*”ରାଜସ୍ବ ଗ୍ରାମ ଘୋଷଣାରୁ ବଞ୍ଚିତ ନାଗପଡ଼ା : ସରକାରୀ ଅବହେଳାର ଶିକାର ଗ୍ରାମବାସୀ, ଭୋଟ ବର୍ଜନର ଚେତାବନୀ।”*
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେମଣ୍ଡା ପଞ୍ଚାୟତର ନାଗପଡ଼ା ଗ୍ରାମ ଦୀର୍ଘ ଦିନ ଧରି ରାଜସ୍ବ ଗ୍ରାମ ଭାବେ ଘୋଷଣା ପାଇଁ ଦାବି କରୁଥିଲେ ମଧ୍ୟ, ସରକାରୀ ପ୍ରଶାସନର ଅନାଗ୍ରହ ଓ ଅବହେଳା ଯୋଗୁଁ ଆଜି ପର୍ଯ୍ୟନ୍ତ ସେହି ଦାବି ପୂରଣ ହୋଇପାରିନାହିଁ। ନାଗପଡ଼ା ଗ୍ରାମରେ ମୋଟ ୫୪୫ ଜଣ ଭୋଟର ଥିବା ସତ୍ତ୍ୱେ ଏହାକୁ ଆଜି ମଧ୍ୟ ରାଜସ୍ବ ଗ୍ରାମ ମର୍ଯ୍ୟାଦା ମିଳିନଥିବା ଘଟଣା ସରକାରୀ ବ୍ୟବସ୍ଥାର ଗୁରୁତର ବିଫଳତାକୁ ପ୍ରକାଶ କରୁଛି। ନାଗପଡ଼ାର ମୂଳ ଗ୍ରାମ ରେମଣ୍ଡା ହେଲେ ମଧ୍ୟ, ରେମଣ୍ଡା ଗ୍ରାମ ନାଗପଡ଼ାରୁ ୪–୫ କିମି ଦୂରେ ଅବସ୍ଥିତ ଥିବାରୁ ଗ୍ରାମବାସୀମାନେ ପ୍ରାୟ ସମସ୍ତ ସରକାରୀ ଯୋଜନା, ସୁବିଧା ଓ ସେବାରୁ ବଞ୍ଚିତ ହୋଇଆସୁଛନ୍ତି। ରାସ୍ତା, ପାଣି, ଆବାସ, ପେନସନ, ରାସନ, ଉନ୍ନୟନ ଯୋଜନା ଭଳି ମୌଳିକ ସୁବିଧାରେ ନାଗପଡ଼ା ଗ୍ରାମ ଆଜି ମଧ୍ୟ ପ୍ରଶାସନୀୟ ଅନ୍ୟାୟର ଶିକାର ହେଉଛନ୍ତି । ଦୀର୍ଘ ବର୍ଷ ଧରି ଦାବି, ଆବେଦନ ଓ ଅନୁରୋଧ ସତ୍ତ୍ୱେ ସରକାର ଯଦିଓ ସଂପୂର୍ଣ୍ଣ ନିରବ ଭୂମିକା ନେଇଆସୁଛନ୍ତି, ତାହା ଲୋକତନ୍ତ୍ର ପ୍ରତି ଗଭୀର ଅସମ୍ମାନର ପ୍ରତୀକ।ଏହି ପରିସ୍ଥିତିରେ ଗ୍ରାମବାସୀ ଏକତ୍ରିତ ହୋଇ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନାଗପଡ଼ାକୁ ରାଜସ୍ବ ଗ୍ରାମ ଭାବେ ଘୋଷଣା କରିବାକୁ ସରକାରଙ୍କୁ ଅଲଟିମେଟମ୍ ଦେଇଛନ୍ତି। ଯଦି ଦାବି ପୂରଣ ହେଉନାହିଁ, ତେବେ ସମ୍ପୂର୍ଣ୍ଣ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ସରକାର ଓ ପ୍ରଶାସନକୁ ସ୍ପଷ୍ଟ ଚେତାବନୀ ଦେଇଛନ୍ତି। ଏହା କେବଳ ଏକ ଗ୍ରାମର ଦାବି ନୁହେଁ,ଏହା ଅଧିକାରର ଲଢ଼ାଇ, ନ୍ୟାୟର ଆନ୍ଦୋଳନ ଓ ଗ୍ରାମୀଣ ଲୋକତନ୍ତ୍ରର ସ୍ୱର।
