*୨୦୨୭ ଜନଗଣନା ପାଇଁ ଜିଲ୍ଲାସ୍ତରରେ ତିନି ଦିନିଆ ତାଲିମ୍ ଶିବିର ଶୁଭାରମ୍ଭ।*
ଗଜପତି, ୯.୩(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତିନିଦିନିଆ ଜନଗଣନା ତାଲିମ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଛି। ଉକ୍ତ କର୍ମଶାଳାରେ ଆସନ୍ତା ଏପ୍ରିଲ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ଜନଗଣନା କାର୍ଯ୍ୟ ଆରମ୍ଭ ହେବ। ଆଜିର ଏହି ତାଲିମ କାର୍ଯ୍ୟକ୍ରମରେ ୨୦୨୭ ଜନଗଣନା ପାଇଁ ମାଷ୍ଟର ଟ୍ରେନର ତଥା ତହସିଲଦାର ଆର . ଉଦୟଗିରି ଜ୍ୟୋତିମୟ ଦାଶ ଓ ତହସିଲଦାର କାଶୀନଗର ସୁଧୀର କୁମାର ନନ୍ଦ ଉପସ୍ଥିତ ଥିବା ସମସ୍ତ କ୍ଷେତ୍ର ପ୍ରଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ଉକ୍ତ ତଳିମ୍ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇ କହିଥିଲେ ଯେ ଭାରତରେ ପ୍ରତି ୧୦ ବର୍ଷରେ ଥରେ ଦେଶରେ ଜନଗଣନା କରାଯାଇଥାଏ । ଶେଷ ଥର ପାଇଁ ଏହା ୨୦୧୧ ମସିହାରେ ଅନୁଷ୍ଠିତ ହୋଇଥିଲା। ମହାମାରୀ କୋଭିଡ ପାଇଁ ୨୦୨୧ ମସିହାରେ ଜନଗଣନା ହୋଇ ପାରିନଥିଲା ଯାହାକି ୨୦୨୭ ମସିହାରେ ହେବାକୁ ଯାଉଛି। ଜନଗଣନା ମୁଖ୍ୟତଃ ୨ଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟରେ ଜନଗଣନା ହେବା ପୂର୍ବରୁ ଏହାର ପ୍ରଥମ ଉପକ୍ରମ ଭାବେ ଏକ ବର୍ଷ ପୂର୍ବରୁ ଗୃହ ଜନଗଣନା କାର୍ଯ୍ୟ ହେବ ଯାହାକି ଚଳିତ ବର୍ଷ ୧୬ ଏପ୍ରିଲ ରୁ ମେ ମାସ ୧୫ ତାରିଖ ପର୍ଯ୍ୟନ୍ତ ହେବ ଏହି କ୍ରମରେ ଗୃହ ତାଲିକା ଜନଗଣନା ହେବ। ଜଣେ ସଚେତନ ନାଗରିକ ହିସାବରେ ନିଜର ସମସ୍ତ ତଥ୍ୟ ସଠିକ ଓ ନିର୍ଭୁଲ ଭାବେ ତଥ୍ୟ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ଏହି ଜନଗଣନା ସୁବିଧା ପୋର୍ଟାଲରେ ଚଳିତ ବର୍ଷ ଏପ୍ରିଲ ୧ତାରିଖ ରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଏହା ପରଠାରୁ ନିୟୋଜିତ ହୋଇଥିବା ଅଧିକାରୀଙ୍କ ଦ୍ୱାରା ମୋବାଇଲ ଆପ୍ ମାଧ୍ଯମରେ ଘରକୁ ଘର ଯାଇ ସମସ୍ତ ତଥ୍ୟ ସଂଗ୍ରହ କରି ଅପଲୋଡ଼ କରାଯିବ। ଜିଲ୍ଲାର ସମସ୍ତ ବ୍ଲକ୍ ର ଗୃହ ତାଲିକା ଦୁର୍ଗମ ଅଂଚଳ ପ୍ରତି ଅଧିକ ଧ୍ୟାନ ଦିଆଯିବ। ଏହାର ସୁପରିଚାଳନ ପାଇଁ ଜାତୀୟ ସ୍ତରୀୟ ପ୍ରଶିକ୍ଷକ, ମାଷ୍ଟର ପ୍ରଶିକ୍ଷକ, କ୍ଷେତ୍ର ପ୍ରଶିକ୍ଷକ, ଗଣନାକାରି ଓ ସୁପରଭାଇଜର ନିୟୋଜିତ କରାଯାଉଅଛି ।
ଏଥର ଦେଶରେ ପ୍ରଥମ କରି ଡିଜିଟାଲ ମାଧ୍ୟମରେ ଜନଗଣନା ହେଉଥିବାରୁ ବୈଷୟିକ ଜ୍ଞାନ କୌଶଳକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ଗଣନା କେବଳ ବ୍ୟକ୍ତବିଶେଷଙ୍କ ଗଣନା ନୁହେଁ ବରଂ ପ୍ରତ୍ୟେକ ପରିବାରର ଆର୍ଥିକ, ସାମାଜିକ ଅବସ୍ଥାର ସମ୍ପୂର୍ଣ୍ଣ ବିବରଣୀ ଲିପିବଦ୍ଧ ରହବା ଆବଶ୍ୟକ ରହିଅଛି। ସମସ୍ତେ ଯେପରି ନିଜର ସଠିକ ତଥ୍ୟ ପ୍ରଦାନ କରିବେ ସେଥିପାଇଁ ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।
ତେଣୁ ସମସ୍ତ ଅଧିକାରୀ ନିଜ ନିଜ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ କରିବା ନେଇ ଆଶା ପ୍ରକଟ କରିଥିଲେ ଏବଂ ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ସମସ୍ତ ତହସିଲ ଓ ପୌରପାଳିକା ଓ ବିଜ୍ଞାପିତ ଅଂଚଳ ପରିଷଦର ୨୨ ଜଣ କ୍ଷେତ୍ର ପ୍ରଶିକ୍ଷକ ମାନଙ୍କୁ.୦୯ ତାରିଖ ଠାରୁ ୧୧ ତାରିଖ ପଯ୍ୟନ୍ତ ତିନିଦିନ ତାଲିମ୍ ଦିଆଯିବ।
