ଗୁଣି ସନ୍ଦେହରେ ଯୁବକକୁ ହତ୍ୟାକରି ଡ୍ୟାମରେ ଫିଙ୍ଗିଦେଲେ ଗ୍ରାମବାସୀ

ଗୁଣି ସନ୍ଦେହରେ ଯୁବକକୁ ହତ୍ୟାକରି ଡ୍ୟାମରେ ଫିଙ୍ଗିଦେଲେ ଗ୍ରାମବାସୀ ଆର, ଉଦୟଗିରି,୩।୮(ମନୋଜ ପାଢୀ): ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା କରି ଡ୍ୟାମରେ ଫିଙ୍ଗିଦେଲେ। ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା ରାଚାଗୁଡା ଗାଁର। ମୃତକ ହେଲେ ଗୋପାଳ ମଳିକ । ହତ୍ୟା ପରେ ମୃତଦେହକୁ ଅଡବା ହରଭଙ୍ଗୀ ଡ୍ୟାମରେ ଫିଙ୍ଗିଦେଲେ ଗ୍ରାମବାସୀ । ଖବରପାଇ ମିଳିତଭାବେ ମୋହନା, ଅଡବା ଥାନା ପୋଲିସ ଅଭିଯୁକ୍ତମାନଙ୍କୁ ରାତି ସାରା ଗୋଡ଼ାଇ ଗୋଡ଼ାଇ କାବୁ କରିବାରେ ସଫଳ ହୋଇଛି। ଏହି ହତ୍ୟା ଘଟଣାରେ ରାଚାଗୁଡା ଓ ଗୁଞ୍ଜିମା ଗାଁର ୧୪ ଜଣକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ l ଏଥିସହ ୩ ଟି ଅଟୋ ଓ ସମସ୍ତଙ୍କ ମୋବାଇଲ ଜବତ କରାଯାଇଛି । ଗତ ୧୫ ଦିନ ତଳେ ରାଚାଗୁଡା ଗାଁର ସୁବାଷ ମଳିକଙ୍କ ସ୍ତ୍ରୀ ଝୁନୁର କୌଣସି କାରଣରୁ ମୃତ୍ୟୁ ହୋଇଥିଲା। ଗୋପାଳ ଗୁଣି କରି ଝୁନୁକୁ ମାରି ଦେଇଥିବା ଗ୍ରାମବାସୀ ସନ୍ଦେହ କରୁଥିଲେ । ଗୋପାଳ ନିଜ ଶ୍ୱଶୁର ଘର ଗଞ୍ଜାମ ଜିଲା ଗୌଡ଼ଗୋଠ ଗଣ୍ଡିଗାଁରେ ରହୁଥିଲା । ଗତ ରାତିରେ ଗୋପାଳକୁ ତାଙ୍କ ଶ୍ୱଶୁର ଘରୁ ଉଠାଇ ଆଣି ୨ ଟି ଅଟୋରେ ଗ୍ରାମବାସୀ ହରଭଙ୍ଗୀ ଡ୍ୟାମକୁ ନେଇଥିଲେ। ସେଠାରେ ଗୋପାଳଙ୍କୁ ହତ୍ୟାକରି ଡ୍ୟାମରେ ଫିଙ୍ଗି ଦେଇ ଚାଲିଆସିଥିଲେ । କୌଣସି ସୂତ୍ରରୁ ଖବରପାଇ ମୋହନା ପୋଲିସ ଗୋଡ଼ାଇ ଗୋଡ଼ାଇ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଅଧିକ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *