ଭୁବନେଶ୍ୱର, ୨୨ା୭(ବନ୍ଦନା ସେଠୀ):ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପାଣ୍ଡରା ମୌଜାରେ ହୋଇଥିବା ବେଆଇନ ଜବରଦଖଲକୁ ଉଚ୍ଛେଦ କରାଯାଇଛି। ଦୀର୍ଘଦିନ ଧରି ୨ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମିକୁ କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ମାଡ଼ିବସି ଘର, ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ନିର୍ମାଣ କରିଥିଲେ। ସୋମବାର ବିଡିଏର ମିଳିତ ଟିମ୍‌ ପକ୍ଷରୁ ଏହି ଅଞ୍ଚଳରୁ ଉଚ୍ଛେଦ ଆରମ୍ଭ ହୋଇଛି।ମୌଜା ଅନ୍ତର୍ଗତ ପ୍ଲଟ ନଂ. ୩୮୭୭, ୩୮୭୮, ୩୮୭୯, ୩୮୮୦, ୩୮୮୫, ୩୮୮୬ ଓ ୩୯୯୯ରେ ଥିବା ୨ ଏକର ୬୦୦ ଡିସିମିଲ ଜମି ସାଧାରଣ ପ୍ରାଶସନ ବିଭାଗ ଅଧୀନରେ ରହିଛି। ଏହି ସରକାରୀ ପ୍ଲଟ୍‌ ଉପରେ କେତେଜଣ ବ୍ୟକ୍ତି ଜୋରଜବରଦସ୍ତ ବେଆଇନ ଭାବେ ଘର ତିଆରି କରି ଭଡ଼ା ସୂତ୍ରରେ ଦେଉଥିଲେ। ତେବେ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ମିଳିବା ପରେ ବିଡିଏ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ୧, ୨, ୩, ୪, ୫ ଓ ୬ ସମ୍ପୃକ୍ତ ସ୍ଥାନରେ ପହଞ୍ଚତ୍ ଜବରଦଖଲ ଉଚ୍ଛେଦ ଆରମ୍ଭ କରିଥିଲା। ପ୍ରଥମ ଦିନର ଏହି ଉଚ୍ଛେଦରେ ୩୦୦ବର୍ଗ ଫୁଟର ପାଚେରୀ, ୯ଟି ଆଜବେଷ୍ଟସ୍‌ ଘର, ଦୁଇଟି ଶୌଚାଳୟ, ୫ଟି ଲୁହା ଗେଟ, ଗୋଟିଏ ଟିଣ ଘରର ସଂପ୍ରାସରଣ ଅଂଶ, ୫ଟି ଟିଣ ନିର୍ମିତ ଘର, ୩ଟି ଛାତ ଘର ଏବଂ ୧୦୦ବର୍ଗଫୁଟର ବାଉଁଶ ନିର୍ମିତ ବାଡ଼କୁ ମାଟିରେ ମିଶାଇ ଦିଆଯାଇଛି। ପ୍ରାୟ ୨୦୦ ଡିସିମିଲ ଜମିରୁ ଉଚ୍ଛେଦ ହୋଇଥିବା ବେଳେ ବାକି ଜମିରୁ ମଙ୍ଗଳବାର ଉଚ୍ଛେଦ କରାଯିବ ବୋଲି ସୂଚନା ଦିଆଯାଇଛି। ଉଚ୍ଛେଦ ସମୟରେ ବିଡିଏ ଏନ୍‌ଫୋର୍ସମେଣ୍ଟ ଅଫିସର ଦେବରାଜ ସେଠୀ, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ଏବଂ ଜିଏର ଆରଆଇ ଓ ଅମିନ ପ୍ରମୁଖ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *