ପ୍ରଧାନ ଶିକ୍ଷକଙ୍କ ଦୁର୍ନୀତିର ତଦନ୍ତ ଦାବି କରି ପୂର୍ବତନ ସରପଞ୍ଚଙ୍କ ଅନଶନ ଧର୍ମଘଟ ୨ୟ ଦିନରେ ପହଞ୍ଚିଲା ।
ଗଜପତି- ୩୦/୦୭: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଧାନଶିକ୍ଷକଙ୍କ ବିଭିନ୍ନ ଦୁର୍ନୀତିର ପର୍ଦାଫାଶ ଓ ତାଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଦାବି କରି ଜଣେ ପୂର୍ବତନ ସରପଞ୍ଚ ଅନଶନ ଧର୍ମଘଟ ଆରମ୍ଭ କରିଛନ୍ତି। ଆଜି ଏହି ଧର୍ମଘଟ ୨ୟ ଦିନରେ ପହଞ୍ଚିଛି. ଖବର ଲେଖିବା ସୁଦ୍ଧା ଧର୍ମଘଟ ଚାଲୁ ରହିଛି. ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର ରାୟଗଡ଼ରେ ଥିବା ସରକାରୀ ଏସ୍ଏସ୍ଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ୫ ଦଫା ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦାବିରେ ରାୟଗଡ଼ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦିପ୍ତିପ୍ରଭାଲାଲ୍ ଶବର ୭ ଦିନିଆ ରିଲେ ଅନଶନ ଧର୍ମଘଟ ଆରମ୍ଭ କରିଛନ୍ତି।ଦାବିଗୁଡ଼ିକ ମଧ୍ୟରେ ଷଷ୍ଠ ଶ୍ରେଣୀ ପ୍ରବେଶିକା ପରୀକ୍ଷା ନିମନ୍ତେ ୨୦୨୫/୨୦୨୬ ଶିକ୍ଷା ବର୍ଷରେ ପ୍ରଧାନଶିକ୍ଷକ କରିଥିବା ଅନିୟମିତତା, ଚଞ୍ଚକତା ଓ ମନମୁଖୀ କାର୍ଯ୍ୟର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ, ୨୦୨୨ ମସିହାରେ ଦଳିତ, ନିରୀହ, ଆଦିବାସୀ ଅନାଥ ଛାତ୍ର କୃଷ୍ଣଚନ୍ଦ୍ର ଗମାଙ୍ଗ ଓ ଅନ୍ୟ ଦୁଇ ଜଣ ସଞ୍ଜୟ ଦଳବେହେରା, ଦୟାନିଧୂ ବଡ଼ମୁଣ୍ଡିଙ୍କୁ ବିଦ୍ୟାଳୟରୁ ବେନିୟମ ଭାବେ ତଡ଼ି ଦେଇଥିବା, ୨୦୨୧ରୁ ଆଜି ପର୍ଯ୍ୟନ୍ତ ଆଇଟିଡ଼ିଏ ତରଫରୁ କେତେ ଟଙ୍କା ବିଦ୍ୟାଳୟର ବିକାଶ ପାଇଁ ବିନିଯୋଗ ହୋଇଛି ତାହାର ତଦନ୍ତ କରିବା, ବିଦ୍ୟାଳୟର ପ୍ରାଙ୍ଗଣରେ କାହା ନିର୍ଦ୍ଦେଶରରେ ପ୍ରଧାନଶିକ୍ଷକ କପାଚାଷ କରିଛନ୍ତି ତାହାର ତଦନ୍ତ ତଦନ୍ତ କରାଯିବାକୁ ଶ୍ରୀ ଶବର ଦାବି କରି ଏହି ଅନଶନ ଧର୍ମଘଟ ଚଳାଇଛନ୍ତି।
