ରାୟଗଡ଼ାର ୟେଦୁ ସାହିରେ ଅଘଟଣ, ଭୋଗିରେ ବାଣ ଫୁଟି ୪ ଗୁରୁତର
ରାୟଗଡ଼ା(ଅମୁଲ୍ୟ ନିଶଙ୍କ ): ମକର ପୂର୍ବରୁ ‘ଭୋଗି’ ବେଳେ ରାୟଗଡ଼ା ସହର ୟେଦୁ ସାହିରେ ଅଘଟଣ। ଭୋଗି ପୋଡ଼ି ଉତ୍ସବ ପାଳନ ବେଳେ ୪ ଯୁବକ ଗୁରୁତର। ନିଆଁରେ ବାଣ ପକାଇବାରୁ ବିସ୍ଫୋରଣ ହୋଇଥିବା ଜଣାପଡିଛି। ତେବେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଗୁରୁତରଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ଆହତମାନେ ହେଲେ ବି. ବରନି, ଭି. ଯୋଗି, କିଶୋର ଦୋରା ଓ ବାବଲି ରେଡ୍ଡୀ। ସୂଚନା ମୁତାବକ, ଆଜି ପବିତ୍ର ମକର ସଂକ୍ରାନ୍ତି। ମକର ସଂକ୍ରାନ୍ତି ପୂର୍ବ ଦିନ ରାତିରେ ତେଲୁଗୁ ସମ୍ପ୍ରଦାୟ ପାଳନ କରନ୍ତି ଭୋଗି। ବିଳମ୍ବିତ ରାତିରେ କାଠରେ ନିଆଁ ଲଗାଇ ଭୋଗି ପାଳନ କରାଯାଏ। ତେବେ ଗତକାଲି ରାତିରେ ଭୋଗି ପାଳନ ବେଳେ ସାହିର ଯୁବକ ଯୁବତୀମାନେ ମିଳିତ ଭାବେ ଭୋଗି ପାଳନ କରିବା ବେଳେ ବାଣ ଫୁଟାଇ ଥିଲେ। ରାତି ପ୍ରାୟ ୩ ଟା ସମୟରେ ଅସାବଧାନତା ଯୋଗୁଁ ବଳକା ସମସ୍ତ ବାଣ ଭୋଗି ନିଆଁ ଭିତରେ ପକାଯାଇଥିଲା। ଫଳରେ ବିସ୍ଫୋରଣ ଘଟି ୪ଜଣ ଗୁରୁତର ଆହତ ହୋଇଥିଲେ।
ସମସ୍ତଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ପହଞ୍ଚିଛି। ବିସ୍ଫୋରଣ ଏତେ ଅଧିକ ରହିଥିଲା ଯେ, ପାଖରେ ଥିବା ଘର ଏବଂ ଏକ ଅଟୋ ରିକ୍ସା କ୍ଷତିଗ୍ରସ୍ତ ହୋଇଛି। ତୁରନ୍ତ ସମସ୍ତ ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ଉଚ୍ଚ ଚିକିତ୍ସା ପାଇଁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ତଥାପି ସେମାନଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆଜି ସକାଳୁ ତଦନ୍ତ କରିଛି। ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
