ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ “ବିକଶିତ ଭାରତ ଯୁବ ସଂସଦ–୨୦୨୬” ଉଦ୍ଘାଟିତ ।ଗଜପତି,୧.୩(ମନୋଜ ପାଢ଼ୀ)- : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆଜି ମହାଆଡମ୍ବରରେ “ବିକଶିତ ଭାରତ ଯୁବ ସଂସଦ–୨୦୨୬” କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରାଧାକାନ୍ତ ଭୂୟାଁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଅଧିବେଶନରେ ମୁଖ୍ୟଅତିଥି ଭାବେ ଗଜପତି ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ଯୋଗଦେଇଥିଲେ। ମୁଖ୍ୟଅତିଥି ତାଙ୍କ ଅଭିଭାଷଣରେ ଯୁବସମାଜକୁ ସଚେତନ ନାଗରିକ ଭାବେ ଦେଶ ଓ ସମାଜ ପ୍ରତି କର୍ତ୍ତବ୍ୟ ସମ୍ପର୍କରେ ଅବଗତ କରାଇବା ସହ ଦେଶ ଗଠନରେ ଯୁବଶକ୍ତିର ମୂଲ୍ୟବାନ ଭୂମିକା ଉଲ୍ଲେଖ କରିଥିଲେ। ମହାବିଦ୍ୟାଳୟର ଆନ୍ତଃ ଗୁଣବତ୍ତା ଆଶ୍ୱାସନା ପ୍ରକୋଷ୍ଠର ନିର୍ଦ୍ଦେଶକ ଡ. ବିଘ୍ନେଶ୍ୱର ମିଶ୍ର ଯୁବ ସଂସଦର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ବିଦ୍ୟାଧର ସେଠୀ କାର୍ଯ୍ୟକ୍ରମର ପ୍ରାସଙ୍ଗିକତା ବିଷୟରେ ସୂଚନା ଦେଇଥିବାବେଳେ, ବାଣିଜ୍ୟ ବିଭାଗର ସହକାରୀ ପ୍ରଫେସର ଡ. ସୁମନ୍ତ ବେହେରା ଯୁବମାନଙ୍କୁ ଦେଶର ଘଟୁଥିବା ଘଟଣାବଳୀ ସମ୍ପର୍କରେ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ।
ଜିଲ୍ଲା ନୋଡାଲ ଅଫିସର ଡ. ସନ୍ନ୍ୟାସୀ ବେହେରା ଯୁବମାନଙ୍କର ଦେଶ ଗଠନରେ ଭୂମିକା ବିଷୟରେ ଅଭିଭାଷଣ ରଖିଥିଲେ।କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଅର୍ଥନୀତି ବିଭାଗର ସହକାରୀ ପ୍ରଫେସର ସନ୍ତୋଷୀ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ ଓ ପଦାର୍ଥ ବିଜ୍ଞାନର ବିଭାଗ ମୁଖ୍ୟ ଡ. ନିବେଦିତା ସାସମଲ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ପରେ “ଭାରତୀୟ ଲୋକତନ୍ତ୍ର ପାଇଁ ଜରୁରୀ କାଳୀନ ପରିସ୍ଥିତି ୫୦ ବର୍ଷ: ଶିକ୍ଷା ଓ ଅନୁଭବ” ବିଷୟରେ ବକ୍ତୃତା ପ୍ରତିଯୋଗିତା ଆରମ୍ଭ ହୋଇଥିଲା।ଦ୍ୱିତୀୟ ଅଧିବେଶନରେ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପିକା ଡ. କାନନବାଳା ପାତ୍ର ମଞ୍ଚ ପରିଚାଳନା କରିଥିଲେ। ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ୧୨୩ ଜଣ ଛାତ୍ରଛାତ୍ରୀ ଅନଲାଇନ୍ ପଞ୍ଜିକରଣ କରିଥିବାବେଳେ, ସେଥିରୁ ୫ ଜଣ କୃତି ପ୍ରତିଯୋଗୀ— ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନେହା ବେହେରା, ସେଞ୍ଚୁରୀୟାନ ବିଶ୍ୱବିଦ୍ୟାଳୟର ସମର୍ପଣ ଦାସ, ଶ୍ରଦ୍ଧାଞ୍ଜଳି ଦାସ, ଏ. ସରନ୍ୟା ଓ ଆରାଧନା ମିଶ୍ରଙ୍କୁ ଆଗାମୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି।ବିଚାରକ ଭାବେ ଡ. ରଞ୍ଜିତ ପତି, ଅରୂପାଞ୍ଜଳି ମହାନ୍ତି, ଡ. ସନ୍ନ୍ୟାସୀ ବେହେରା, ସୁବ୍ରତ ଚୌଧୁରୀ ଓ ସୁରେନ୍ଦ୍ର ପାତ୍ର ଉପସ୍ଥିତ ଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସକ୍ରିୟ ସହଭାଗିତାରେ କାର୍ଯ୍ୟକ୍ରମଟି ସଫଳତାର ସହିତ ସମାପ୍ତ ହୋଇଥିଲା।ପରିଶେଷରେ ଶେଷରେ ଅର୍ଥନୀତି ବିଭାଗ ମୁଖ୍ୟ ଡ. ପ୍ରିୟବ୍ରତ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।
