ମାଓବାଦୀ ହିଂସାରେ ସମ୍ପୃକ୍ତ ଶିକ୍ଷକଙ୍କୁ ବାନ୍ଧିଲା ପୋଲିସ ଆର,ଉଦୟଗିରି,୧୩।୨୫( ମନୋଜ କୁମାର ପାଢୀ): ମାଓବାଦୀ ସମ୍ପୃକ୍ତି ମାମଲାରେ ଗଜପତି ଜିଲା ଅଡବା ଥାନା ନୁଆଁ ଖଜୁରୀପଦା ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କୁ ପୋଲିସ ଗିରଫ କରିଛ । ଗିରଫ ଶିକ୍ଷକ ହେଲେ ପ୍ରତାପ କୁମାର ନାୟକ । ସେ ଗତ ୨୦୦୮ରେ ଉକ୍ତ ପ୍ରାଥମିକ ବିଦ୍ୟାଳୟରେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି । ଅଡବା ଥାନା ଅଧିକାରୀଙ୍କ ସୂଚନା ପ୍ରକାରେ ପ୍ରତାପ ପୂର୍ବରୁ ମାଓବାଦୀ ସଂଗଠନରେ ସାମିଲଥିଲେ । ସେତେବେଳେ ବିଭିନ୍ନ ସ୍ଥାନରେ ହୋଇଥିବା ମାଓବାଦୀ ହିଂସାକାଣ୍ଡରେ ସେ ସାମିଲ ଥିବା ନେଇ ଅଭିଯୋଗ ହୋଇଥିଲା । ୨୦୧୧ ମସିହାରେ ତାଙ୍କ ନାମରେ ମାଓବାଦୀ ହିଂସାକାଣ୍ଡ ନେଇ ୧୩୫/୧୧ ରେ ଅଡବା ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲା ଆଧାରରେ ପ୍ରତାପଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା କହିଛନ୍ତ। ଅଡବା, ମୋହନା, ଆର.ଉଦୟଗିରି ଥାନା ଅଞ୍ଚଳରେ ଆହୁରି ଅନେକ ଶିକ୍ଷକଙ୍କ ନାମରେ ମାଓବାଦୀ ସମ୍ପୃକ୍ତି ଓ ଗଞ୍ଜେଇ ଚୋରା ଚାଲାଣ ମାମଲା ରହିଛି। ସେମାନଙ୍କୁ ତୁରନ୍ତ ଥାନାରେ ଆତ୍ମସମର୍ପଣ କରିବା ପାଇଁ କୁହାଯାଇଛି । ଏଥିସହ ବ୍ଲକ ଶିକ୍ଷାଧିକାରୀଙ୍କୁ ପୋଲିସ ପକ୍ଷରୁ ଚିଠି କରାଯାଇଛି । ଯଦି ସେମାନେ ଆତ୍ମସମର୍ପଣ ନ କରନ୍ତି ତେବେ ସେମାନେ ଯେଉଁଠି ଥିଲେ ମଧ୍ୟ ଗିରଫ କରାଯିବ ବୋଲି ଗଜପତି ଏସ୍ପି ସୂଚନା ଦେଇଛନ୍ତି। ଅପରପକ୍ଷେ ଏହି ସମ୍ପର୍କରେ ମୋହନା ଗୋଷ୍ଠୀ ଶିକ୍ଷା ଅଧିକାରୀ ନରେନ୍ଦ୍ର ବେହେରା କହିଛନ୍ତି, ମୋ ପାଖକୁ କୌଣସି ଚିଠି ଏ ଯାବତ ଆସିନାହିଁ ଯଦି କୌଣସି ଶିକ୍ଷକ ନାମରେ ଥାନା ପକ୍ଷରୁ ଚିଠି ଆସେ ତେବେ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

