ଯୁବତୀ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ

ଯୁବତୀ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ

ଯୁବତୀ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ

ଗଜପତି,(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଖଞ୍ଜାସାହି ନୂଆବସ୍ତି ଅଞ୍ଚଳରେ ଜଣେ ଯୁବତୀ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସୂଚନା ପ୍ରକାରେ ଆଜି ସକାଳ 10ରୁ 10.30 ସମୟରେ ଖଞ୍ଜାସାହି ନୂଆବସ୍ତିର ବାସିନ୍ଦା ବିଷ୍ଣୁଚରଣ ସାମଲଙ୍କ ଉପର ମହଲା ଘରୁ ଧୂଆଁ ବାହାରିଥିଲା । ସେତେବେଳେ ହିଁ ବିଷ୍ଣୁଚରଣ ଏବଂ ତାଙ୍କ ପତ୍ନି କାମରେ ବାହାରକୁ ଯାଇଥିଲେ । ଧୂଆଁ ବାହାରୁଥିବା ଦେଖି ମଝି ମହଲା କୋଠାରେ ଭଡା ସୂତ୍ରରେ ରହୁଥିବା ବ୍ୟକ୍ତି ଜଣକ ସଙ୍ଗେ ସଙ୍ଗେ ବିଷ୍ଣୁଚରଣଙ୍କୁ ଖବର ଦେଇଥିଲେ । ଏହାପରେ ନିକଟରେ ଥିବା ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ୍ ଟିମ୍ ତୁରନ୍ତ ପହଞ୍ଚି ଧୂଆଁବାହାରୁ ଥିବା କୋଠରୀକୁ ଖୋଲି ଯାଇଥିଲେ ମଧ୍ୟ ବିଷ୍ଣୁଚରଣଙ୍କ ସାନ ଝିଅ ସୁଭ୍ରା ସାମଲ (24) ସେତେବେଳକୁ ତଳେ ପଡି ମୃତ୍ୟୁବରଣ କରିଥିବାର ଦେଖିବାକୁ ପାଇଥିଲେ । ଏହାପରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଥିଲେ । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ଗଣମାଧ୍ୟମକୁ ଜଣାଇଛନ୍ତି ଯେ ପାରିପାର୍ଶିକ ସ୍ଥିତି ଦେଖିଲେ କୌଣସି ହିସାଂ ଘଟିନଥିବାର ଜଣାପଡୁଥିବା ବେଳେ ସୁଭ୍ରାଙ୍କ ମୃତ ଶରୀର ନିକଟରେ ପେଟ୍ରୋଲ କିମ୍ବା ଟାର୍ପଲିନ୍ କିଛି ଜଳିୟ ପଦାର୍ଥ ବୋତଲ ଓ ଦିଆସିଲି ପଡିଛି । ତେଣୁ ଘଟଣାର ପ୍ରଥମିକ ତଦନ୍ତରେ ଏହା ଏକ ଆତ୍ମହତ୍ୟା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ସାଇଣ୍ଟିଫିକ୍ ଟିମ୍ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ 2/26ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଥିବାର ଥାନା ଅଧିକାରୀ ଶ୍ରୀ ଭୂପତି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ମୃତ ସୁଭ୍ରା ସାମଲ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟରେ ପୋଷ୍ଟ ଗ୍ରାଜୁଏଟ୍ ପାସ୍ ଆଉଟ୍ ଛାତ୍ରୀ ଅଟନ୍ତି ।

ଆସନ୍ତା କାଲି ପାସ୍ ଆଉଟ୍ ଉତ୍ସବ ହୋଇଥାନ୍ତା ବୋଲି ଜଣାପଡିଛି । ଏନେଇ ତାଙ୍କ ପରିବାର ଲୋକେ ସୁଭ୍ରାଙ୍କ ଏପରି ମୃତ୍ୟୁକୁ ସହଜେ ଗ୍ରହଣ କରିପାରୁନାହାନ୍ତି । ଘରେ କୌଣସି କଳି କିମ୍ବା ମତାନ୍ତର ନଥିଲା ବୋଲି ତାଙ୍କ ପରିବାର ବର୍ଗ କହିଛନ୍ତି । ଏପରି କ୍ଷେତ୍ରରେ ସୁଭ୍ରା କାହିଁକି ଚରମପନ୍ଥା ଅବଲମ୍ବନ କଲେ ତାହା ସଭିଏଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।