ସିବିଏସସି ମାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ 5 ଛାତ୍ରଛାତ୍ରୀ
ଗଜପତି,୧୭.୨(ମନୋଜ ପାଢ଼ୀ) -:ପିଲାଙ୍କ ଭବିଷ୍ୟତକୁ ଅନ୍ଧକାରରେ ରଖି ଟଙ୍କା ଉପାର୍ଜନ କରି ମାଲାମାଲ ହେଉଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ ଯୋଗୁଁ 5 ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧାର ଘେରକୁ ଠେଲି ହୋଇଯାଇଛି । ଜିଲ୍ଲା ଶିକ୍ଷା ବିଭାଗ ଅନ୍ତର୍ଗତରେ ସିବିଏସି କିମ୍ବା ଅନ୍ୟ କୌଣସି କୋର୍ସ ଆସୁନଥିବା ଏବଂ ଏପରି କେନ୍ଦ୍ରୀୟ ପରିଚାଳିତ ବୋର୍ଡ ମାନଙ୍କର କୌଣସି କର୍ତ୍ତୃପକ୍ଷ ଜିଲ୍ଲାରେ ନଥିବା ଯୋଗୁଁ ଯିଏ ଯେମିତି ପାରିଲା ସେ ବିଦ୍ୟାଳୟଟିଏ ସ୍ଥାପନ କରି ଚଳାଇଛନ୍ତି । ମଙ୍ଗଳବାର ଠାରୁ ସିବିଏସଇ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଗଜପତି ଜିଲ୍ଲା କାଶୀନଗର ସ୍ଥିତ ବେସରକାରୀ ସ୍ମାର୍ଟ ପବ୍ଲିକ ସ୍କୁଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି କାର୍ଯ୍ୟ ଯୋଗୁଁ ୫ଜଣ ଛାତ୍ରଛାତ୍ରୀ ଏଥିରୁ ବଞ୍ଚିତ ହେବା ଘଟଣା ଏବଂ ଚର୍ଚ୍ଚାର ବିଷୟ ହୋଇଛି । ପରୀକ୍ଷାରୁ ବଞ୍ଚିତ ଛାତ୍ର ଓ ତାଙ୍କ ଅଭିଭାବକ ଜିଲ୍ଲାପାଳଙ୍କୁ ଭେଟି ଏସଂପର୍କରେ ଅବିଯୋଗ କରିଛନ୍ତି । ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡିବ ଏବଂ ଯଦି କିଛି ତୃଟି ଥାଏ ତାହେଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । ଜଣେ ଛାତ୍ର କିମ୍ବା ଛାତ୍ରୀଙ୍କ ଜୀବନର ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ହେଉଛି ମାଟ୍ରିକ । ତେବେ ସ୍କୁଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି କାର୍ଯ୍ୟ ଯୋଗୁଁ ଜଣେ ପିଲା ସେହି ପରୀକ୍ଷାରୁ ବଞ୍ଚିତ ହେବା ନିଶ୍ଚିତ ଭାବେ ସେହି ପିଲା ଏବଂ ତାର ଅଭିଭାବକଙ୍କ ପାଇଁ ଏକ ଶକ୍ତ ଧକ୍କା । ପିଲାଙ୍କ ଭବିଷ୍ୟତର ପ୍ରଥମ ସୋପାନରେ ଏହି ମାଟ୍ରିକ ପରୀକ୍ଷା ଅଟେ ।
ଏଭଳି ଏକ ଘଟଣା ଗଜପତି ଜିଲ୍ଲା କାଶୀନଗରରୁ ଲୋକଲୋଚନକୁ ଆସିଛି । ଜଣେ ଛାତ୍ରୀ ଏବଂ ୪ଜଣ ଛାତ୍ର କାଶୀନଗର ସ୍ଥିତ ସ୍ମାର୍ଟ ପବ୍ଲିକ ସ୍କୁଲରେ ପଢୁଥିଲେ । ଚଳିତ ବର୍ଷ ସେମାନେ ମାଟ୍ରିକ ପରୀକ୍ଷା ଦେବା ପାଇଁ ଫର୍ମ ପୁରଣ କରିଥିଲେ । ହେଲେ ଆଜି ଠାରୁ ସିବିଏସଆଇ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହି ପିଲାମାନଙ୍କ ଆଡମିଟ କାର୍ଡ ନଆସିବାରୁ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ଏସଂପର୍କରେ ପରୀକ୍ଷାରୁ ବଞ୍ଚିତ ହୋଇଥିବା ପିଲା ଏବଂ ତାଙ୍କ ଅଭିଭାବକ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଭେଟି ଏହାର କାରଣ ପଚାରିବାରୁ ଆଧାର କାର୍ଡରେ ତୃଟି ଯୋଗୁଁ ଏଭଳି ହୋଇଥିବା କହିଥିଲେ । ହେଲେ ଏଥିରେ ସନ୍ତୁଷ୍ଟ ନହୋଇ ଜଣେ ଛାତ୍ର କେ.