ଲାଇଲାଇରେ ପିଇବା ପାଣିର ସଙ୍କଟ….. ଲୋକେ 2 କିମି ପାଦ ଚଲାରେ ଯାଇ ଏକ ନାଳରୁ ସଂଗ୍ରହ କରୁଛନ୍ତି ପାଣି ।ଗଜପତି, 22/3(ମନୋଜ ପାଢ଼ୀ):ଗଜପତି ଜିଲ୍ଲାରେ ଖରାଦିନ ଆରମ୍ଭରୁ ପିଇବା ପାଣିର ଘୋର ଅଭାବ ପରିଲକ୍ଷିତ ହୋଇଛି । ଏପରିକି ଅନେକ ଜାଗାରେ ପିଇବା ପାଣି ସଂଗ୍ରହ କରିବା ପାଇଁ ଲୋକେ ବହୁ ଦୁଃଖ ଯନ୍ତ୍ରଣା ପାଉଛନ୍ତି । ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ଲାଇଲାଇ ଗାଁରେ ଜଳ ସଙ୍କଟ ଦେଖାଦେଇଛି । ଲୋକେ ପିଇବା ପାଣି ପାଇଁ 2 କିମି ଦୂରରେ ଥିବା ଏକ ନାଳରୁ ପିଇବା ପାଣି ସଂଗ୍ରହ କରି ଆଣୁଥିବା ଲକ୍ଷ୍ୟ କରାଯାଇଛି । ଏହି ଗ୍ରାମବାସୀମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧିଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି, ଲାଇଲାଇ ଗ୍ରାମରେ 1 ହଜାରରୁ ଉର୍ଦ୍ଧ ଗ୍ରାମବାସୀ ବସବାସ କରୁଛନ୍ତି । ଏହି ଗ୍ରାମରେ 3 ଗୋଟି ନଳକୂଅ ରହିଛି । ହେଲେ ସେଥିରୁ ନିର୍ଗତ ହେଉଥିବା ପାଣିକୁ କେହି ବ୍ୟବହାର କରିପାରୁନାହାନ୍ତି ।
ତେଣୁ ଲୋକେ ଗାଁ ଠାରୁ 2 କିମି ଦୂରରେ ରହିଥିବା ଏକ ପାହାଡିଆ ନାଳରୁ ପିଇବା ପାଣି ସଂଗ୍ରହ କରି ଆଣୁଛନ୍ତି. ଏହି ପାଣି ହିଁ ସେମାନଙ୍କ ପିଇବା, ରୋଷେଇ ସମେତ ନିତ୍ୟ ବ୍ୟବହାର କରାଯାଉଛି । ଏହି ନାଳ ପାଣି ବ୍ୟବହାର ଦ୍ୱାରା ବେଳେବେଳେ ଏହି ଗ୍ରାମବାସୀମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ପ୍ରକାଶ କରି କହିଛନ୍ତି ପ୍ରଶାସନ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଲାଇଲାଇ ଗ୍ରାମରେ ପାଣିର ସୁବ୍ୟବସ୍ଥା କରନ୍ତୁ । ଘଟଣା ନେଇ ଆମ ପ୍ରତିନିଧି ଗଜପତି ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀଙ୍କୁ ମୋବାଇଲ ଦ୍ୱାରା ଯୋଗାଯୋଗ କରିଥିଲେ । ହେଲେ ଆଜି ରବିବାର ଥିବା ଯୋଗୁଁ ସେ କୌଣସି ଉତ୍ତର ଦେଇପାରିନାହାନ୍ତି ।
