ସମସ୍ୟାରେ ଥିବା ନଦୀ ବ୍ରିଜ୍ ଓ ନାଳ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ ।
ଗଜପତି,୧୮.୨(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ଥିବା ମହେନ୍ଦ୍ରତନୟା ନଦୀ ବ୍ରିଜ୍ ଓ ନାଳ ଅଞ୍ଚଳ ପରିଦର୍ଶନ କରି ନିରୀକ୍ଷଣ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ । ଆଜି ସନ୍ଧ୍ୟା ସମୟରେ ବିଧାୟକ ଶ୍ରୀ ପାଣିଗ୍ରାହୀ ପ୍ରଥମେ ସହରକୁ ଲାଗି ଥିବା ସୀମାନ୍ତ ପର୍ଯ୍ୟନ୍ତ ଯାଇ ନାଳ ପରିଦର୍ଶନ କରିଥିଲେ । ଏହି ନାଳରେ ସହରର ସମସ୍ତ ବ୍ୟବହୃତ ପାଣି ପ୍ରବାହିତ ହେଉଥିବା ବେଳେ ସୀମାନ୍ତରେ ଜମାଟ ବାନ୍ଧି ପୁତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ଏହାସହ ସୀମାନ୍ତର ଉଭୟ ପଟରେ ଥିବା ଚାଷ ଜମିରେ ଏହି ଆବର୍ଜନାମୟ ପାଣି ପଶି ନଷ୍ଟ ହେଉଛି । ତେଣୁ ଏହାର ସଠିକ୍ ଯୋଜନା କରାଯାଇ ଆବର୍ଜନା ଗୁଡିକୁ ନଷ୍ଟକରିବା ଏବଂ ସ୍ବଚ୍ଛ ପାଣିକୁ ଆନ୍ଧ୍ର ପଟକୁ ଛାଡିବା ପାଇଁ ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରିଥିଲେ । ପ୍ରକାଶ ଯେ ଏପରି ଦୂଷିତ ଜଳ ଆନ୍ଧ୍ର ସୀମାନ୍ତରେ ପଶୁଥିବା ଯୋଗୁଁ ଆନ୍ଧ୍ର ତାର ସ୍ଥାନରେ ବାଟ ଓଗାଳି ବନ୍ଦ କରିଦେଇଛି । ଫଳରେ ସହରର ଆବର୍ଜନା ପାଣି ସଠିକ୍ ଭାବେ ନିଷ୍କାସିତ ହୋଇପାରୁନାହିଁ । ସେହିପରି ବିଧାୟକ ସହରର ମହେନ୍ଦ୍ରତନୟା ନଦୀରେ ଏକ ନାଳ ମିଶାଯାଉଥିବା ସ୍ଥାନକୁ ପରିଦର୍ଶନ କରିଥିଲେ । ଏହି ନାଳଟି ପୁରୁଣାପାଟଣା ରାସ୍ତା ତଟ ଦେଇ ମହେନ୍ଦ୍ରତନୟାନଦୀରେ ମିଶ୍ରଣ ହେବ । ଫଳରେ ଆବର୍ଜନାପୂର୍ଣ୍ଣ ପାଣି ନଦୀଗର୍ଭରେ ପଶି ନଦୀର ଜଳରାଶିକୁ ଦୂଷିକ କରିବା ସମ୍ଭାବନା ଦେଇଖାଯାଇଛି । ଏହି ଖବର ପାଇ ବିଧାୟକ ସେହି ସ୍ଥାନକୁ ଯାଇ ପରିଦର୍ଶନ କରିଥିଲେ । ଯେପରି ନାଳପାଣି ନଦୀରେ ନମିଶିବ ଏବଂ ଏହାକୁ ଲାଗିଥିବା ବ୍ରିଜର ସୁରକ୍ଷାପ୍ରତି ଧ୍ୟାନ ଦେଇ କାର୍ଯ୍ୟକରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କହିଥିଲେ । ଏହାପରେ ବିଧାୟକ ମହେନ୍ଦ୍ରତନୟା ବ୍ରିଜ୍ ର ଭାଙ୍ଗିଥିବା ସ୍ଥାନର ପରିଦର୍ଶନ କରିଥିଲେ । ବ୍ରିଜିର କେତେକ ସ୍ଥାନରେ ସିମେଣ୍ଟ କଂକ୍ରିଟ ଛାଡି ଯାଇଥିବା ବେଳେ ଏହାର ଲୁହାଛଡ ଦିଶୁଛି । ଏହି ଲୁହା ଛଡ ବାଜିବା ଯୋଗୁଁ ଯାତାୟତକରୁଥିବା ଗାଡିମୋଟର କ୍ଷତିଗ୍ରସ୍ତ ହେଉଥିବା ବେଳେ ପଥଚାରୀଙ୍କୁ ବାଜି ଆଘାତପ୍ରାପ୍ତ ହେଉଛନ୍ତି । ତୁରନ୍ତ ଏହାକୁ ମରାମତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ ଶ୍ରୀ ପାଣିଗ୍ରାହୀ । ବିଧାୟକଙ୍କ ଏହି ଗସ୍ତ ବେଳେ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ, ପୂର୍ତ୍ତବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଅଭିଷେକ ସେଠୀ, ପୌରପରିଷଦ ଉପାଧ୍ୟକ୍ଷ ଲେଙ୍କାମଧୁ, ପୌର ନିର୍ବାହୀ ଅଧିକାରୀ ଲକ୍ଷ୍ମଣ କୁମାର ମୁର୍ମୁ ଙ୍କ ସମେତ ପୌର ଯନ୍ତ୍ରୀ ଉପସ୍ଥିତଥିଲେ ।
