ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା ଘଟଣାରେ…. ଜଙ୍ଗଲରେ ପୋତିଥିବା ମାଟିତଳୁ ମୃତଦେହ ଉଦ୍ଧାର, ୯ ଗିରଫ । ଆର,ଉଦୟଗିରି:୮/୮(ମନୋଜ କୁମାର ପାଢୀ)ଗୁଣି ସନ୍ଦେହରେ ଗଜପତି ଜିଲ୍ଲା ମୋହନା ଥାନା କମଳପୁର ଗାଁର କରୁଣାକର ଦଳାଇ(୩୦)ଙ୍କୁ ହତ୍ୟାକରି ଜଙ୍ଗଲରେ ପୋତିଦେବା ଘଟଣାରେ ପୋଲିସ ଜଙ୍ଗଲରେ ପୋତିଥିବା ମାଟିତଳୁ ମୃତଦେହକୁ ଉଦ୍ଧାର କରିଛନ୍ତି ।ଏହି ଘଟଣାରେ ୯ ଜଣଙ୍କୁ ପୋଲିସ ଗିରଫ କରିଛି. ଗିରଫ ଅଭିଯୁକ୍ତ ମାନେ ହେଲେ କୁସୁମପୁର ଗାଁର ଚୈତନ୍ୟ ମଳିକ (୨୦), ଦାମୋଦର ମଳିକ (୨୯), କିଶୋର ମଳିକ (୨୭), ସନ୍ତୋଷ ମଳିକ (୩୫), ମୋହନ ମଳିକ(୨୫), ତୁମ୍ବନାଥ ମଳିକ (୨୪), ବନମାଳୀ ମଳିକ (୩୨), କାଳିଆ ମଳିକ (୪୫) ଓ ଲଛମନ ମଳିକ (୨୪) । ଏହି ଘଟଣାରେ ଆଉ କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି । ଗୁଣି ସନ୍ଦେହ ଓ ଚେରମୁଳି ଔଷଧ ଦେବାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥ‌ିବା ବେଳେ ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ମୋହନା ଥାନା ଅଧୁକାରୀ ବସନ୍ତ ସେଠୀ କହିଛନ୍ତି । ଅନ୍ୟପକ୍ଷରେ ମୃତଦେହ ପୋତା ଯାଇଥୁବା ଜଙ୍ଗଲରୁ ମାଜିଷ୍ଟ୍ରେଟ ମୋହନା ତହସିଲଦାର ଚକ୍ରଧର ପାଢ଼ୀ ଓ ସାଇଣ୍ଟିଫିକ ଟିମ ଉପସ୍ଥିତିରେ ମାଟି ଖୋଳି କରୁଣାକରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଜିରାଙ୍ଗ ପଞ୍ଚାୟତ କମଳପୁର ଗାଁର କରୁଣାକର ଗତ ପ୍ରାୟ ୮ ମାସ ହେବ କୁସୁମପୁର ଗାଁ ରେ ରହି ଆସୁଥିଲେ । ଗାଁଠାରୁ କିଛି ଦୂରରେ ଏକ କୁଡ଼ିଆ କରି ରହିବା ସହ ଚାଷ ବାସ କରୁଥିଲେ । ଏଥିସହ ଲୋକଙ୍କୁ କରୁଣାକର ଚେରମୂଳି ଔଷଧ ଦେଉଥିଲେ । ଗତ କିଛି ଦିନ ତଳେ କୁସୁମପୁର ଗାଁର ନିରଞ୍ଜନ ମଳିକଙ୍କ ୧୨ ବର୍ଷର ନାବାଳକ ପୁଅକୁ କୁକୁର କାମୁଡ଼ିଥିଲା । କୁକୁର କାମୁଡା ଭଲ କରିବା ପାଇଁ ନିରଞ୍ଜନଙ୍କ ପରିବାର ଚେର ମୁଳି ଔଷଧ ଦେବାପାଇଁ ଡାକିଥିଲେ। କରୁଣାକର ନାବାଳକଙ୍କୁ ଚେରମୂଳି ଔଷଧ ଦେଇଥିଲେ । ତେବେ କିଛି ଦିନ ପରେ ନାବାଳକର ମୃତ୍ୟୁ ଘଟିଥିଲା । ଏଥିପାଇଁ ତାଙ୍କ ପରିବାର ଓ ଗାଁ ଲୋକେ କରୁଣାକର ହିଁ ଗୁଣି କରି ନାବାଳକକୁ ମାରିଦେଇଥିବା ସନ୍ଦେହ କରି ହତ୍ୟା କରିଥିଲେ ।

By admin

Leave a Reply

Your email address will not be published. Required fields are marked *