ରାଉରକେଲାରେ ଅନ୍ତର୍ରାଜ୍ୟ ଲଟେରି ରାକେଟ୍ ଧରାପଡ଼ିଲା, ୨୫ ଲକ୍ଷରୁ ଅଧିକ ଟଙ୍କା ଜବତ
ରାଉରକେଲା: ନାଗାଲାଣ୍ଡ ଓ ସିକିମ୍ର ଲଟେରି ନାମରେ ରାଉରକେଲାରେ ଦୀର୍ଘ ବର୍ଷ ଧରି ଚାଲିଥିବା ଏକ ବୃହତ୍ ଅନ୍ତର୍ରାଜ୍ୟ ଲଟେରି ରାକେଟ୍କୁ ଠାବ କରିଛି ରାଉରକେଲା ପୁଲିସ। ସ୍ମାର୍ଟସିଟି ଅଞ୍ଚଳର ଛୋଟ ଛୋଟ ଦୋକାନ ଓ ବିଭିନ୍ନ ସ୍ଥାନରେ ଟେବୁଲ ପକାଇ “୬ ଟଙ୍କାରେ ଲଟେରି କିଣନ୍ତୁ, ଲକ୍ଷପତି ହୁଅନ୍ତୁ” ଭଳି ଲୋଭନୀୟ ଅଫର ଦେଇ ବ୍ୟାପକ ଭାବେ ବେପାର ଚାଲୁଥିଲା।ଏହି ରାକେଟ୍ର କିଙ୍ଗପିନ୍ ଭାବେ ବିହାରର ରୋହତାସ୍ ଜିଲ୍ଲାର ମୂଳନିବାସୀ ତଥା ବର୍ତ୍ତମାନ ରାଉରକେଲା ମେନ୍ରୋଡ୍ ଅଞ୍ଚଳରେ ରହୁଥିବା ସଞ୍ଜୟ ସାହୁ (୫୧)ଙ୍କୁ ପୁଲିସ ଗିରଫ କରିଛି।
ତାଙ୍କ ସହ ୩ ଜଣ ସହଯୋଗୀ—ପଶ୍ଚିମବଙ୍ଗର ଖୀରପାଇ ମୂଳନିବାସୀ ରଜେଶ କୁଣ୍ଡୁ (୫୦), କଟକ ରାଣୀଗୋଲାର ଟୁକୁନା ମଲ୍ଲିକ (୪୮) ଓ ଝିରପାଣି ଅଞ୍ଚଳର ଉତ୍ତମ ଘୋଷ (୬୬)ଙ୍କୁ ମଧ୍ୟ ଗିରଫ କରାଯାଇଛି। ଉତ୍ତମ ଘୋଷ ସଞ୍ଜୟଙ୍କ ଘନିଷ୍ଠ ସହଯୋଗୀ ଥିବାବେଳେ ଅନ୍ୟ ଦୁଇ ଜଣ ଏଜେଣ୍ଟ ଭାବେ କାମ କରୁଥିଲେ।ପୁଲିସ ଚଢ଼ାଉ ସମୟରେ ଅଭିଯୁକ୍ତମାନଙ୍କ ନିକଟରୁ ନଗଦ ୨୫ ଲକ୍ଷ ୩୭ ହଜାର ୨୬୦ ଟଙ୍କା, ୮ଟି ମୋବାଇଲ୍ ଫୋନ୍, ୫ଟି ଖାତା, ଗୋଟିଏ କମ୍ପ୍ୟୁଟର ଓ ଗୋଟିଏ ପ୍ରିଣ୍ଟର ଜବତ କରାଯାଇଛି।
ସମସ୍ତ ଅଭିଯୁକ୍ତଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଥିବା ରାଉରକେଲା ଏସ୍ପି ନୀତେଶ ୱାଧୱାନୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
