ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ନିକଟସ୍ଥ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଚାଲିଛି। ପାଞ୍ଚ ଦିନ ପୂର୍ବରୁ ଡାକ୍ତର ଜୟ କୁମାର ପଣ୍ଡାଙ୍କ ବଦଳିକୁ ନେଇ ସମୂହ ଆଶା କର୍ମୀମାନେ ତାଙ୍କ ସରକାରୀ ବାସଭବନ ସମ୍ମୁଖରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ଏହାସହ ସ୍ୱାସ୍ଥ୍ୟ କର୍ମଚାରୀମାନେ ଛୁଟିରେ ଯିବାକୁ ଚେତାବନୀ ଦେଇଥିବାରୁ ଚାପରେ ପଡି ଉପରିସ୍ଥ ଅଧିକାରୀମାନେ ତୁରନ୍ତ ଡ଼ଃ ପଣ୍ଡାଙ୍କ ବଦଳି କରାଇଥିବା ସୂଚନା ମିଳିଛି।
ଏହାସହ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ବିଭୁ ପ୍ରସାଦ କର ଓ ବିଏଏମ ବସନ୍ତ କୁମାର ସରକାରୀ କାର୍ଯ୍ୟାଳୟ ଟେବୁଲ ଉପରେ ମଦ ଓ ମାଂସ ରଖି ପାନ କରୁଥିବା ଭିଡିଓ ଭାଇରାଲ ହେବା ଡ଼ଃ ପଣ୍ଡାଙ୍କ ବଦଳିର ମୂଳ କାରଣ ବୋଲି ଚର୍ଚ୍ଚା ହେଉଛି। ଡ଼ଃ ପଣ୍ଡା ଏହି ଘଟଣା ବିଷୟରେ ଜାଣି ଉଭୟ କର୍ମଚାରୀଙ୍କୁ ତାଗିଦ କରିଥିବା କୁହାଯାଉଛି। ତାପରେ ସେମାନେ ତାଙ୍କ ବିରୋଧରେ ଷଡଯନ୍ତ୍ର କରି ଉଦ୍ଦେଶ୍ୟମୂଳକ ଭାବେ ବିଶୃଙ୍ଖଳା ସୃଷ୍ଟି କରିଥିବା ଅଭିଯୋଗ ଉଠିଛି।ଅନ୍ୟପକ୍ଷରେ ସରକାରୀ କାର୍ଯ୍ୟାଳୟ ପରିସରରେ ମଦ୍ୟପାନ କରୁଥିବା କର୍ମଚାରୀଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ଦ୍ୱାରା କଠୋର କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।
ଏନେଇ ପୂର୍ବତନ ଅଧିକାରୀଙ୍କ କହିବା ଅନୁଯାୟୀ, ଭାଇରାଲ ଭିଡିଓଟି ପ୍ରାୟ ଛଅ ମାସ ପୁରୁଣା ଓ ସେ ଦାୟିତ୍ୱରେ ଥିବା ସମୟରେ ଏହା ତାଙ୍କ ନଜରକୁ ଆସିଥିଲା।
ପରେ ତଦନ୍ତ ପାଇଁ ତତ୍କାଳୀନ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣାଇ ରିପୋର୍ଟ ଦାଖଲ କରାଯାଇଥିଲା ଓ କର୍ମଚାରୀମାନଙ୍କୁ ତାଗିଦ ମଧ୍ୟ କରାଯାଇଥିଲା।ଏହି ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ସାନ୍ତୁନୁ କୁମାର ପାଢୀ କହିଛନ୍ତି ଯେ, ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଧେଶକୁ ମଧ୍ୟ କେତେକ କର୍ମଚାରୀ ମାନୁନାହାନ୍ତି। ଏନେଇ ବିଭାଗକୁ ଅବଗତ କରାଯିବ ଓ ବିଭାଗ ଯେଉଁ ନିଷ୍ପତ୍ତି ନେବ ସେହିଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ।
