ଲକ୍ଷ୍ମୀପୁରରେ ୩୩ କେଭି ବିଦ୍ୟୁତ ତାର ଛୁଇଁ ୪୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ,
ବିଦ୍ୟୁତ ବିଭାଗକୁ ଦାୟୀ କଲେ ଗ୍ରାମବାସୀ
ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ବଡଶଙ୍ଖା ଗାଁରେ ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ୪୫ ବର୍ଷୀୟା ମହିଳା ଜୀବନ ହାରିଛନ୍ତି। ମୃତକ ହେଲେ ଚିଲି ଶଙ୍ଖା ଗାଁର ସରସ୍ୱତୀ ପ୍ରେପେକା।ବୁଧବାର ସନ୍ଧ୍ୟାରେ ମଇଁଷି ଖୋଜିବାକୁ ଯାଇ ସେ ନିଖୋଜ ହୋଇଥିଲେ। ପରିବାର ଲୋକେ ଗତକାଲିଠାରୁ ତାଙ୍କୁ ଖୋଜୁଥିବା ବେଳେ, ଆଜି ଅପରାହ୍ନରେ ୩୩ କେଭି ତାର ଯାଇଥିବା ଏକ ବୁଦା ମୂଳରୁ ସମ୍ପୂର୍ଣ୍ଣ ଦଗ୍ଧ ଅବସ୍ଥାରେ ସରସ୍ୱତୀଙ୍କ ଶରୀର ମିଳିଥିଲା।ଘଟଣାସ୍ଥଳକୁ ଲକ୍ଷ୍ମୀପୁର ପୋଲିସ ପହଞ୍ଚିଥିବା ବେଳେ ଉତ୍ୟକ୍ତ ଗ୍ରାମବାସୀ ଏହି ମୃତ୍ୟୁ ପାଇଁ ବିଦ୍ୟୁତ ବିଭାଗକୁ ସିଧାସଳଖ ଦାୟୀ କରିଛନ୍ତି। ଏହା ପୂର୍ବରୁ ସେହି ସ୍ଥାନରେ ଜଣେ ମହିଳା ଅଳ୍ପକେ ରକ୍ଷା ପାଇଥିବା ସହ ଦୁଇଟି ଗାଈ ବିଦ୍ୟୁତାଘାତରେ ମୃତ୍ୟୁବରଣ କରିଥିଲେ। ତଥାପି ବିଦ୍ୟୁତ ତାର ସଜାଡ଼ା ହୋଇନଥିବା ଅଭିଯୋଗ ରହିଛି।ଗ୍ରାମବାସୀମାନେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ପରିବାରକୁ ଉଚିତ କ୍ଷତିପୂରଣ ଦାବି କରିଛନ୍ତି।
