ସରକାରୀ ଏ:ଏନ:ଏମ: ସେଣ୍ଟର ରେ କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।
ଗଜପତି,୧୦.୨(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରକାରୀ ଏ:ଏନ:ଏମ: ସେଣ୍ଟର ପରିସରରେ ବିଶ୍ବ କର୍କଟ ଦିବସ ପାଳନ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସେଣ୍ଟର’ର ଛାତ୍ରୀ ମାନେ ପ୍ରଥମେ ଅତିଥି ମାନଙ୍କୁ ଚନ୍ଦନ ସିନ୍ଦୁର ସହ ପୁଷ୍ପ ପକାଇ ଅଭିନନ୍ଦନ ଜଣାଇ ସେଣ୍ଟର୍ ପରିସରକୁ ପାଛୋଟି ନେଇଥିଲେ ।ସରକାରୀ ଏ:ଏନ:ଏମ: ସେଣ୍ଟର’ର ଅଧ୍ୟକ୍ଷା ପ୍ରତିଭା କୁମାରୀ ନାୟକ’ଙ୍କ ଅଧ୍ୟକ୍ଷତାରେ ସମସ୍ତ ଅତିଥି ମାନଙ୍କୁ ପୁଷ୍ପ ଗୁଛ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ବ୍ରହ୍ମପୁର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ କର୍କଟ ରୋଗୀ ଡ:ଦେବାନନ୍ଦ ଦାଶ , ଭୁବନେଶ୍ୱର ସ୍ଥିତ ଉତ୍କଳ ହସପିଟାଲ ର କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଦିଲିପ କର , ଆୟୁର୍ବେଦ ବିଶାରଦ ଡାକ୍ତର ସୁରଜିତ ପାଣିଗ୍ରାହୀ , ମୁମ୍ବାଇ ସ୍ଥିତ ଜଗନ୍ନାଥ କ୍ୟାନସର ଏଡ ଫାଉଣ୍ଡେସନ ର ସମାଜସେବୀ କବିତା ମିଶ୍ର , ଗାୟତ୍ରୀ ମହାନ୍ତି , ଚିତ୍ତ ରଂଜନ ଦାଶ ,ପ୍ରୀତିରାୟ , ସୁଚିତ୍ରା ଦାଶ , କ୍ରାନ୍ତି ଅନୁଷ୍ଠାନର ନିର୍ମଳା ଦାଶ ଯୋଗ ଦେଇ ବିଶ୍ବ କର୍କଟ ଦିବସ ପାଳନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଡ: କର କର୍କଟ ରୋଗ ର କାରଣ ଓ ନିଦାନ ଉପରେ ଛାତ୍ରୀ ମାନଙ୍କୁ ବୁଝାଇ ଥିବା ବେଳେ ଡ: ଦାଶ ଜଣେ କର୍କଟ ରୋଗୀ ହୋଇଥିବା ଯୋଗୁଁ ସେ ତାଙ୍କରି କଷ୍ଟ ଆଉ ଯନ୍ତ୍ରଣା କୁ ଉପସ୍ଥାପିତ କରି ଉପସ୍ଥିତ ସମସ୍ତଙ୍କୁ କର୍କଟ ମୁକ୍ତ ଭାରତ ପାଇଁ ବଜ୍ର ଶପଥ କରାଇ ଥିଲେ।
ସମାଜସେବୀ କବିତା ମିଶ୍ର ତିରିଶି ବର୍ଷ ର ଅଭିଜ୍ଞତା କୁ ଆଧାର କରି କର୍କଟ ରୋଗ ଆଉ ରୋଗୀ ମାନଙ୍କର ଦୁଃଖ କଷ୍ଟ ର ଅନୁଭୂତିକୁ ଉପସ୍ଥାପନ କରିଥିଲେ।ଅନୁଷ୍ଠାନର ଅଧ୍ୟାପିକା ସଂଗୀତା ରାଣୀ ନନ୍ଦ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ତୃପ୍ତିମତି ଶତପଥୀ ଓ ଅଧ୍ୟାପକ ବଳରାମ ମହାକୁଡ଼ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
