ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ପାଳିତ।
ଗଜପତି୧୨/୮(ମନୋଜ ପାଢୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସଭାଗୃହ ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ମୁବାରକ ଅଲ୍ଲୀ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମ ଆଭିମୁଖ୍ୟ ସମ୍ପର୍କରେ କ୍ରୁମିନାଶକ ଔଷଧ ଖାଇବା ଦ୍ୱାରା କିଭଳି ପୁଷ୍ଟିହୀନତା ଓ ରକ୍ତହୀନତା ଦୂର ହୋଇଥାଏ କହିଥିଲେ ।କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପିଲା ମାନଙ୍କୁ କୃମିନାଶକ ବଟିକା ଓ ପାଣି ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଏଡିଏମଓ: ପରିବାର କଲ୍ୟାଣ ଡ଼ାଃ ମହେନ୍ଦ୍ର କୁମାର ଭୂୟାଁ ଏବଂ ଡିଏମଆରସିଏଚ: ଶ୍ରୀମତୀ ପ୍ରଣତି ସାହୁ ଯୋଗ ଦେଇ ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ର , ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ସମେତ ମହାବିଦ୍ୟାଳୟ ମାନଙ୍କରେ କୃମୀନାଶକ ବଟିକା ଦିଆହୋଇଛି । କୃମି ଯେଉଁଭଳି ପ୍ରଭାବ ପକାଇଥାଏ ଓ ତାର ନିୟନ୍ତ୍ରଣ ଉପାୟ ଉପରେ ବୁଝାଇ ୧ ରୁ ୧୯ ବର୍ଷ ବୟସର ମୋଟ ୧ ଲକ୍ଷ ୮୯ ହଜାର ୨୪୫ ଜଣ ପିଲାଙ୍କୁ କୃମିନାଶକ୍ ବଟିକା ଓ ସିରାପ ଦେବା ଲକ୍ଷ୍ୟଧାର୍ଯ୍ୟ ଥିବା ବେଳେ ୨୦ ରୁ ୨୪ ବର୍ଷ ବୟସ ମଧ୍ୟରେ ଥିବା ୨୫ ହଜାର ୧୯୫ ଜଣ ଗର୍ଭବତୀ ମହିଳା ଓ ପ୍ରସୂତିଙ୍କ ନିମନ୍ତେ ଆଲବେଣ୍ଡାଜଲ ଔଷଧ ଦିଆଯିବ କାର୍ଯ୍ୟକ୍ରମ ରହିଛି । ସେହିଭଳି ଏହି କାର୍ଯ୍ୟକ୍ରମ ମଧ୍ୟରେ ୧୦୦୨ ଟି ସରକାରୀ ବିଦ୍ୟାଳୟ , ୫୫ ଟି ବେସରକାରୀ ବିଦ୍ୟାଳୟ ଏବଂ ୨୪୩୬ ଟି ଅଙ୍ଗନବାଡି କେନ୍ଦ୍ର କଭାର କରାଯିବ ବୋଲି ସୂଚନା ପ୍ରଦାନ କରିଥିଲେ ।
