ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରେ “ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ” ପାଳିତ

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରେ “ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ” ପାଳିତ

*ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରେ “ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ” ପାଳିତ*

ଗଜପତି,୧୧.୩(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଓଡ଼ିଆ ଭାଷାର ଗୌରବମୟ ପରମ୍ପରାକୁ ସ୍ମରଣ କରି “ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ–୨୦୨୬” ଉପଲକ୍ଷେ ଏକ ଭାବଗମ୍ଭୀର ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଏବଂ ଆନ୍ତଃ ଗୁଣବତ୍ତା ଆଶ୍ୱାସନ ପ୍ରକୋଷ୍ଠ (ଆଇ.କ୍ୟୁ.ଏ.ସି.)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଏକଦିବସୀୟ କାର୍ଯ୍ୟକ୍ରମ ଶାସ୍ତ୍ରୀୟ ଚେତନା ଓ ସାହିତ୍ୟିକ ମନୋଭାବରେ ଉଜ୍ଜ୍ୱଳ ହୋଇଉଠିଥିଲା।କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରାଧାକାନ୍ତ ଭୂୟାଁ ସଭାପତିତ୍ୱ ଗ୍ରହଣ କରି ଓଡ଼ିଆ ଭାଷାର ପ୍ରାଚୀନତା, ସାହିତ୍ୟ ସମୃଦ୍ଧି ଓ ଏହାର ଶାସ୍ତ୍ରୀୟ ମାନ୍ୟତାର ଗୌରବ ସମ୍ପର୍କରେ ଗଭୀର ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଆନ୍ତଃ ଗୁଣବତ୍ତା ଆଶ୍ୱାସନ ପ୍ରକୋଷ୍ଠର ସଂଯୋଜକ ଡ଼. ବିଘ୍ନେଶ୍ୱର ମିଶ୍ର ଉପସ୍ଥିତ ରହି ଶାସ୍ତ୍ରୀୟ ଓଡ଼ିଆ ଭାଷା କ୍ଷେତ୍ରରେ ଶିକ୍ଷାନୁକୂଳ ଓ ଗବେଷଣାମୂଳକ ଆଲୋଚନାର ଆବଶ୍ୟକତା ଉପରେ ସୁଚିନ୍ତିତ ମତ ପ୍ରକାଶ କରିଥିଲେ।ଏହି ଅବସରରେ ବାଣିଜ୍ୟ ବିଭାଗର ସହକାରୀ ପ୍ରଫେସର ଡ଼. ସୁମନ୍ତ କୁମାର ବେହେରା, ଅର୍ଥନୀତି ବିଭାଗ ମୁଖ୍ୟ ଡ଼. ପ୍ରିୟବ୍ରତ ଶତପଥୀ, ରାସାୟନିକ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ଼. ଗଣେଶ୍ୱର ସାହୁ ଏବଂ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସହକାରୀ ପ୍ରଫେସର ଡ଼. ଚାରୁପ୍ରଭା ନାୟକ ଓଡ଼ିଆ ଭାଷାର ଐତିହ୍ୟ, ଏହାର ସାହିତ୍ୟିକ ସମୃଦ୍ଧି ଓ ସାମକାଳୀନ ପ୍ରସଙ୍ଗିକତା ବିଷୟରେ ନିଜ ମତବ୍ୟକ୍ତ କରିଥିଲେ।ଓଡ଼ିଆ ବିଭାଗର ମୁଖ୍ୟ ସହକାରୀ ପ୍ରଫେସର ଡ଼. ବିପ୍ଳବ ରଞ୍ଜନ ପ୍ରଧାନ ସ୍ୱାଗତ ଅଭିଭାଷଣ ପ୍ରଦାନ ସହ ପାଠଚକ୍ରର ସମନ୍ୱୟ ଦାୟିତ୍ୱ ସୁଚାରୁ ଭାବେ ପାଳନ କରିଥିଲେ। ଓଡ଼ିଆ ବିଭାଗର ଛାତ୍ରୀ ସ୍ନେହା ବେହେରା କାର୍ଯ୍ୟକ୍ରମର ସଂଚାଳନା କରିଥିଲେ।

ସଭା ଆରମ୍ଭରେ ଲିସା ରାଣୀ ପାଢୀଙ୍କ ଦ୍ୱାରା ପରିବେଷିତ ଭାବମୟ ସ୍ୱାଗତ ସଙ୍ଗୀତ ସମଗ୍ର ପରିବେଶକୁ ସାହିତ୍ୟିକ ଓ ସାଂସ୍କୃତିକ ରସରେ ଭରିଦେଇଥିଲା।ପରବର୍ତ୍ତୀ ଅଧିବେଶନରେ ଓଡ଼ିଆ ବିଭାଗର ଛାତ୍ର ବିଶ୍ୱଜୀତ ମହାପାତ୍ର ଓ ଛାତ୍ରୀ ସ୍ନେହା ବେହେରା ପ୍ରବନ୍ଧ ପାଠ କରିଥିବା ବେଳେ ଛାତ୍ରୀ ଗାୟତ୍ରୀ ପଟ୍ଟନାୟକଙ୍କ କବିତା ପାଠ ଉପସ୍ଥିତ ଶ୍ରୋତାମଣ୍ଡଳୀଙ୍କୁ ଆକର୍ଷିତ କରିଥିଲା।ଓଡ଼ିଆ ବିଭାଗର ଅଧ୍ୟାପକ ଅର୍ଜୁନ ଜେନା ଓ ରାମକୃଷ୍ଣ ପଟ୍ଟନାୟକ ସହ ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ–ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ଏକ ସଫଳ ଓ ଶିକ୍ଷଣୀୟ ଆୟୋଜନ ଭାବେ ସମ୍ପନ୍ନ ହୋଇଥିଲା।ଶେଷରେ ଓଡ଼ିଆ ବିଭାଗର ଅଧ୍ୟାପକ ଅର୍ଜୁନ ଜେନା ଧନ୍ୟବାଦ ଅର୍ପଣ କରି ସମସ୍ତ ଅତିଥି, ଆୟୋଜକ ଓ ଅଂଶଗ୍ରହୀମାନଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ। ଶାସ୍ତ୍ରୀୟ ଓ ସାହିତ୍ୟିକ ମନୋଭାବରେ ଭରିଥିବା ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ମନରେ ଓଡ଼ିଆ ଭାଷା ପ୍ରତି ଗୌରବ ଓ ଆଦରର ଭାବନାକୁ ଆହୁରି ସୁଦୃଢ଼ କରିଦେଇଥିଲା।