୭୮ତମ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଅବସରରେ ନିଷ୍ଠା ପରିବାରର ଏକାଦଶ ଦିନିଆ ରକ୍ତଦାନ ଶିବିର ସଫଳ ସର୍ବମୋଟ ୧୧୫୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ୦୩-୦୧-୨୦୨୬ (ଶନିବାର)୭୮ତମ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଅବସରରେ ବୀରାଧି ବୀରବର ପ୍ରବଳ ପ୍ରତାପୀ ମଥୁରା ନରେଶ କଂସ ମହାରାଜଙ୍କ ଆଦେଶାନୁସାରେ, ଜର୍ଜ ହାଇସ୍କୁଲ ମୀନା ବଜାର ପଡିଆ, ମଥୁରା ନଗରୀ,ବରଗଡ଼ ଠାରେ ନିଷ୍ଠା ପରିବାର ତରଫରୁ ଏକାଦଶ ଦିନିଆ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଶେଷ ଦିନ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା।ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ସମ୍ବଲପୁରର ରିଜିଓନାଲ ଅଫିସର ଶ୍ରୀ ସତ୍ୟ ନାରାୟଣ ନନ୍ଦ,ବରିଷ୍ଠ ଡାକ୍ତର ଶ୍ରୀ ସୁରେଶ ତ୍ରିପାଠୀ, ଡାକ୍ତର ରାଜେଶ ତ୍ରିପାଠୀ,ପୂର୍ବତନ ଏପିକଲ ଅଧ୍ୟକ୍ଷ ଶ୍ରୀ ପ୍ରଭାତ ଆଦିତ୍ୟ ମିଶ୍ର ଉପସ୍ଥିତ ରହି ମା ସମଲେଇଙ୍କ ପୂଜାର୍ଚ୍ଚନା ପରେ ଫିତା କାଟି ଶିବିରର ଶୁଭାରମ୍ଭ କରିଥିଲେ ଓ ରକ୍ତଦାତାମାନଙ୍କୁ ଉତ୍ସାହିତ କରି ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।ସମ୍ମାନୀତ ଅତିଥି ଭାବରେ ପାଇକମାଲ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ଅତିରିକ୍ତ ଅଧିକ୍ଷକ ଡାକ୍ତର ଶରତ ବେହେରା,ସିନିୟର ମେଡିକାଲ ଅଫିସର ଡାକ୍ତର ଅଜିତ ଦର୍ଜି,ବରଗଡ଼ର ଜଣାଶୁଣା ଡାକ୍ତର ଶ୍ରୀ ଅଶ୍ଵିନୀ ଭୋଇ ଉପସ୍ଥିତ ରହି ନିଜେ ରକ୍ତଦାନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।ଧନୁଯାତ୍ରା ଦେଖିବାକୁ ଆସିଥିବା ଯୁବକ ଓ ଯୁବତୀମାନଙ୍କ ମଧ୍ୟରେ ଶେଷ ଦିନ ରକ୍ତଦାନ ପ୍ରତି ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଥିଲା।
ଶେଷ ଦିନ ବୁର୍ଲା ରକ୍ତଭଣ୍ଡାର ଦ୍ୱାରା ୧୭୯ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।ଦୀର୍ଘ ଏଗାର ଦିନ ଧରି ଚାଲିଥିବା ଏହି ରକ୍ତଦାନ ଶିବିର ରୁ ବରଗଡ଼ ରକ୍ତଭଣ୍ଡାରକୁ ୩୯୪ ୟୁନିଟ୍,ବୁର୍ଲା ରକ୍ତଭଣ୍ଡାର କୁ ୬୯୦ ୟୁନିଟ୍,ସମ୍ବଲପୁର ରକ୍ତଭଣ୍ଡାର କୁ ୭୧ ୟୁନିଟ୍,ସର୍ବମୋଟ ୧୧୫୫ ୟୁନିଟ୍ ରକ୍ତ ପ୍ରଦାନ କରାଯାଇଥିଲା।ସମଗ୍ର ଶିବିରକୁ ନିଷ୍ଠା ପରିବାରର ନିଷ୍ଠାବାନ ସଦସ୍ୟ ଓ ସଦସ୍ୟାମାନେ ସୁଚାରୁ ଓ ସୁସଂଗଠିତ ଭାବେ ପରିଚାଳନା କରିଥିଲେ। ରକ୍ତଦାନ ଶିବିର ସହିତ ସଂଲଗ୍ନ ଭାବରେ ଏକ ସ୍ତନ୍ୟପାନ କେନ୍ଦ୍ର ମଧ୍ୟ ବ୍ୟବସ୍ଥା କରାଯାଇଥିଲା।ସମସ୍ତ ରକ୍ତଦାତା, ଶୁଭେଚ୍ଛୁ ଓ ସହଯୋଗୀ ମାନଙ୍କୁ ନିଷ୍ଠା ପରିବାର ତରଫରୁ କୋଟି କୋଟି ପ୍ରଣାମ ଓ ହୃଦୟରୁ ଧନ୍ୟବାଦ।
