ବିଜୁ ବାବୁଙ୍କ ପାଇଁ ଏକାଠି ହେଲେ ପଦ୍ମପୁର ବ୍ଲକ ବିଜେଡ଼ି ନେତା

ବିଜୁ ବାବୁଙ୍କ ପାଇଁ ଏକାଠି ହେଲେ ପଦ୍ମପୁର ବ୍ଲକ ବିଜେଡ଼ି ନେତା

ରାୟଗଡା : ରାୟଗଡ ଜିଲ୍ଲା ପଦ୍ମପୁର ବ୍ଲକ ରେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ପ୍ରାୟ ଦୁଇଫାଳ ହୋଇ ଯାଇଥିଲା।ଆଜି ବିଜୁ ବାବୁଙ୍କ ପାଇଁ ଉଭୟ ଗୋଷ୍ଠୀର ନେତା ଏକାଠି ହୋଇଛନ୍ତି ।ନିଜ ନିଜ ଭିତରେ ଥିବା ସମସ୍ତ ରାଗରୁଷା ଭୁଲି ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧ ଦିବସ ପାଳନ କରିଥିବା ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ ପଦ୍ମପୁର ରାଜନୀତିକୁ ଉଷ୍ମତା ଯୋଗାଇଛି । ଆଗକୁ ଏଠି ନବକଳେବର ଦେଖିବାକୁ ମିଳିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରିଛନ୍ତି।ଗୁଣପୁର ନିର୍ବାଚନମଣ୍ଡଳୀର ରାଜନୈତିକ ପ୍ରାଣକେନ୍ଦ୍ର କହିଲେ ପଦ୍ମପୁର ବ୍ଲକ କୁ ବୁଝାଏ । ଏଠି ଶାସକ ଗୋଷ୍ଠୀ ଯେତିକି ସୁଦୃଢ଼, ବିରୋଧ ଗୋଷ୍ଠୀ ମଧ୍ୟ ସେତିକି ଆକ୍ରମଣାତ୍ମକ । ଏଥର ନୂଆକରି କଂଗ୍ରେସ ଟିକେଟ୍‌ରେ ବିଜୟୀ ହୋଇଥିବା ବିଧାୟକ ସତ୍ୟଜିତ ଗମାଙ୍ଗଙ୍କନିଜ ବ୍ଲକ ପଦ୍ମପୁର । ତେଣୁ ଏଠିକା ରାଜନୀତି ଉପରେ ସମସ୍ତଙ୍କ ନଜର। ଦୀର୍ଘ ୨୪ବର୍ଷର ଶାସନକାଳରେ ଏହି ବ୍ଲକ ବିଜେଡି କବ୍‌ଜାରେ ରହିଥିଲା। ତଥାପି ବିଜେପି ଓ କଂଗ୍ରେସର ଜିଲ୍ଲା ପରିଷଦ ସଭ୍ୟମାନେ ବିଜୟୀ ହୋଇଛନ୍ତି । ଅଥଚ ବ୍ଲକ୍ ଅଧ୍ଯକ୍ଷ ପଦ ଲଗାତାର ସ୍ବର୍ଗତ ବିଜେଡ଼ି ନେତା ଯଯାତି ସାହୁଙ୍କ ଅମଳ ରୁ ଆଜି ଯାଏଁ ବିଜେଡି ନିଜ ଦଖଲରେ ରଖି ଅଛି ।ବ୍ଲକ ଭିତରେ ଅନ୍ୟ ଦଳକୁ ପୂରାଇ ଦେଇନାହାନ୍ତି । ଗତ ନିର୍ବାଚନରେ ଏଠି ବିଜେଡିର ଶୋଚନୀୟ ପରାଜୟ ହୋଇଥିଲା। ଏହାପରେ ପଦ୍ମପୁର ବିଜେଡି ମହଲ ବହୁଦା ବିଭକ୍ତ ହୋଇଯାଇଥିଲା। ବାଦବିବାଦ ଦେଖୁବାକୁ ମିଳିଥିଲା। ପରାଜୟ ସମୀକ୍ଷା ବୈଠକ ହେଉ କି ବିଜେଡିର ପ୍ରତିଷ୍ଠା ଦିବସ ହେଉ ଅବା ବିଜୁ ଜୟନ୍ତୀ ; ସବୁଠି ଦେଖୁବାକୁ ମିଳିଥିଲା କନ୍ଦଳର ଛାପ । ଏମିତି କି ବ୍ଲକ୍ ଅଧ୍ଯକ୍ଷା କେଉଁ ଗୋଷ୍ଠୀର ତାକୁନେଇ ମଧ୍ୟ ବିଭିନ୍ନ ପ୍ରକାର ଆଲୋଚନା ହୋଇଥିଲା। ନିକଟରେ କିଛି ବିଜେଡ଼ି କର୍ମୀ କଂଗ୍ରେସ୍‌କୁ ଚାଲିଯିବା ପରେ ବିଜେଡି ନେତାଙ୍କ ମଧ୍ୟରେ ଏବେ ଚେତା ପସିଛି। ଆଜି ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ଆଳରେ ପ୍ରାୟ ସବୁ ବିଜେଡ଼ି ନେତା ଏକାଠି ହୋଇଥିଲେ । ବ୍ଳକ୍ ଅଧକ୍ଷା ମଣିମାଳା ଶବର, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମଣ୍ଡୁ ଆଚାର୍ଯ୍ୟ, ପୁରୁଖା ନେତା ତଥା ପୂର୍ବତନ ବ୍ଲକ ଉପାଧ୍ଯକ୍ଷ ଗୋଦାବରୀ ରାଉତ, ଦୁର୍ଗା ସାହୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କରୁଣାକର ଶବର, ରଘୁନନ୍ଦନ ନାୟକ, ଗୌରୀ ପାଣଗ୍ରାହୀ, ଟୁକୁନା,ବୁଢ଼ା ଦଳେଇ ବ୍ରଜ ସୁନ୍ଦର ପାଣିଗ୍ରାହୀ, ଓ ଡି ସୁଦର୍ଶନ , କିଲାନା ଗୋବିନ୍ଦା ରାଓ, ସୁରେଶ ମିଶ୍ର, ହୁରଚୁଲ l ମାଝୀଙ୍କ ଭଳି ଆଗ ଧାଡିର ବିଜେଡ଼ି ନେତାମାନେ ଓ କର୍ମୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସୁନାରି ଘାଇ ଛକଠାରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ବାହାରି ବିଜୁ କଲ୍ୟାଣ ମଣ୍ଡପକୁ ଯାଇ ସେଠି ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ପରଷ୍ପର ମଧ୍ୟରେ ସମନ୍ୱୟ ରଖି ପୁଣିଥରେ ପଦ୍ମପୁର ବ୍ଲକ ରେ ବିଜେଡି ସଙ୍ଗଠନ କୁ ମଜବୁତ କରିବାକୁ ସଂକଳ୍ପ କରିଥିଲେ। ଶେଷରେ ମେଡିକାଲକୁ ଯାଇ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *