ସୁଭଦ୍ରା ଶକ୍ତି ମେଳା ଚତୁର୍ଥ ଦିନରେ ଭବ୍ୟ ଆୟୋଜନ ।
ଗଜପତି, ତା. ୨୧.୦୨.୨୦୨୬(ମନୋଜ ପାଢ଼ୀ)-:
ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଚାଲୁଥିବା ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଚତୁର୍ଥ ଦିନରେ ଉତ୍ସାହ ଓ ଉତ୍ସବମୁଖର ଭାବରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ, ଗଜପତି ଶ୍ରୀ ସୋଲମନ ରାଇକା ଉପସ୍ଥିତ ଥିବା ବେଳେ ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର ମଞ୍ଚାସୀନ ରହି ମେଳାର ଉଦ୍ଦେଶ୍ୟ ଓ ମହିଳା ସଶକ୍ତିକରଣ ବିଷୟରେ ମତ ପ୍ରକାଶ କରିଥିଲେ। ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଲୋକନୃତ୍ୟ, ସଙ୍ଗୀତ ଓ ସାଂସ୍କୃତିକ ପ୍ରଦର୍ଶନୀ ଆୟୋଜିତ ହୋଇ ଦର୍ଶକମାନଙ୍କୁ ମନୋମୁଗ୍ଧ କରାଯାଇଥିଲା । ମେଳା ପ୍ରାଙ୍ଗଣରେ ଦର୍ଶକମାନଙ୍କ ଭିଡ଼ ଉତ୍ସବମୁଖର ପରିବେଶ ସୃଷ୍ଟି କରିଥିଲା। ମହିଳା ଶକ୍ତିକୁ ମଜବୁତ କରୁଛି ମେଳା ,ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀମାନେ ନିଜେ ଉତ୍ପାଦିତ ହସ୍ତତନ୍ତ୍ର, ହସ୍ତଶିଳ୍ପ, ଖାଦ୍ୟ ପଦାର୍ଥ ଓ ଗୃହସଜ୍ଜା ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରି କରୁଛନ୍ତି। ବ୍ରାଣ୍ଡିଂ ଓ ପ୍ୟାକେଜିଂ ବିଷୟରେ ପ୍ରଶିକ୍ଷଣ କର୍ମଶାଳା ସହ ପ୍ରତିଦିନ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହେଉଛି। ମିଶନ ଶକ୍ତିର ଏହି ପଦକ୍ଷେପ ମାଧ୍ୟମରେ ମହିଳାମାନେ ବୃହତ୍ ବଜାର ସହିତ ସଂଯୋଗ ସୃଷ୍ଟି କରି ଆୟ ବୃଦ୍ଧି କରୁଛନ୍ତି ଓ ଆତ୍ମନିର୍ଭରତାର ଦିଗରେ ଆଗୁଆଁ ବଢ଼ୁଛନ୍ତି। “ଲକ୍ଷପତି ଦିଦି” ହେବାର ସ୍ଵପ୍ନ ସାକାର କରିବାରେ ଏହି ମେଳା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି।
୭ ଦିନ ଧରି ଆୟୋଜିତ ଏହି ସୁଭଦ୍ରା ଶକ୍ତି ମେଳା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଚତୁର୍ଥ ସନ୍ଧ୍ୟା କାର୍ଯ୍ୟକ୍ରମରେ ସମସ୍ତ ଲାଇନ୍ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
