ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗରେ ଯନ୍ତ୍ରୀଙ୍କ ମରୁଡି, ଉନ୍ନୟନ କାର୍ଯ୍ୟ ପ୍ରଭାବିତ

ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗରେ ଯନ୍ତ୍ରୀଙ୍କ ମରୁଡି, ଉନ୍ନୟନ କାର୍ଯ୍ୟ ପ୍ରଭାବିତ

ଆର,ଉଦୟଗିରି (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲା ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ ଡିଭିଜନରେ ବହୁଦିନ ହେଲା ବିଭିନ୍ନ ଯନ୍ତ୍ରୀଙ୍କ ପଦବି ଖାଲି ପଡ଼ିଛି। କର୍ମଚାରୀ ନ ଥିବା ଯୋଗୁଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଭାବେ ପ୍ରଭାବିତ ହୋଇଛି । ମୋହନା, ଆର୍.ଉଦୟଗିରି ଓ ନୂଆଗଡ଼ ଗ୍ରାମ୍ୟ ଉନ୍ନୟନ ସବ୍‌ଡିଭିଜନକୁ ନେଇ ମୋହନା ଡିଭିଜନ ଗଠିତ ହୋଇଛି. ଏହି ଡିଭିଜନରେ ୩ ଜଣ ସହକାରୀ ନିର୍ବାହୀଯନ୍ତ୍ରୀ, ୬ ଜଣ କନିଷ୍ଠଯନ୍ତ୍ରୀ ନିଯୁକ୍ତି ହେବାର ବ୍ୟବସ୍ଥା ରହିଛି। ସେଥିରୁ ମୋହନା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟରେ ଜଣେ ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ସହ ଦୁଇଜଣ କନିଷ୍ଠଯନ୍ତ୍ରୀ ନିଯୁକ୍ତି ହେବା କଥା କିନ୍ତୁ ଏଠାରେ ଜଣେ ସହକାରୀ ନିର୍ବାହୀଯନ୍ତ୍ରୀ ଓ ଜଣେ କନିଷ୍ଠଯନ୍ତ୍ରୀ ଅଛନ୍ତି। ମୋହନାରେ କନିଷ୍ଠଯନ୍ତ୍ରୀଙ୍କ ପଦବି ଖାଲି ପଡିଛି । ସେହିପରି ଗତ ୬ ମାସ ହେଲା ଚନ୍ଦ୍ରଗିରି ଗ୍ରାମ୍ୟ ଉନ୍ନୟନ ସବ୍‌ଡିଭିଜନ ଉଠିଯାଇଥିବା ବେଳେ ଏବେ କାର୍ଯ୍ୟାଳୟଟି ଭୂତକୋଠି ପାଲଟିଛି. ଆର.ଉଦୟଗିରି ସବ୍‌ଡିଭିଜନ୍ କାର୍ଯ୍ୟାଳୟରେ ଜଣେ ସହକାରୀ ନିର୍ବାହୀଯନ୍ତ୍ରୀ ଓ ୨ ଜଣ କନିଷ୍ଠଯନ୍ତ୍ରୀ ବଦଳେ ଏବେ କେବଳ ଜଣେ କନିଷ୍ଠଯନ୍ତ୍ରୀଙ୍କ ଦ୍ବାରା କାର୍ଯ୍ୟାଳୟ ଚାଲିଛି । ଏଠାରେ ମଧ୍ୟ ବହୁଦିନ ହେଲା ଜଣେ ସହକାରୀ ନିର୍ବାହୀଯନ୍ତ୍ରୀ ଓ ଜଣେ କନିଷ୍ଠଯନ୍ତ୍ରୀ ପଦବି ଖାଲି ପଡ଼ିଛି। ସେହିପରି ନୂତନ ଭାବେ ଗଠିତ ନୂଆଗଡ ସବ୍‌ଡ଼ିଭିଜନ ପାଇଁ ଏପର୍ଯ୍ୟନ୍ତ କାର୍ଯ୍ୟାଳୟ ନିର୍ମାଣ ହୋଇନାହିଁ। ଆର,ଉଦୟଗିରି କାର୍ଯ୍ୟାଳୟରେ ଏହାର ସମସ୍ତ କାର୍ଯ୍ୟ ଚାଲିଛି। ଏଠାରେ ମଧ୍ୟ ଜଣେ ସହକାରୀ ନିର୍ବାହୀଯନ୍ତ୍ରୀ ଓ ୨ ଜଣ କନିଷ୍ଠଯନ୍ତ୍ରୀ ନିଯୁକ୍ତି ହେବା କଥା। କିନ୍ତୁ ଏବେ କେବଳ ଜଣେ କନିଷ୍ଠଯନ୍ତ୍ରୀ ନିଯୁକ୍ତ ଅଛନ୍ତି। ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଗୋଟିଏ କନିଷ୍ଠଯନ୍ତ୍ରୀ ପଦ ଖାଲି ପଡ଼ିଛି। ମୋହନା ଆର୍‌ଡି ଡିଭିଜନ୍ ଏକ ବଡ଼ ଡିଭିଜନ୍ ହୋଇଥିବା ବେଳେ ଏହା ଅଧୀନରେ ମୋହନା, ଆର୍.ଉଦୟଗିରି ଓ ନୂଆଗଡ଼ ବ୍ଳକ୍ ରହିଛି। ଭୌଗୋଳିକ ଦୃଷ୍ଟିରୁ ତିନୋଟି ଯାକ ବ୍ଲକ୍ ଅଧିକାଂଶ ଦୁର୍ଗମ ଅଞ୍ଚଳ । ଅନେକ ଗାଁକୁ ଏବେ ବି ରାସ୍ତା ନିର୍ମାଣ ହୋଇପାରିନି। ଯେଉଁଠି ରାସ୍ତା ନିର୍ମାଣ ହୋଇଛି ତାହାବି ଖରାପ ହୋଇଗଲାଣି। ଏଭଳି ସ୍ଥିତିରେ କର୍ମଚାରୀ ଅଭାବ ଯୋଗୁଁ ଏହି ଡିଭିଜନ୍ ସ୍ଥାଣୁ ପାଲଟିଛି । ଏହାକୁ ଗୁରୁତ୍ୱ ଦେଇ ସରକାର ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରି ଆବଶ୍ୟକ ଯନ୍ତ୍ରୀମାନଙ୍କୁ ନିଯୁକ୍ତି ଦେବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି ହୋଇଛି ।

Leave a Reply

Your email address will not be published. Required fields are marked *