ରାୟଗଡ଼ାର ୩ ସ୍ଥାନରେ ମାଓ ବ୍ୟାନର ଠାବ, ପୁଲିସର କଡ଼ା ତଦନ୍ତ ଆରମ୍ଭ
ରାୟଗଡ଼ା/କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲାର ତିନୋଟି ସ୍ଥାନରେ ଶୁକ୍ରବାର ମାଓ ବ୍ୟାନର ଦେଖିବାକୁ ମିଳିବା ପରେ ପୁଲିସ ଓ ସିଆରପିଏଫ୍ ଯବାନଙ୍କ ପକ୍ଷରୁ କମ୍ବିଂ ଓ ତଲାସି ଅଭିଯାନ କଡ଼ାକଡ଼ି କରାଯାଇଛି। କଲ୍ୟାଣସିଂହପୁର ବ୍ଲକ୍ ସହିତ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରୁ ବ୍ୟାନର ଜବତ ହୋଇଛି।ରାୟଗଡ଼ା ବ୍ଲକ୍ ଶେଷଖାଲ ଥାନା ଅନ୍ତର୍ଗତ ଧୁମାଗୁଡ଼ା, କଲ୍ୟାଣସିଂହପୁର ବ୍ଲକ୍ ବୁଡ଼ାଗୁଡ଼ା ପଞ୍ଚାୟତର କୁମାରଗୁଡ଼ା ଛକ ଓ କୋଲନରା ବ୍ଲକ୍ ପାଇକପଡ଼ା ଶିବମନ୍ଦିର ସମ୍ମୁଖରେ ବ୍ୟାନର ଲାଗିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ।ବ୍ୟାନରରେ ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ପୂର୍ବ ମାଓ ନେତା ସବ୍ୟସାଚୀ, ଆଜାଦ, ଉଦୟ ଓ ନିଖିଲଙ୍କୁ ଟାର୍ଗେଟ୍ କରାଯାଇଥିବା ଉଲ୍ଲେଖ ରହିଛି।
ଏହି ନେତାମାନେ ଆଦିବାସୀ ନହେଲେ ମଧ୍ୟ ଆଦିବାସୀଙ୍କୁ ଆଗରେ ରଖି ଅତ୍ୟାଚାର କରୁଥିଲେ ବୋଲି ପୋଷ୍ଟରରେ ଦାବି କରାଯାଇଛି।ଫେବ୍ରୁଆରି ୫ରେ ବଂଶଧାରା–ଘୁମୁସର–ନାଗାବଳୀ (ବାଘୁନା) ଡିଭିଜନର ମାଓ ନେତା ନିଖିଲ ପତ୍ନୀ ଇନ୍ଦୁ ସହ ୧୫ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ପରେ ଜିଲ୍ଲାରେ ମାଓ କାର୍ଯ୍ୟକଳାପ ଦୁର୍ବଳ ହୋଇଥିବା ପୁଲିସ ଅନୁମାନ କରୁଥିଲା। କିନ୍ତୁ ନୂତନ ଭାବେ ବ୍ୟାନର ମିଳିବା ଘଟଣା ପୁଲିସ ପାଇଁ ଚିନ୍ତା ବଢ଼ାଇଛି।ବ୍ୟାନରରେ କେବିକେ ଡିଭିଜନ୍ ନାମରେ ରାଜ୍ୟ ସଂପାଦକ ମେଘ ଜାନି ଓ ଡମ୍ବାଇ ମାଝୀଙ୍କ ଚେତାବନୀ ଥିବା ଉଲ୍ଲେଖ ରହିଛି। ତେବେ ରାୟଗଡ଼ା କିମ୍ବା ଆସପାସ ଅଞ୍ଚଳରେ ଏହି ନାମରେ କୌଣସି ସକ୍ରିୟ ମାଓ ସଂଗଠନ ରେକର୍ଡ ନଥିବାରୁ ପୁଲିସ ବ୍ୟାନରକୁ ସନ୍ଦେହଜନକ ବୋଲି କହିଛି।ସାମ୍ବାଦିକ ସମ୍ମିଳନୀରେ ରାୟଗଡ଼ା ଅତିରିକ୍ତ ଏସ୍ପି ଅମୂଲ୍ୟ ଧର କହିଛନ୍ତି, ଘଟଣାକୁ ନେଇ ତଦନ୍ତ ଚାଲିଛି ଓ ୩ଟି ଥାନାରେ ମାମଲା ରୁଜୁ ହୋଇଛି।
ନକଲି ବ୍ୟାନର ଲଗାଇ ବିଭ୍ରାନ୍ତ ସୃଷ୍ଟି କରାଯାଇଥିବା ପ୍ରମାଣ ମିଳିଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ପୁଲିସ ସାଧାରଣ ଲୋକଙ୍କୁ ଭୟଭୀତ ନ ହେବାକୁ ଅନୁରୋଧ କରିଛି।