ଅଜୟ ଏବଂ ତାଙ୍କ ମା ଜ୍ୟୋତି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଙ୍କ କାର୍ଯ୍ୟାଳଯକୁ ଆସି ଅଭିଯୋଗ କରିଥିଲେ । ଏହାପରେ ଘଟଣା ପଦାକୁ ଆସିଥିଲା । ସ୍କୁଲ କର୍ତ୍ତୃପକ୍ଷ ଗତକାଲି ଯାଏଁ ଆଡମିଟ କାର୍ଡ ମିଳିବ ବୋଲି କହୁଥିବା ବେଳେ ସନ୍ଧ୍ୟାରେ ଏହା ମିଳିବ ନାହିଁ ବୋଲି କହିଥିବା ସେମାନେ ଅଭିଯୋଗ କରିବା ସହ ସେମାନଙ୍କୁ ପରୀକ୍ଷା ଦେବା ପାଇଁ ସୁଯୋଗ ଦେବାକୁ ନିବେଦନ କରିଛନ୍ତି । ନଚେତ ଜଣେ ଗୋଟିଏ ବର୍ଷ ନଷ୍ଟ ହୋଇଯିବ ବୋଲି ଉଭୟ ଛାତ୍ର ଏବଂ ତାଙ୍କ ମାଁ କହିଛନ୍ତି । କେବଳ ଏହି ଗୋଟିଏ ପିଲା ନୁହେଁ,ଏହି ସ୍କୁଲରେ ପଢୁଥିବା ୫ଜଣ ପିଲା ସମାନ ସ୍ଥିତିରେ ପଡିଥିବା ସେମାନେ କହିଛନ୍ତି । କେବଳ ସେତିକି ନୁହେଁ, ଏଭଳି କାମ କରିଥିବା ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି । ଛାତ୍ର ଓ ଅଭିଭାବକଙ୍କ ଏଭଳି ଅଭିଯୋଗ ସଂପର୍କରେ ଜାଣିବା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ବେଳେ ସ୍କୁଲର ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରାଯିବାରେ ସେ ଏହି ଘଟଣାକୁ ଚାଲାକର ସହ ଉଡାଇଦେବାକୁ ଚେଷ୍ଟା କରିଥିଲେ ।
ସେ କହିଥିଲେ ଯେ, ଆମ ସ୍କୁଲ କେବଳ ପ୍ରଥମରୁ ଅଷ୍ଟମ ଯାଏଁ ଆଫିଲେସନ ପାଇଛି । ତେଣୁ ଅଷ୍ଟମ ପରେ ପିଲାମାନେ ଅନ୍ୟ କେଉଁଠି ନାମ ଲେଖାଉଛନ୍ତି, କିନ୍ତୁ ଆମ ପାଖରେ ଟ୍ୟୁସନ ପଢୁଥିବା କହିବା ସହ ନିଜର ପ୍ରଚାର ପ୍ରସାର ପାଇଁ ପିଲାଙ୍କୁ ମାଟ୍ରିକର ପରିଚୟପତ୍ର ସ୍କୁଲ ପକ୍ଷରୁ ପ୍ରଦାନ କରାଯାଇଥିବା କହି ଖସିଯିବାକୁ ପ୍ରୟାସ କରିଛନ୍ତି । ତେବେ ଏହାର କିଛି ସମୟ ପରେ ସଂପୃକ୍ତ ଅଧ୍ୟକ୍ଷ ଅବିଭାବକ କେ.ଜ୍ୟୋତିଙ୍କ ନିକଟକୁ ଫୋନ କରି ତେଲୁଗୁ ଭାଷାରେ କଥା ହୋଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ଦ୍ବାରା ସ୍କୁଲ ଉପରେ ଏହାର ପ୍ରଭାବ ପଡିବ । ତେଣୁ ଜିଲ୍ଲାପାଙ୍କ କାର୍ଯ୍ୟାଳୟରୁ ଫେରିଆସିବାକୁ ଅନୁରୋଧ କରିଥିବା କଥା ମଧ୍ୟ ଜଣାପଡିଛି । ଅନ୍ୟପଟେ ଜିଲ୍ଲାରେ ଛତୁ ଫୁଟିବା ଭଳି ପବ୍ଲିକ ସ୍କୁଲ ଗଢି ଉଠୁଥିବା ବେଳେ ଏହାର ସଠିକ ଯାଞ୍ଚ ହେଉନାହିଁ । ନା ଜିଲ୍ଲା ପ୍ରଶାସନ ନା ଶିକ୍ଷା ବିଭାଗ ନା ସିବିଏସଇ କେହିହେଲେ ସଠିକ ଯାଞ୍ଚ କରୁନଥିବାରୁ ଛାତ୍ରଛାତ୍ରୀମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାର ତଦନ୍ତ କରାଯିବ ଏବଂ ଯିଏ ଦୋଷୀ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ଡ.ମାୟାଧର ସାହୁ।
