ବ୍ରହ୍ମପୁରର ବିଜୁଳି ଭିତ୍ତିଭୂମି ସୁଦୃଢ଼ କରୁଛି ଟିପିଏସ୍ଓଡିଏଲ୍

ବ୍ରହ୍ମପୁରର ବିଜୁଳି ଭିତ୍ତିଭୂମି ସୁଦୃଢ଼ କରୁଛି ଟିପିଏସ୍ଓଡିଏଲ୍–

ସବଷ୍ଟେସନ ମୋଟ କ୍ଷମତା ୧୦ ଏମଭିଏ ରୁ ୧୩ ଏମଭିଏକୁ ବୃଦ୍ଧି– ନୀଳାଚଳ ନଗର, ଖୋଡାସିଙ୍ଗି ଏବଂ ବିଦ୍ୟୁତପୁରୀ ଅଞ୍ଚଳର ୩,୦୦୦ ଉପଭୋକ୍ତା ଉପକୃତ– ବର୍ଦ୍ଧିଷ୍ଣୁ ଚାହିଦା ପୂରଣ ପାଇଁ ଭିତ୍ତିଭୂମି ଉନ୍ନତିକରଣ ବ୍ରହ୍ମପୁର, ଜୁଲାଇ ୨୦୨୫: ବିଜୁଳି ଭିତ୍ତିଭୂମିକୁ ସୁଦୃଢ କରିବା ସହ ବର୍ଦ୍ଧିଷ୍ଣୁ ଚାହିଦା ପୂରଣ କରିବା ସକାଶେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼ (ଟିପିଏସ୍ଓଡିଏଲ୍) ପକ୍ଷରୁ ବ୍ରହ୍ମପୁର ସ୍ଥିତ ବିଦ୍ୟୁତପୁରୀ ପ୍ରାଇମେରୀ ସବଷ୍ଟେସନ (ପିଏସ୍ଏସ୍)ର ଉନ୍ନତିକରଣ କରାଯାଇଛି। ଏହି ପଦକ୍ଷେପ ଯୋଗୁଁ ନୀଳାଚଳ ନଗର, ଖୋଡାସିଙ୍ଗି, ବିଦ୍ୟୁତପୁରୀ ଅଞ୍ଚଳର ପ୍ରାୟ ୩ ହଜାର ଉପଭୋକ୍ତା ଉପକୃତ ହେଉଛନ୍ତି। ପୂର୍ବରୁ ଏହି ସବଷ୍ଟେସନରେ ୫ ଏମଭିଏ ବିଶିଷ୍ଟ ଦୁଇଟି ଟ୍ରାନ୍ସଫର୍ମର ଥିଲା। ବର୍ତ୍ତମାନ ଗୋଟିଏ ଟ୍ରାନ୍ସଫର୍ମରର କ୍ଷମତା ୮ ଏମଭିଏକୁ ବୃଦ୍ଧି କରାଯିବା ପରେ ସବଷ୍ଟେସନର ମୋଟ କ୍ଷମତା ୧୩ ଏମଭିଏ ହୋଇଛି। ବିଶେଷ କରି ବିଜୁଳି ଚାହିଦା ଅଧିକ ଥିବା ସମୟରେ ଏହି ଉନ୍ନତିକରଣ ପଦକ୍ଷେପ ସହାୟକ ହେବ। ଏହାସହ ସବଷ୍ଟେସନକୁ ଏକ ଅତିରିକ୍ତ ସୋର୍ସ ଫିଡ୍ ସଂଯୋଗ କରାଯାଇଛି। ଯାହାଫଳରେ ବିଜୁଳି ଯୋଗାଣ ଉନ୍ନତ ହେବା ସହ ସ୍ଥାନୀୟ ଶିକ୍ଷାନୁଷ୍ଠାନ, ବ୍ୟାବସାୟିକ ଅନୁଷ୍ଠାନ ଏବଂ ଆବାସିକ ଅଞ୍ଚଳକୁ ଗୁଣାତ୍ମକ ବିଜୁଳି ସେବା ମିଳିପାରୁଛି। ଏହି ପଦକ୍ଷେପ ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଉପଭୋକ୍ତାଙ୍କୁ ଏକ ସ୍ଥାୟୀ ଏବଂ ଭରସାଯୋଗ୍ୟ ବିଜୁଳି ସେବା ଯୋଗାଇବା ଦିଗରେ ଏହା ଆମ ପ୍ରତିବଦ୍ଧତାକୁ ଦର୍ଶାଏ। ବ୍ରହ୍ମପୁର ସହରର କ୍ରମ ବର୍ଦ୍ଧିଷ୍ଣୁ ବିଜୁଳି ଚାହିଦାକୁ ପୂରଣ କରିବା ପାଇଁ ବିଦ୍ୟୁତ ବିତରଣ ନେଟୱର୍କ ସୁଦୃଢ଼ କରିବାରେ ଆମ ଟିମ୍ ନିରନ୍ତର ପ୍ରୟାସ କରୁଅଛି।”ସମଗ୍ର ଦକ୍ଷିଣ ଓଡ଼ିଶାରେ ଉନ୍ନତ ଭିତ୍ତିଭୂମି ନିର୍ମାଣ ଏବଂ ସୁରକ୍ଷିତ ତଥା ଭରସାଯୋଗ୍ୟ ବିଜୁଳି ଯୋଗାଣ ଉପରେ ଟିପିଏସ୍ଓଡିଏଲ୍ ଗୁରୁତ୍ବ ଦେଇ ଆସୁଛି, ଯାହା ସ୍ଥାନୀୟ ଅଞ୍ଚଳର ବିକାଶ ସହ ଗୋଷ୍ଠୀ ସଶକ୍ତିକରଣରେ ସହାୟକ ହେଉଅଛି।

Leave a Reply

Your email address will not be published. Required fields are marked *