କୁଣ୍ଡା ବସ୍ତା ଭିତରେ ନେଉଥିଲେ ଗଞ୍ଜେଇ, ମାଡିବସିଲା ମୋହନା ପୋଲିସ, ଆର,ଉଦୟଗିରି ,୪।୯(ମନୋଜ ପାଢୀ): ଗଜପତି ଜିଲା ମୋହନା ଥାନା କଲେଜ ଛକ – ତାରିଣୀ ମନ୍ଦିର ନିକଟରୁ ଏକ ପିକଅପ ଭ୍ୟାନ ସହ ୭ କୁଇଣ୍ଟାଲ ୨୦ କିଲୋ ଗଞ୍ଜେଇ ଜବତ କରିଛି ପୋଲିସ । ତେବେ ପୋଲିସକୁ ଦେଖି ଗାଡି ରାସ୍ତା କଡରେ ରଖି ଚମ୍ପଟ ମାରିଛି ଅଭିଯୁକ୍ତ। ଘଟଣାର ତଦନ୍ତ ଚାଲିଛି ବୋଲି ମୋହନା ଥାନା ଅଧିକାରୀ ବସନ୍ତ ସେଠି କହିଛନ୍ତି। ବୁଧବାର ରାତିରେ ସ୍ଥାନୀୟ କଲେଜ ଛକରେ ମୋହନା ପୋଲିସ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଏକ ପିକଅପ ଭ୍ୟାନ ନମ୍ବର (ଓଡି ୦୭ ଏଜେ ୭୨୧୪) ରାସ୍ତାରେ ରଖିଦେଇ ଡ୍ରାଇଭର ଚମ୍ପଟ ମାରିଥିଲା । ଭ୍ୟାନରେ କିଛି କୁଣ୍ଡା ବସ୍ତା ଥିବାବେଳେ ତା’ ଭିତରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ଆର.ଉଦୟଗିରି ଏସଡ଼ିପିଓ ସୁରେଶ ତ୍ରିପାଠୀଙ୍କ ଉପସ୍ଥିତରେ ଗଞ୍ଜେଇ ଓଜନ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା ହେବ ବୋଲି ଥାନା ପକ୍ଷରୁ ସୂଚନା ଦେଇଛନ୍ତି । ମୋହନା ଥାନାରେ ଏକ ମାମଲା ରୁଜୁ କରାଯାଇ ପୋଲିସ ପିକଅପ ଭ୍ୟାନ ଓ ଗଞ୍ଜେଇ ଜବତ କରି ତଦନ୍ତ କରୁଥିବା ଥାନା ଅଧିକାରୀ କହିଛନ୍ତି।
କୁଣ୍ଡା ବସ୍ତା ଭିତରେ ନେଉଥିଲେ ଗଞ୍ଜେଇ, ମାଡିବସିଲା ମୋହନା ପୋଲିସ, 