କରି ଶିଶୁମାନଙ୍କୁ ପ୍ରଦାନ କରାଯାଇଥିବା ଶିକ୍ଷାଦାନ ବ୍ୟବସ୍ଥା, ରନ୍ଧା ଖାଦ୍ୟ, ଛତୁଆ ଆଦିର ଯାଞ୍ଚ କରିଥିଲେ। ପରେ ଟିମ୍ ଅଧିକାରୀମାନେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ । ମୋହନା ବାଳିକା ଉଚ୍ଚ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ କେନ୍ଦ୍ର, ରୋଷେଇ ଗୃହର ଅବ୍ୟବସ୍ଥା ଓ ପରିବେଶ ପରିସ୍କାର ପରିଚ୍ଛିନ୍ନତା ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ରୋଷେଇ କର୍ମଚାରୀ ଓ ପ୍ରଧାନ ଶିକ୍ଷକଙ୍କୁ ଏଥିପ୍ରତି ଦୃଷ୍ଟି ଦେବାକୁ ନିଦ୍ଦେଶ ଦେଇଥିଲେ । ସଦସ୍ୟମାନେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ୍ ଓ ରାଜ୍ୟ ନିରାପତ୍ତା ଯୋଜନା ଠିକ୍ ଭାବେରେ ପରିଚାଳିତ କରିବା ସକାଶେ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ସେହିଭଳି ରାଜ୍ୟ ଦକ୍ଷତା ବିକାଶ ମିଶନ୍, ଅନୁସୂଚିତ ଜନଜାତି, ଜାତିର ବିକାଶ, ସଂଖ୍ୟାଲଘୁ, ପଛୁଆବର୍ଗ କଲ୍ୟାଣ ବିଭାଗ, ମଧ୍ୟାହ୍ନ ଭୋଜନ, ପୋଷଣ, ସମନ୍ବିତ ଶିଶୁ ବିକାଶ ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ସମ୍ବନ୍ଧରେ ତଦାରଖ କରିଥିଲେ । ଏହି ଗସ୍ତ ସମୟରେ ବିଡିଓ ରାଜୀବ ଦାସ ,ଅନ୍ୟ ଅଧିକାରୀ, ଚନ୍ଦ୍ରଗିରି ସରପଞ୍ଚ ଓ ପିଇଓ ରବିପାତ୍ର ପ୍ରମୁଖ ବ୍ଳକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।
ନିମ୍ନମାନର ମଧ୍ୟାହ୍ନ ଭୋଜନ ପ୍ରଦାନ ନେଇ ଅସନ୍ତୋଷ । 