ଏବେ ମୋ ସ୍ବାମୀଙ୍କ ଆତ୍ମାକୁ ଶାନ୍ତି ମିଳିବ: କାହିଁକି ଏମିତି କହିଲେ ପ୍ରିୟଦର୍ଶିନୀ

ଅପରେଶନ୍‌ ‘ସିନ୍ଦୂର’ ମୁଁ ଏବଂ ମୋ ଭଳି ସିନ୍ଦୂର ହରାଇଥିବା ସମସ୍ତ ମହିଳାଙ୍କ ପାଇଁ ଥିଲା ଏକପ୍ରକାର ନ୍ୟାୟ। ଅପରେଶନ୍‌ ‘ସିନ୍ଦୂର’ ପରେ ଭାବିଥିଲି ଆଉ କେହି ଆତଙ୍କବାଦୀ ଧରାପଡ଼ିବେନି। କିନ୍ତୁ ସରକାର ଓ ଭାରତୀୟ ସେନା ଭିତରେ ଭିତରେ ଯେଉଁ ଅପରେଶନ୍‌ ଚଳାଇଥିଲେ ତାହା ସଫଳ ହୋଇଛି। ଘଟଣାର ୩ମାସ ପରେ ପହଲଗାମ୍‌ ଆକ୍ରମଣର ମାଷ୍ଟରମାଇଣ୍ଡ କୁହାଯାଉଥିବା ହାସିମ ମୂଷା ଓ ଅନ୍ୟ ୨ ଆତଙ୍କୀ ନିପାତ ହେବା ଘଟଣାରେ ମୁଁ ଖୁସି। ଶ୍ରାବଣ ମାସ ସୋମବାରରେ ଅପରେଶନ୍‌ ‘ମହାଦେବ’ ତାଣ୍ଡବଲୀଳା ଦେଖାଇଛନ୍ତି। ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ସରକାର ଓ ଭାରତୀୟ ସେନାଙ୍କୁ କୃତଜ୍ଞତା ଜଣାଉଛି। ମୋ ସ୍ବାମୀଙ୍କ ଆମତ୍ାକୁ ଆଜି ନିଶ୍ଚୟ ଶାନ୍ତି ମିଳିବ ବୋଲି ଆତଙ୍କୀ ହମ୍‌ଲାରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥୀଙ୍କ ସ୍ତ୍ରୀ ପ୍ରିୟଦର୍ଶିନୀ ସୋମବାର କୋହଭରା କଣ୍ଠରେ ‘ଧରିତ୍ରୀ’କୁ ପ୍ରତିକ୍ରିୟା ଦେଇଛନ୍ତି।ପ୍ରକାଶ ଯେ, ବାଲେଶ୍ୱର ସଦର ବ୍ଲକ ସାରଗାଁ ପଞ୍ଚାୟତ ଅନ୍ତର୍ଗତ ଇଶାଣୀ ଗ୍ରାମର ପ୍ରଶାନ୍ତ ଶତପଥୀ (୪୧) ବାଲେଶ୍ୱର ସିପେଟ୍‌ରେ ଆକାଉଣ୍ଟାଣ୍ଟ ଭାବେ ଚାକିରି କରୁଥିଲେ। ଗତ ଏପ୍ରିଲ ୧୯ରେ ସ୍ତ୍ରୀ ପ୍ରିୟଦର୍ଶିନୀ ଓ ୮ ବର୍ଷୀୟ ପୁଅ ତନୁଜକୁ ନେଇ ଜମ୍ମୁକଶ୍ମୀର ବୁଲିବାକୁ ଯାଇଥିଲେ। ୨୨ ତାରିଖରେ ପହଲଗାମ୍‌ର ବୈସରନରେ ପୁଅ ଓ ସ୍ତ୍ରୀଙ୍କ ସହିତ ପ୍ରଶାନ୍ତ ବୁଲୁଥିବା ବେଳେ ଆତଙ୍କବାଦୀମାନେ ତାଙ୍କୁ ଗୁଳିମାଡ଼ କରିଥିଲେ।

Leave a Reply

Your email address will not be published. Required fields are marked *