ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟ ଏନ୍ଏସ୍ଏସ୍ ୟୁନିଟ୍ ପକ୍ଷରୁ ମହେନ୍ଦ୍ରଗିରିରେ ସଫେଇ ଅଭିଯାନ
ଗଜପତି,୧୦.୧(ମନୋଜ ପାଢ଼ୀ) – ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ୟୁନିଟ୍ର ପକ୍ଷରୁ ଶୁକ୍ରବାର ଦିନ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ବତ ଅଞ୍ଚଳରେ ସଫେଇ ଅଭିଯାନ ଆୟୋଜିତ ହୋଇଛି । ମହେନ୍ଦ୍ରଗିର ଅଞ୍ଚଳର ବୁରଖତ, ମହେନ୍ଦ୍ରଗିରି ଇକୋ ରିସୋର୍ଟ ଏବଂ କୁନ୍ତୀ ମନ୍ଦିର ହିଲ୍ ଷ୍ଟେସନ୍ ଅଞ୍ଚଳରେ ଏହି ସଫେଇ କରି ପରିବେଶ ସୁରକ୍ଷା ଓ ସ୍ବଚ୍ଛତା ସଚେତନତା ଉପରେ ବାର୍ତ୍ତା ଦିଆଯାଇଥିଲା ।
ଏହି ଅଭିଯାନରେ ବନପାଳ ଶିବରାମ ସାବତ, ବନରକ୍ଷୀ କବିତା ରାଣୀ ଦେବୀ ଓ ବନବିଭାଗର କର୍ମଚାରୀ ସତ୍ୟ ସ୍ବରାଜ ମହାନ୍ତି, ରଙ୍କମଣି ବରିଆ ଓ କୈଳାଶ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଇକୋ ଡେଭଲପମେଣ୍ଟ କମିଟିର ଅଧ୍ୟକ୍ଷ ସନ୍ୟାସୀ ଭୂୟାଁ, କୋଷାଧ୍ୟକ୍ଷ ଭାସ୍କର ମଣ୍ଡଳ, ପୁତ୍ତର ଗ୍ରାମର ସରପଞ୍ଚ ଅମ୍ବିକା ନାୟକ, ଏଙ୍ଗସିଂ ଗ୍ରାମର ସରପଞ୍ଚ କୁମାରୀ କର୍ଜୀ ଏବଂ ବୁରଖତ ଗ୍ରାମର ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ । ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଡା. ବିଷ୍ଣୁ ପ୍ରସାଦ ଦାଶ ସୁଚାରୁ ଭାବେ ପରିଚାଳନା କରିଥିବା ବେଳେ ତାଙ୍କର ତତ୍ବାବଧାନରେ ୨୨ ଜଣ ଛାତ୍ରଛାତ୍ରୀ ସକ୍ରିୟ ଭାବରେ ସଫେଇ କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ ।
ମହେନ୍ଦ୍ରଗିରି ପର୍ବତ ଏକ ଗୁରୁତ୍ଵପୂର୍ଣ୍ଣ ଜୈବ-ବିବିଧତା ଓ ଇକୋ-ପର୍ଯ୍ୟଟନ କ୍ଷେତ୍ର ହେବାରୁ ଏଠାରେ ସ୍ବଚ୍ଛତା ରକ୍ଷା କରିବା ଅତ୍ୟନ୍ତ ଆବଶ୍ୟକ । ପର୍ଯ୍ୟଟକମାନଙ୍କ ଦ୍ବାରା ହେଉଥିବା ପ୍ଲାଷ୍ଟିକ ଓ ଅବର୍ଜନା ପ୍ରଦୂଷଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶ ସନ୍ତୁଳନକୁ ଭାରି ମାତ୍ରାରେ କ୍ଷତି ପହଞ୍ଚାଏ । ଏହିପରି ସଫେଇ ଅଭିଯାନ ଇକୋ-ଟୁରିଜମ୍କୁ ସୁସ୍ଥାୟୀ କରିବା ସହ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପରିବେଶ ଦାୟିତ୍ବ ବୋଧ ସୃଷ୍ଟି ହେବ ବୋଲି କୁହାଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ବୃନ୍ଦ ବନବିଭାଗ ଅଧିକାରୀମାନଙ୍କ ସହ ମିଳିତ ଭାବେ ସ୍ଲୋଗାନ ଦେଇ ପ୍ଲାଷ୍ଟିକ ମୁକ୍ର ପରିବେଶ ପାଇଁ ଏକ ସଚେତନତା ରାଲି ମଧ୍ୟ କରାଯାଇଥିଲା ।

