ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ଏନକାଉଣ୍ଟର: ୩ ନକ୍ସଲ ନିହତ, ଜଣେ ଯବାନ ସହିଦ
ମାଲକାନଗିରି (ଇନଫର୍ମେସନ୍ ମିଡିଆ): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଆବୁଝମାଡ଼ ଜଙ୍ଗଲରେ ପୁଣି ଏକ ଏନକାଉଣ୍ଟର ଘଟିଛି। ଏହି ଗୁଳିବିନିମୟରେ ୩ ଜଣ ନକ୍ସଲ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି ଏବଂ ଆଉ ଜଣେ ଯବାନ ଆହତ ହୋଇଛନ୍ତି।ବିଶେଷ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଆବୁଝମାଡ଼ ଜଙ୍ଗଲରେ ନକ୍ସଲମାନେ କ୍ୟାମ୍ପ କରି ରହିଥିବା ସୂଚନା ପାଇ ବିଜାପୁର ଜିଲ୍ଲା ପୁଲିସ, ଡିଆରଜି ଓ ସିଆରପିଏଫ ଯବାନମାନେ ଯୁକ୍ତ ଅଭିଯାନ ଆରମ୍ଭ କରିଥିଲେ। ଆଜି ସକାଳୁ ପୁଲିସ ଓ ନକ୍ସଲମାନଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇ ଦିନ ଦ୍ବୀପହର ପର୍ଯ୍ୟନ୍ତ ଚାଲିଥିଲା। ପରେ ଜଙ୍ଗଲରେ ସର୍ଚ୍ଚ ଅପେରସନ ସମୟରେ ୩ ଜଣ ମାଓବାଦୀଙ୍କ ମୃତଦେହ ଜବତ ହୋଇଥିଲା, ଯାହାମଧ୍ୟରୁ ଜଣେ ମହିଳା ନକ୍ସଲ ରହିଛନ୍ତି।ଏହି ଗୁଳିବିନିମୟରେ ସହିଦ ଯବାନଙ୍କ ନାମ ଦୀପକ ଚିନ୍ନା ମାଡ଼ବି ବୋଲି ଜଣାପଡ଼ିଛି। ଆହତ ଯବାନ ଯୋଗା ମାଡ଼ବିଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିହତ ନକ୍ସଲମାନଙ୍କ ପରିଚୟ ଚିହ୍ନଟ କାମ ଚାଲିଛି। ଯବାନମାନେ ଅଭିଯାନରୁ ଫେରିବା ପରେ ହିଁ ସଠିକ ତଥ୍ୟ ମିଳିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
