ମା ନାକିଟିଭବାନୀଙ୍କ ଠାକୁରାଣୀ ଯାତ୍ରା

ମା ନାକିଟିଭବାନୀଙ୍କ ଠାକୁରାଣୀ ଯାତ୍ରା

ମା ନାକିଟିଭବାନୀଙ୍କ ଠାକୁରାଣୀ ଯାତ୍ରା

ଗଜପତି,୨୭.୩(ମନୋଜ ପାଢ଼ୀ):- ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ଯାଜପୁର ଗ୍ରାମରେ ମହା ଆଡ଼ମ୍ବରରେ ଆରମ୍ଭ ହୋଇଛି ମା ନାକିଟିଭବାନୀଙ୍କ ଠାକୁରାଣୀ ଯାତ୍ରା | ଚଳିତମାସ ୨୩ ତାରିଖରୁ ମହା ଆଡମ୍ବର ଓ ଭକ୍ତିମୟ ପରିବେଶରେ ଆରମ୍ଭ ହୋଇଥିବା ଏହି ଯାତ୍ରା ଆସନ୍ତା ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ଏହି ଅନୁଷ୍ଠିତ ହେବ। ଆଜି ପଞ୍ଚମ ରଜନୀରେ ମାଙ୍କ ଘଟ ପରିକ୍ରମା କରାଯାଇଥିଲା । ଏଥିଲାଗି ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ପ୍ରତିଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଛି। ବହୁ ଚଳଚ୍ଚିତ୍ର ତାରକାଙ୍କ ସମେତ କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଓ ଟି. ସୈରିଙ୍କ ସଙ୍ଗୀତରେ ଦର୍ଶକ ଝୁମିଥ‌ିବା ବେଳେ ଚତୁର୍ଥ ରଜନୀ ପୌରାଣିକ ନାଟକ ରଘୁ ଅରକ୍ଷିତ ମଞ୍ଚସ୍ଥ ହୋଇଥିଲା। ପ୍ରଥମ ଦିବସରେ ତଥା ସୋମବାର ମଧ୍ୟରାତ୍ରିରେ ଗାଁର ଗ୍ରାମଦେବୀ ନାକିଟିଭବାନୀଙ୍କୁ ଆତସବାଜି, ଓ ପଟୁଆର ସହ ଆବାହନ କରି ଆଣିବା ପରେ ଗ୍ରାମ ମଧ୍ଯରେ ନିର୍ମିତ ଅସ୍ଥାୟୀ ମନ୍ଦିରରେ ସ୍ଥାପନ କରାଯାଇଥିଲା | ଅନ୍ୟ ପକ୍ଷରେ ଗତକାଲି ପବିତ୍ର ଚୈତ୍ର ମାସ ଚାଲୁ ରହିଥିବାରୁ ଉତ୍ସାହ ଦୁଗୁଣିତ ହୋଇଯାଇଛି । ସୂଚନା ପ୍ରକାରେ ପ୍ରତି ୫ବର୍ଷ ରେ ଅନୁଷ୍ଠିତ ହେଉଥିବା ଏହି ଯାତ୍ରାରେ ବହୁ ସଂଖ୍ୟାରେ ଲୋକେ ଯୋଗ ଦେଇଥାନ୍ତି । ସେହିପରି ଗ୍ରାମର ପ୍ରତିଟି ଘରରେ କୁଣିଆ, ବନ୍ଧୁବାନ୍ଧବ ଦୂରଦୂରାନ୍ତରେ ରହୁଥିଲେ ମଧ୍ୟ ଏହି ଯାତ୍ରାରେ ଯୋଗ ଦେଇଛନ୍ତି। ଚଳିତ ବର୍ଷ ଆଖ ପାଖ ଗାଁ ସମେତ ପାରଳାଖେମୁଣ୍ଡି ସହର ସମେତ ସୁଦୂର ହାଇଦ୍ରାବାଦ, ଚେନ୍ନାଇ, ମହାରାଷ୍ଟ୍ର ଆଦି ସ୍ଥାନରୁ ଲୋକେ ମାଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି । ମା ନାକିଟି ଭବାନୀଙ୍କ ଏହି ଯାତ୍ରା ଅବସରରେ ସମଗ୍ର ଗ୍ରାମରେ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିବା ବେଳେ ପୌରାଣିକ କିମ୍ବଦନ୍ତୀକୁ ନେଇ ବିଭିନ୍ନ ତୋରଣ ତଥା କଳାକୁଞ୍ଜ ଲୋକଙ୍କୁ ଆକର୍ଷିତ କରୁଛି।