ମହେନ୍ଦ୍ରଗିରିରେ ଟ୍ରାକ୍ଟର ଓଲଟି ଜଣେ ମୃତ. ଚାଳକ ଗୁରୁତର ।
ଗଜପତି,୫.୪(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ଗାରାବନ୍ଧ ଥାନାର ରାୟଗଡ ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗିରିରେ ଏକ ପାଣି ଟ୍ୟାଙ୍କର ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଜଣକର ମୃତ୍ୟୁ ଘଟିଥିବା ବେଳେ ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇଥିବାର ଜଣାପଡିଛି । ସୂଚନା ପ୍ରକାରେ ମହେନ୍ଦ୍ରଗିରିରେ ଥିବା ବନବିଭାଗର ପର୍ଯ୍ୟଟକଙ୍କ ରହଣିସ୍ଥଳ ତଥା କଟେଜ୍ କୁ ପାଣି ଯୋଗାଇବା ପାଇଁ ନିୟୋଜିତ ଏକ ଟ୍ରାକ୍ଟର ଟ୍ୟାଙ୍କ ଯୋଗେ ପାଣି ନେଇଯାଉଥିଲା । ହେଲେ କୌଣସି କାରଣରୁ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଚାଳକ ମାଡବା ଗ୍ରାମର ରବୀନ୍ଦ୍ର ଧାଙ୍ଗଡା ଭୂୟାଁ (20) ଗୁରୁତ ଭାବେ ଆହତ ହୋଇଥିବା ବେଳେ ଟ୍ରାକ୍ଟର ଇଞ୍ଜିନ ତଥା ଟ୍ରାକ୍ଟର ଚାଳକଙ୍କ ପାର୍ଶ୍ବରେ ବସିଥିବା ତେରଣି ଗ୍ରାମର ସନ୍ୟାସୀ ଭୂୟାଁ (19)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାର ଜଣାପଡିଛି । ତେବେ ମୃତ ସନ୍ୟାସୀ ହେଲ୍ପର ଭାବେ କାମ କରୁଥିବା ବେଳେ ଚାଳକ ରବୀନ୍ଦ୍ରଙ୍କ ବେପରୁଆ ଟ୍ରାକ୍ଟର ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବାର ସନ୍ୟାସୀଙ୍କ ପରିବାର ଲୋକେ ଗାରାବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
