ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପୁରୋଧା ଥିଲେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଆଜି ବି ଅବହେଳିତ ଅବସ୍ଥାରେ ବିନ୍ଧାଣୀଙ୍କ କୀର୍ତ୍ତିରାଜି l

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପୁରୋଧା ଥିଲେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଆଜି ବି ଅବହେଳିତ ଅବସ୍ଥାରେ ବିନ୍ଧାଣୀଙ୍କ କୀର୍ତ୍ତିରାଜି l

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପୁରୋଧା ଥିଲେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଆଜି ବି ଅବହେଳିତ ଅବସ୍ଥାରେ ବିନ୍ଧାଣୀଙ୍କ କୀର୍ତ୍ତିରାଜି l

ଗଜପତି, 1.4(ମନୋଜ ପାଢ଼ୀ)-: ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ବିନା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଅସମ୍ଭବ ହୋଇଥାନ୍ତା ।’ ଆଜି ସାରା ରାଜ୍ୟ ପାଳୁଛି ଉତ୍କଳ ଦିବସ । 1936 ମସିହା ଏପ୍ରିଲ 1 ତାରିଖରେ ‘ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ’ ଗଠନ ହୋଇଥିଲା । ଏହି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଯେଉଁ ମହାନ ବରପୁତ୍ରମାନଙ୍କର ଅବଦାନ ଥିଲା ସେମାନଙ୍କ ଭିତରେ ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଥିଲେ ଅନ୍ୟତମ ବିନ୍ଧାଣୀ ଓ ମୁଖ୍ୟ ପୁରୋଧା ।ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ରହିଛି ଅନେକ ଅବଦାନ । ଭାଷା, ସଂସ୍କୃତି ଓ ପରମ୍ପରକୁ ଏହି ସହର ନୂଆ ଦିଗ ଦେଇଥିଲା । ତେଣୁ ଏହା ଓଡ଼ିଶାର ଅନ୍ତୁଡିଶାଳ ଭାବେ ମଧ୍ୟ ପିରିଚିତ । ହେଲେ ବର୍ତ୍ତମାନ ଏଠାରେ ଓଡ଼ିଆ ଭାଷା ଓ ସଂସ୍କୃତି, ରାଜାଙ୍କ ସ୍ମୃତି ଏବଂ ଅବଦାନ ନିଜର ପରିଚୟ ଖୋଜିବା ଭଳି ସ୍ଥିତିରେ ରହିଛି । ଯାହାକୁ ନେଇ ସ୍ବାଭିମାନୀ ଗଜପତିବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏଥିପାଇଁ ସରକାରଙ୍କ ଆନ୍ତରିକତା ଅଭାବକୁ ଦାୟୀ କରିଛନ୍ତି ।ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି,”ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଆ ଭାଷା,ସଂସ୍କୃତି ଓ ଜାତୀୟତା ପ୍ରତି ଗଭୀର ଭଲପାଇବା ରଖୁଥିଲେ । ସେ ଥିଲେ ଅଭିମାନୀ, ଦୟାବାନ୍, ନିଷ୍ଠାପର । ସେ ସମୟରେ ଓଡ଼ିଶା ଭିନ୍ନ ଭିନ୍ନ ପ୍ରାନ୍ତରେ ବିଭକ୍ତ ଥିଲା, ଯାହା ଓଡ଼ିଆ ଲୋକଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରୁଥିଲା। ସେ ଓଡ଼ିଆ ଭାଷା ଭିତ୍ତିକ ଏକତା ପାଇଁ ଆନ୍ଦୋଳନ କରିଥିଲେ ଓ ଏହାକୁ ସଫଳ କରିବାରେ ମୁଖ୍ୟ ନେତୃତ୍ୱ ଦେଇଥିଲେ। ୧୯୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ରାଜ୍ୟ ଭାବେ ଗଠିତ ହେବା ପରେ ସେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ । ତାଙ୍କ ଶାସନ କାଳରେ ଶିକ୍ଷା, କୃଷି, ସ୍ୱାସ୍ଥ୍ୟ ଓ ପରିବହନ କ୍ଷେତ୍ରରେ ବହୁତ ଉନ୍ନତି ହୋଇଥିଲା । ସେ ସରଳ, ସତ୍ୟନିଷ୍ଠ ଓ ଲୋକପ୍ରିୟ ନେତା ଥିଲେ । ସେ ଲୋକମାନଙ୍କ ସମସ୍ୟାକୁ ନିଜ ସମସ୍ୟା ଭାବେ ନେଇ ସମାଧାନ କରିବାକୁ ଚେଷ୍ଟା କରୁଥିଲେ । ତାଙ୍କ ଦୃଢ଼ ନେତୃତ୍ୱ ଓ ଦୂରଦର୍ଶୀ ଚିନ୍ତାଧାରା ଓଡ଼ିଶାର ଉନ୍ନତିରେ ଅମୂଲ୍ୟ ଅବଦାନ ରଖିଛି ।”*ଓଡ଼ିଶାର ଅନ୍ତୁଡ଼ିଶାଳ ପାରଳାଖେମୁଣ୍ଡି’*”ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶାର ଗଠନ ଓ ଉନ୍ନତିର ଏକ ପ୍ରମୁଖ ଶିଳ୍ପୀ ଭାବେ ସଦା ସ୍ମରଣୀୟ ରହିବେ । ତାଙ୍କ ଜୀବନ ଓ କାର୍ଯ୍ୟ ଆମ ପାଇଁ ପ୍ରେରଣା ସୂତ୍ର। ପାରଳାଖେମୁଣ୍ଡିକୁ ଓଡ଼ିଶାର ଅନ୍ତୁଡିଶାଳ କହିଲେ କିଛି ଭୂଲ ହେବ ନାହିଁ । କାରଣ ସ୍ବତନ୍ତ୍ର ଓଡ଼ିଶା ଗଠନ ପାଇଁ କୁଳବୃଦ୍ଧ ମଧୂସୁଦନ ଦାଶ ଦେଖିଥିବା ସ୍ବପ୍ନ ସାକାର ପାଇଁ ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଉଦ୍ୟମରେ ସଫଳ ହୋଇଥିଲା । ଆଉ ତାହାର ମୂଳଦୁଆ ପାରଳା ମାଟିରେ ହୋଇଥିବା ‘ଉତ୍କଳ ସମ୍ମିଳନୀର ୧୦ମ ଅଧିବେଶନ’ ବେଳେ ହିଁ ପଡିଥିଲା । ପାରଳାଖେମୁଣ୍ଡି ସହରର ଯେଉଁ ସ୍ଥାନକୁ ଗଲେ ବି ରାଜାଙ୍କ ନିର୍ମିତ ଅନେକ ପୋଖରୀ, ରାଜଉଆସ, ଶିକ୍ଷାନୁଷ୍ଠାନ ଏଭଳି ଅନେକ ସ୍ମାରକି ରହିଛି ।

କୃଷିଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଗମନାଗମନ କ୍ଷେତ୍ରରେ ରାଜାଙ୍କ ଅବଦାନ ଅତୁଳନୟ । ହେଲେ ଦୁର୍ଭାଗ୍ୟର ବିଷୟ ଯେ, ଆଜି ନବ ଉତ୍କଳର ନିର୍ମାତା ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଣଧାରଙ୍କ ସ୍ମୃତି ଓ ଅବଦାନ ଅସୁରକ୍ଷିତ ଭଳି ମନେ ହେଉଛି” ବୋଲି କହିଛନ୍ତି ଗବେଷକ ଶ୍ରୀ ମହାପାତ୍ର । ସେ ଆହୁରି କହିଛନ୍ତି,”ପାରଳାରେ ଥିବା ରାଜଉଆସ ଓ ବୃନ୍ଦାବନ ପ୍ୟାଲେସ ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ । ରାଜାଙ୍କ ନିର୍ମିତ ଅନେକ ସାଗର ଅବସ୍ଥା ନ କହିବା ଭଲ । ରାଜାଙ୍କ ନିର୍ମିତ ବାଳକ ଓ ବାଳିକା ବିଦ୍ୟାଳୟର ଯଦି ଓ କିଛି ପୁନରୁଦ୍ଧାର ହୋଇଛି କିନ୍ତୁ ଅନେକ କିଛି ପରିବର୍ତ୍ତନର ଆବଶ୍ୟକତା ରହିଥବା ଭଳି ମନେ ହେଉଛି । କେବଳ ସେତିକି ନୁହେଁ ସର୍ବପୁରାତନ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ଶୟଂସାସିତ ମହାବିଦ୍ୟାଳୟ ଓଡ଼ିଶାର ସର୍ବପୁରାତନ ଭିତ୍ତଭୂମି ଥିବା ସତ୍ତ୍ୱେ ଏହାକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ନ ମିଳିବା ଦୁର୍ଭାଗ୍ୟର ବିଷୟ। ଯାହା ପାରଳା ମହାରାଜାଙ୍କ ପ୍ରତି ଅଣଦେଖା ପରି ମନେ ହୁଏ ।” କେବଳ ସେତିକି ନୁହଁ ଭାଷା ସୁରକ୍ଷା ପାଇଁ ମଧ୍ୟ ରାଜାଙ୍କ ଅବଦାନ ଅତୁଳନୀୟ ଥିଲା । ସରକାର ଏବେ ମହିଳାଙ୍କ ଶିକ୍ଷା କଥା ଚିନ୍ତା କରୁଛନ୍ତି । ହେଲେ ପ୍ରାୟ ଶହେ ବର୍ଷ ତଳେ ପାରଳାଖେମୁଣ୍ଡି ଠାରେ ବାଳିକା ବିଦ୍ୟାଳୟ ନିର୍ମାଣ କରି ମହିଳାଙ୍କୁ ଶିକ୍ଷିତ କରାଇବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ ସେ । ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟକୁ ଦେଖିଲେ ଯାହା ପାରଳା ମହାରାଜାଙ୍କ ଦୂର ଦୃଷ୍ଟିକୁ ସୂଚାଉଛି । କେବଳ ସେତିକି ନୁହେଁ, ଓଡ଼ିଆଙ୍କ ଶିକ୍ଷା ପାଇଁ ମହାରାଜା ହାଇସ୍କୁଲ ଏବଂ କଲେଜ ନିର୍ମାଣ କରିବା ସହ ଅନେକ ବର୍ଷ ଯାଏଁ ନିଜର ପୃଷ୍ଠପୋଷକତାରେ ଏହାକୁ ପରିଚାଳନା କରିଥିଲେ । ପରବର୍ତ୍ତି ସମୟରେ ଏସବୁର ପରିଚାଳନା ଦାୟିତ୍ଵ ସରକାର ନିଜ ହାତକୁ ନେଇଥିଲେ ବୋଲି କହିଛନ୍ତି ଗବେଷକ । ସେହିପରି ପାରଳାଖେମୁଣ୍ଡି ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ.