ରାସ୍ତା ନଥିବାରୁ ସରକାରୀ ଯୋଜନା ଅପହଞ୍ଚ ତାମସିଂ ।

ରାସ୍ତା ନଥିବାରୁ ସରକାରୀ ଯୋଜନା ଅପହଞ୍ଚ ତାମସିଂ ।

ରାସ୍ତା ନଥିବାରୁ ସରକାରୀ ଯୋଜନା ଅପହଞ୍ଚ ତାମସିଂ ।

ଗଜପତି,୨୧.୧(ମନୋଜ ପାଢ଼ୀ):- ଗ୍ରାମାଞ୍ଚଳରେ ଯୋଗାଯୋଗକୁ ସୁଗମ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ପକ୍କାରାସ୍ତା ନିର୍ମାଣ ହେଉଛି। ହେଲେ ଆଜି ବି ଏଭଳି ଅନେକ ଦୁର୍ଗମ ଅଞ୍ଚଳ ଅଛି, ଯେଉଁଠି ପକ୍କାରାସ୍ତା ଲୋକଙ୍କ ପାଇଁ ସାତସପନ ପାଲଟିଛି। ରାସ୍ତା ନଥିବାରୁ ସ୍ବାସ୍ଥ୍ୟ, ଶିକ୍ଷା ଓ ବିଦ୍ୟୁତ୍‌ଠୁ ଆରମ୍ଭ କରି ବିଭିନ୍ନ ମୌଳିକ ସୁବିଧାରୁ ସେମାନେ ବଞ୍ଚିତ ହୋଇ ରହୁଛନ୍ତି।ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତରଙ୍ଗଡ଼ା ପଞ୍ଚାୟତର ତାମସିଂ ଗ୍ରାମ ହେଉଛି ଏହାର ଏକ ଜ୍ଵଳନ୍ତ ଉଦାହରଣ। ରାସ୍ତାଟିଏ ନଥିବାରୁ ଏହି ଗ୍ରାମକୁ ଆଜି ବି ଅନେକ ସରକାରୀ ଯୋଜନା ଅପହଞ୍ଚ ହୋଇ ରହିଛି। ଦୟନୀୟ ଅବସ୍ଥାରେ ତାମସିଂ ଗ୍ରାମବାସୀ ଜୀବନ ବିତାଉଛନ୍ତି। ନା’ସରକାରୀ ଯୋଜନାର ସମସ୍ତ ସୁଫଳ ପାଉଛନ୍ତି ନା’ ବିକାଶକୁ ନିଜ ଆଖିରେ ଦେଖିପାରୁଛନ୍ତି। ତାମସିଂ, ପାଙ୍ଗୁଡ଼ ଓ ତଳତାମସିଂ ଗ୍ରାମକୁ ଗମନାଗମନ ପାଇଁ ଏକମାତ୍ର ରାସ୍ତା ଆମ୍ବାଜରୀ ଠାରୁ ତାସମିଂ ରାସ୍ତା ।

ମୁଖ୍ୟରାସ୍ତା ଠାରୁ ୮ କିମି. ଘାଟିରାସ୍ତା ଅତିକ୍ରମ କଲେ ପହଞ୍ଚି ହୁଏ ତାମସିଂ ଗ୍ରାମରେ ୬୦ରୁ ଅଧିକ ଆଦିବାସୀ ପରିବାର ରହୁଛନ୍ତି। ଜନସଂଖ୍ୟା କହିଲେ ୩୦୦ରୁ ଅଧିକ ଭଲ ରାସ୍ତାଟିଏ ନଥିବାରୁ ଗାଁରେ ସମସ୍ତ ସରକାରୀ ସୁବିଧା ପହଞ୍ଚିବା କଷ୍ଟକର ହୋଇପଡ଼ିଛି। ଆମ୍ବୁଲାନ୍ସ ଯିବା ତ ଦୂରର କଥା, ରୋଗୀଙ୍କୁ ଓ ଗର୍ଭବତୀଙ୍କୁ ଭାରରେ ବୋହି ନେବାକୁ ପଡୁଛି।

ଏତେ ଦୂର ଘାଟି ପାହାଡ଼ ରାସ୍ତା ଡେଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ସରକାରଙ୍କ ଯୋଗାଣ ସାମଗ୍ରୀ, ବାଦ୍ଧକ୍ୟଭତ୍ତା ଓ ଭିନ୍ନକ୍ଷମ ଭତ୍ତା ଆଣିବା ଅତ୍ୟନ୍ତ କଷ୍ଟସାଧ୍ୟ ବୋଲି ସଙ୍ଗୀତା ଭୂୟାଁ ଓ ଯୁକେବାନ ମଣ୍ଡଳ କହନ୍ତି । ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତ, ତଥା ବ୍ଳକ ଓ ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଗ୍ରାମବାସୀ | ସେହିପରି ଜଙ୍ଗଲ ଘାଟି ପାହାଡ଼ରେ ୮ କିମି. ରାସ୍ତା ଅତିକ୍ରମ କରି ପ୍ରତିଦିନ ୨୫ରୁ ଅଧିକ ଛାତ୍ରଛାତ୍ରୀ ସ୍କୁଲକୁ ଯାଇଥା’ନ୍ତି। କିନ୍ତୁ ବର୍ଷା ହେଲେ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଏ ।

ଅତି ବିପଦପୂର୍ଣ୍ଣ ଭାବରେ ଜୀବନକୁ ବାଜିରେ ଲଗାଇ ଲୋକେ ଯାତାୟାତ କରିଥା’ନ୍ତି । ରାସ୍ତା ନିର୍ମାଣ ପାଇଁ ବହୁବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କୌଣସି ସୁଫଳ ମିଳୁ ନଥିବା ଗ୍ରାମବାସୀ କହିଛନ୍ତି ।