ବିରିକୋଟ ଡାକ୍ତର ଙ୍କୁ ବିଦାୟ ସମ୍ବର୍ଦ୍ଧନା ।
ଆର,ଉଦୟଗିରି(ମନୋଜ କୁମାର ପାଢୀ) – ଗଜପତି ଜିଲ୍ଲା ମୋହନା ବ୍ଲକ ବିରିକୋଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରଶାନ୍ତ କୁମାର ସାହୁଙ୍କ ଅନ୍ୟତ୍ର ବଦଳି ହୋଇଥିବା ବେଳେ ଆଜି ବିରିକୋଟ ଆଞ୍ଚଳିକ ଉନ୍ନୟନ ପରିଷଦ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି l ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ବିଦାୟ କାଳୀନ ସଭାରେ 7 ଗୋଟି ପଞ୍ଚାୟତର ବହୁ ଜନ ପ୍ରତିନିଧି, ବୁଦ୍ଧିଜୀବୀ, ଅଙ୍ଗନବାଡି କର୍ମୀ, ମହିଳା ସଂଘ ଓ ଜନ ସାଧାରଣ ଯୋଗଦେଇଥିଲେ l ବିଦାୟୀ ଡାକ୍ତର ପ୍ରଶାନ୍ତ କୁମାର ସାହୁ 2010 ମସିହାରେ ବିରିକୋଟ ମେଡିକାଲ ରେ ଯୋଗଦେଇଥିଲେ l ଯେତେବେଳେ ସେହି ଅଞ୍ଚଳ ମାଓବାଦୀ ପ୍ରବଣ ଅଞ୍ଚଳ ଥିଲା l ସେତେବେଳେ ଠାରୁ ଡାକ୍ତର ସାହୁ ବିରିକୋଟ ମେଡିକାଲ ରେ କାର୍ଯ୍ୟ କରିବା ସହ 2025 ମସିହା ପର୍ଯ୍ୟନ୍ତ ଦୀର୍ଘ 15 ବର୍ଷ ଧରି ନିଷ୍ଠାର ସହ ଲୋକଙ୍କ ସେବା କରିଛନ୍ତି l ତାଙ୍କ ସମୟରେ ଗର୍ଭବତୀ ମହିଳା ମାନେ ଅଧିକ ସେବା ପାଇବା ସହ ସୁରକ୍ଷିତ ପ୍ରସବ କରିପାରୁଥିଲେ l ତାଙ୍କର ଏଭଳି ସେବା କୁ ଅଞ୍ଚଳବାସୀ କେବେ ଭୁଲି ପାରିବେ ନାହିଁ ବୋଲି କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ l ଏହି ବିଦାୟ କାଳୀନ ସଭାରେ ଲୋକେ କାନ୍ଦି କାନ୍ଦି ବିଦାୟ ଦେଉଥିବା ଦେଖିବାକୁ ମିଳିଛି l ଶେଷରେ ବିଦାୟୀ ଡାକ୍ତର ସାହୁ ଙ୍କୁ ମହିଳା ମାନେ ପଞ୍ଚାୟତ କାର୍ଯ୍ୟାଳୟ ରୁ ତାଙ୍କ କ୍ଵାଟର ପର୍ଯ୍ୟନ୍ତ ଶୋଭାଯାତ୍ରା ରେ ନେଇ ଛାଡିଥିଲେ l
