ସୁନା କିଣିବା ଆଳରେ 4 ଲକ୍ଷ ଟଙ୍କାରୁ ଉର୍ଦ୍ଧ ଗହଣା ଚୋରି ଘଟଣାରେ 3 ମହିଳାଙ୍କ ସମେତ ଜଣେ ପୁରୁଷ ଗିରଫ ।ଗଜପତି, 12/3(ମନୋଜ ପାଢ଼ୀ)ଗଜପତି ଜିଲ୍ଲା ମୋହନା ଠାରେ ଥିବା ଏକ ସୁନା ଦୋକାନରେ ଗହଣା କିଣିବା ଆଳରେ 4 ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଚୋରି ଅଭିଯୋଗରେ 3 ଜଣ ମହିଳାଙ୍କ ସମେତ ଜଣେ ପୁରୁଷ ଗିରଫ ହୋଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର ମୋହନା ବ୍ଲକ ମହକୁମାର ପଣ୍ଡା ଛକରେ ଥିବା ସାଇବା ସୁନା ଦୋକାନକୁ 3 ଜଣ ମହିଳାଙ୍କ ସହ ଜଣେ ପୁରୁଷ ଗତ ସୋମବାର ଅପରାହ୍ନରେ ସୁନା କିଣିବା ପାଇଁ ଆସିଥିଲେ. ସେମାନେ ସୁନା ଗହଣା ଗୁଡିକୁ ମାଲିକଙ୍କୁ ଦେଖାଇବାକୁ କହି ଅତ୍ୟନ୍ତ ଚତୁରାତର ସହ 4 ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣାକୁ ଚୋରି କରି ଚାଲି ଯାଇଥିଲେ । ପରେ ସୁନା ଦୋକାନ ମାଲିକ ସନ୍ଦେହରେ ସିସିଟିଭ ଯାଞ୍ଚ କରିବା ପରେ ସେମାନେ ସୁନା ଗହଣା ଚୋରି କରିଥିବା ନିଶ୍ଚିତ ହୋଇଥିଲା । ସିସିଟିଭ ଫୁଟେଜ ପ୍ରମାଣ ସହ ସୁନା ଦୋକାନ ମାଲିକଙ୍କ ଲିଖିତ ଅଭିଯୋଗରେ ମୋହନା ପୋଲିସ 24 ଘଣ୍ଟା ମଧ୍ୟରେ 3 ଜଣ ମହିଳାଙ୍କ ସମେତ ଜଣେ ପୁରୁଷଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ।
ସେମାନେ ସମସ୍ତେ ବ୍ରହ୍ମପୁର ହରଡ଼ାଖଣ୍ଡି ଅଞ୍ଚଳର ଝୁମୁରି ଦାସ, ବିରୋଜିନୀ ଦାସ, ବ୍ରହ୍ମପୁର ରଘୁପତି ନଗରର ସୁଶୀଳା ଦାସ ଏବଂ ଫୁଲ ସୁନ୍ଦରୀ ସାହିର ସନ୍ତୋଷ ଦାସ ବୋଲି ଜଣା ପଡିଛି ।