ଭାରତୀ ପାଣିଗ୍ରାହୀ କହିଛନ୍ତି,” ଓଡ଼ିଆଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜ ରାଜକୋଷ ଖର୍ଚ୍ଚରେ ଅନେକ ସ୍କୁଲ, କଲେଜ, ପଖୋରୀ, ଜଳସେଚନ ବ୍ୟବସ୍ଥା, ରାସ୍ତାଘାଟ ନିର୍ମାଣ କରିଥିଲେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି । ଓଡ଼ିଆ ଜାତି ପାଇଁ ସେସବୁ କିଛି କରିଥିବା ବେଳେ ଓଡ଼ିଆ ଜାତି କିନ୍ତୁ ତାଙ୍କୁ ଯେଉଁ ସମ୍ମାନ ପ୍ରଦର୍ଶନ କରିବା କଥା ତାହା ଆଜି ଯାଏଁ କରିନାହିଁ । ରାଜ୍ୟର ବିଭିନ୍ନ ବରପୁତ୍ରଙ୍କ ନାମରେ ବହୁ ଯୋଜନା ନାମିତ ହୋଇଛି । କିନ୍ତୁ ଗୋଟିଏ ବି ଯୋଜନା ମହାରାଜାଙ୍କ ନାମରେ ନାହିଁ । ସେହିଭଳି ମହାରାଜାଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଜଣେ ହେଲେ ଓଡ଼ିଆ ଏଯାଏଁ ଦାବିଟିଏ ମଧ୍ୟ କରିନାହାନ୍ତି । ପ୍ରତିବର୍ଷ ଜୟନ୍ତୀରେ କେବଳ ତାଙ୍କ ସମାଧୀରେ କିମ୍ବା ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣକୁ ବାଦ ଦେଲେ ଆଉ କିଛି କରିନାହିଁ ଏ ଓଡ଼ିଆ ଜାତି ।

ରାଜାଙ୍କ ଅନେକ ସ୍ମୃତି ଓ ଅବଦାନ ଦିନକୁ ଦିନ ଲୋପ ପାଇବାକୁ ବସିଛି, ରାଜ୍ୟ ସରକାରଙ୍କୁ ଅନୁରୋଧ ଏହାର ସୁରକ୍ଷା ପାଇଁ କିଛି ପଦକ୍ଷେପ ନିଅନ୍ତୁ । ବର୍ତ୍ତମାନ ଗୋପୀନାଥ ଗଜପତିଙ୍କ ବିୟୋଗ ପରେ ତାଙ୍କ ସୁକନ୍ୟା କଲ୍ୟାଣୀ ଗଜପତି ରାଜା ଭାର ଗ୍ରହଣ କରିଛନ୍ତି । ରାଜ ପରମ୍ପରା ଅନୁସାରେ ଯାହା ତାଙ୍କର କର୍ତ୍ତବ୍ୟ ରହିଛି, ସେ ତାହାକୁ ସମ୍ପାଦନ କରୁଛନ୍ତି । ସେ ଆଜି ବି ବିଭିନ୍ନ ପୂଜାପର୍ବାଣୀରେ ସାମିଲ ହୋଇ ଆସୁଛନ୍ତି ।ଏବଂ ଗଜପତିବାସୀ ମଧ୍ୟ ରାଜକନ୍ୟା କଲ୍ୟାଣୀ ଗଜପତିଙ୍କୁ ଅନେକ ସମ୍ମାନ ଦେଉଛନ୍ତି ବୋଲି କହିଛନ୍ତି ରାଜପୁରୋହିତ କାମଦେବ ପାଢ଼ୀ । ସେହିପରି ରାଜ୍ୟ ବିଜେପି ଉପସଭାପତି ତଥା ପାରଳାଖେମୁଣ୍ଡିର ପୂର୍ବତ୍ତନ ବିଧାୟକ କେ. ନାରାୟଣ ରାଓ କହିଛନ୍ତି,” ପୂର୍ବ ସରକାର ସମୟରେ ଆମେ ମହାରାଜାଙ୍କ ଉଦ୍ଦେଶ୍ୟରେ ଅନେକ ଦାବି କରିଥିଲୁ । ମୁଁ ବିଧାୟକ ଥିବା ବେଳେ ବିଧାନସଭାରେ ମଧ୍ୟ ନିଜ ଦାବି ଉପସ୍ଥାପନ କରିଥିଲି । ବର୍ତ୍ତମାନ ସରକାର ପାରଳାଖେମୁଣ୍ଡି ରେଳ ଷ୍ଟେସନର ଉନ୍ନତି କରିବା ସହ ମହାରାଜାଙ୍କ ନାଁରେ ନାମିତ କରିଛନ୍ତି । କିନ୍ତୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନାଁରେ କୌଣସି ସରକାରୀ ଯୋଜନା କିମ୍ବା ଗୁଣୁପୁର ଠାରୁ ହାଇଦ୍ରାବାଦକୁ ଏକ ଟ୍ରେନ୍ ଚଳାଚଳ ପାଇଁ ଆମେ ଦାବି କରିଛୁ । ତାଙ୍କରି ସ୍ମୃତିରେ ବିଭିନ୍ନ ଉତ୍ସବ ପାଳନ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛୁ ।