ମହେନ୍ଦ୍ରଗିରି ଶିଖର କୁନ୍ତି ମନ୍ଦିରରୁ ଗଜପତି ଉତ୍ସବ-୨୦୨୫ ଶୁଭାରମ୍ଭ

ମହେନ୍ଦ୍ରଗିରି ଶିଖର କୁନ୍ତି ମନ୍ଦିରରୁ ଗଜପତି ଉତ୍ସବ-୨୦୨୫ ଶୁଭାରମ୍ଭ

ମହେନ୍ଦ୍ରଗିରି ଶିଖର କୁନ୍ତି ମନ୍ଦିରରୁ ଗଜପତି ଉତ୍ସବ-୨୦୨୫ ଶୁଭାରମ୍ଭ

ଗଜପତି, ୭.୧.(ମନୋଜ ପାଢ଼ୀ)ଗଜପତି ଜିଲ୍ଲା ରୁ ପୁରାଣ ବର୍ଣ୍ଣିତ ପବିତ୍ର ମହେନ୍ଦ୍ରଗିରି ଶିଖର ସ୍ଥିତ କୁନ୍ତି ମନ୍ଦିରରୁ ଗଜପତି ଉତ୍ସବ ପାଳନ ପାଇଁ ଆଜି ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଆଜି ସକାଳୁ ସକାଳୁ ଗଜପତି ମହୋତ୍ସବ ମଶାଲ କମିଟି ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରୁ ରାୟଗଡ ବ୍ଲକ ସ୍ଥିତ ମହେନ୍ଦ୍ରଗିରିକୁ ଯାତ୍ରା କରିଥିଲେ । ମହେନ୍ଦ୍ରଗିରି ଶିଖରରେ ପହଞ୍ଚିବା ପରେ କୁନ୍ତି ମନ୍ଦିର ତଥା ଗୋକର୍ଣ୍ଣେଶ୍ବର ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ମଶାଲ ପ୍ରଜ୍ବଳନ କରାଯାଇଥିଲା । ସେଠାରୁ ମଶାଲ ଶୋଭାଯାତ୍ରା ବାହାରିବା ପରେ କଇଁପୁର, ଜିରାଙ୍ଗ, ମଣ୍ଡଳ ସାହି, ରାମଗିରି, ଛେଳିଗଡ, ଆର୍.ଉଦୟଗିରି, ଖଜୁରୀପଦା, ରାୟଗଡ଼ ଏବଂ ମାଛମରା ଦେଇ ପାରଳାଖେମୁଣ୍ଡି ବିଜୁ କଲ୍ୟାଣ ମଣ୍ଡପ ନିକଟରେ ମଶାଲ ପହଞ୍ଚିଥିଲା । ଭାରପ୍ରାପ୍ତ ଜିଲ୍ଲାପାଳ ମୁନୀନ୍ଦ୍ର ହୋନନାଗାଙ୍କ ନେତୃତ୍ବରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପୃଥ୍ଵୀରାଜ ମଣ୍ଡଳ, ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଅନୁପ ପଣ୍ଡା, ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ପ୍ରମୁଖଙ୍କ ଉପସ୍ଥିତିରେ ମହୋତ୍ସବର ମଶାଲକୁ ସ୍ୱାଗତ କରିଥିଲେ । ଗଜପତି ଉତ୍ସବ ମଶାଲକୁ ବିଜୁ କଲ୍ୟାଣ ମଣ୍ଡପ ପହଞ୍ଚିବା ପରେ ଜିଲ୍ଲାସ୍ତରୀୟ ଉତ୍ସବ କମିଟି ପକ୍ଷରୁ ସ୍ୱାଗତ କରାଯାଇ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ନଗରପରିକ୍ରମା କରି ଜଗନ୍ନାଥ ମନ୍ଦିରର ନିକଟକୁ ଅଣାଯାଇଥିଲା । ମଶାଲଟିକୁ ଜିଲ୍ଲାସ୍ତରୀୟ ଉତ୍ସବ ପର୍ଯ୍ୟନ୍ତ ମନ୍ଦିରରେ ରଖାଯିବ ଏବଂ ଉତ୍ସବର ପ୍ରଥମ ଦିନ ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାସ୍ତରୀୟ ଉତ୍ସବ ପଡ଼ିଆକୁ ନେବାର ସ୍ଥିର କରାଯାଇଛି ।

