ସୁକମା ଜଙ୍ଗଲରେ ପୁଲିସ–ନକ୍ସଲ ଗୁଳିବିନିମୟ, ୫ ଲକ୍ଷ ପୁରସ୍କାର ଘୋଷିତ ମାଓବାଦୀ କୈଳାଶ ମୃତ
ଖଇରପୁଟ:ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଜିଲ୍ଲାର ପୋଲମପଲ୍ଲୀ ଥାନା ଅନ୍ତର୍ଗତ ଜଙ୍ଗଲ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ପୁଲିସକୁ ସୂଚନା ମିଳିଥିଲା।ଏହା ପରେ ସୁକମାର ଡିଆରଜି ଯବାନମାନେ ସେହି ଅଞ୍ଚଳକୁ ସର୍ଚ୍ଚ ଅପରେସନ ପାଇଁ ଯାଇଥିଲେ। ଆଜି ଭୋର ସକାଳୁ ଯବାନମାନଙ୍କୁ ଦେଖି ନକ୍ସଲମାନେ ଅତର୍କିତ ଭାବେ ଗୁଳିଚାଳନା କରିଥିଲେ। ଦୀର୍ଘ ସମୟ ଧରି ଦୁଇପକ୍ଷରୁ ଗୁଳିବିନିମୟ ଚାଲିଥିଲା।ପରେ ନକ୍ସଲମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପୁଲିସ ଅଞ୍ଚଳରେ ସର୍ଚ୍ଚ ଅପରେସନ କରିବା ବେଳେ ଜଣେ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ନକ୍ସଲ ଜଣକ ପିପିସିଏମ ସଦସ୍ୟ ମାଚାକି କୈଳାଶ ବୋଲି ପୁଲିସ ଚିହ୍ନଟ କରିଛି।କୈଳାଶଙ୍କ ମୁଣ୍ଡ ଉପରେ ସରକାର ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ତାଙ୍କ ନାମରେ ଅନେକ ମାମଲା ରହିଥିବା ସୂଚନା ପୁଲିସ ପକ୍ଷରୁ ମିଳିଛି।