ଜଗନ୍ନାଥ ମନ୍ଦିରରେ ମଶାଲ ପହଞ୍ଚିବା ପରେ ସେଠାରୁ ଗୁମ୍ମା ଓ କାଶୀନଗର ବ୍ଲକ ମଶାଲା ଶୋଭାଯାତ୍ରାକୁ ଭବ୍ୟ ସ୍ବାଗତ କରିବା ସହ ନିଜ ନିଜ ବ୍ଲକ ସ୍ତରୀୟ ଉତ୍ସବ ସକାଶେ ମୂଖ୍ୟ ମଶାଲ ଦ୍ବାରା ବ୍ଲକ ସ୍ତରୀୟ ଉତ୍ସବ ମଶାଲକୁ ପ୍ରଜ୍ବଳିତ କରି ନେଇଥିଲେ । ଏହି ମଶାଲ ଶୋଭାଯାତ୍ରାରେ ସମସ୍ତ ମଶାଲ କମିଟି ଗଜପତି ଉତ୍ସବ ମଶାଲ ମହେନ୍ଦ୍ରଗିରି ଶିଖରର ମାତା କୁନ୍ତୀ ମନ୍ଦିରରୁ ମଶାଲ ଟିକୁ ଆଣିଥିଲେ। ଜିଲ୍ଲାର ସମସ୍ତ ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀ ଓ ଜନପ୍ରତିନିଧି ମାନଙ୍କ ଉପସ୍ଥିତିରେ ଗଜପତି ଉତ୍ସବ ମଶାଲକୁ ଭବ୍ୟ ସ୍ବାଗତ କରିଥିଲେ । ମୋହନା, ଆର.ଉଦୟଗିରି, ନୂଆଗଡ, ରାୟଗଡ, ଗୋଷାଣି ବ୍ଲକ ପାରଳାଖେମୁଣ୍ଡି ପହଞ୍ଚିବା ପୂର୍ବରୁ ସେମାନଙ୍କ ସୀମାରେ ଜିଲ୍ଲା ସ୍ତରୀୟ ଉତ୍ସବ ମଶାଲକୁ ସ୍ବଗତ କରିବା ସହ ନିଜ ନିଜ ବ୍ଲକ ଉତ୍ସବ ପାଇଁ ବ୍ଲକ ସ୍ତରୀୟ ମଶାଲ ପ୍ରଜ୍ବଳନ କରି ମହା ଆଡମ୍ବରରେ ନିଜ ନିଜ ବ୍ଲକ ଅଭିମୁଖେ ପଟୁଆରରେ ନେଇଥିଲେ । ଆଜିର ଏହି ମଶାଲ ଶୋଭାଯାତ୍ରାରେ ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରା, ପାରଳାଖେମୁଣ୍ଡି ପୌରପରିଷଦ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ କୁମାର ମୁର୍ମୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ବରିଷ୍ଠ ନାଗରିକ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ରଘୁନାଥ ପାତ୍ରଙ୍କ ସମେତ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଗଣ ମଶାଲ ଶୋଭାଯାତ୍ରା ଯୋଗଦେଇଥିଲ ।

ଜିଲ୍ଲାର କଳା ଓ ସଂସ୍କୃତିକୁ ଉତ୍ସବ ମାଧ୍ୟମରେ ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରଚାର ଓ ପ୍ରସାର କରାଯିବା ସହିତ ଗଜପତି ଉତ୍ସବ ଓ ପଲ୍ଲୀଶ୍ରୀ ମେଳା ୧୮ତାରିଖ ଠାରୁ ୨୨ତାରିଖ ପର୍ଯ୍ୟନ୍ତ ଗଜପତି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ମସାଲ ଶୋଭାଯାତ୍ର ଗଜପତି ଉତ୍ସବ ପାଳନର ପ୍ରଥମ ଚରଣ ଅଟେ । ଏହାର ବ୍ୟାପକ ପ୍ରଚାର ପ୍ରସାର ସକାଶେ ଗଜପତି ଉତ୍ସବ ପ୍ରଚାର ପ୍ରସାର କମିଟି ଗଠନ ହେବା ପରେ ପ୍ରଥମ ଥର ପାଇଁ ମଶାଲ କମିଟି ସହ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇଙ୍କ ନେତୃତ୍ବରେ ଗ୍ରସ୍ତ କରିଥିବାର ଜଣାଯାଇଛି । ଆଜିର ଏହି ମଶାଲ ଶୋଭାଯାତ୍ରାରେ ସ୍ଥାନୀୟ ଜନତାଙ୍କ ସମେତ, ମହିଳା ସ୍ବୟଂସହାୟକ ଗୋଷ୍ଠୀ ଓ ବିଭିନ୍ନ ବର୍ଗର ଲୋକେ ଯୋଗଦେଇ ଉତ୍ସାହିତ ହୋଇଥିଲେ ।