ମହିଳା ହକି ଇଣ୍ଡିଆ ଲିଗ୍: ଏସ୍ଜି ପାଇପର୍ସ ଚ୍ୟାମ୍ପିଅନ୍
ରାଞ୍ଚି: ମହିଳା ହକି ଇଣ୍ଡିଆ ଲିଗ୍ର ଦ୍ଵିତୀୟ ସଂସ୍କରଣରେ ଏସ୍ଜି ପାଇପର୍ସ ଚ୍ୟାମ୍ପିଅନ୍ ହୋଇଛି। ରୋମାଞ୍ଚକର ଫାଇନାଲ୍ରେ ପାଇପର୍ସ ୩-୨ (୨-୧) ସୁଟ୍ଆଉଟ୍ରେ ଶ୍ରାଚୀ ବେଙ୍ଗଲ ଟାଇଗର୍ସକୁ ପରାସ୍ତ କରି ଟାଇଟଲ୍ ହାସଲ କରିଛି।ମ୍ୟାଚ୍ର ପ୍ରଥମ କ୍ୱାର୍ଟର ଗୋଲ୍ଶୂନ୍ୟରେ ଶେଷ ହୋଇଥିଲା। ଦ୍ୱିତୀୟ କ୍ୱାର୍ଟରର ପ୍ରଥମ ମିନିଟ୍ରେ ସୁଶୀଳା ଚାନୁଙ୍କ ଚମତ୍କାର ପାସ୍କୁ ଲାଲ୍ରେମ୍ସିଆମି (୧୬ ମିନିଟ୍) ଗୋଲ୍ରେ ପରିଣତ କରି ଟାଇଗର୍ସକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ତୃତୀୟ କ୍ୱାର୍ଟର ଗୋଲ୍ଶୂନ୍ୟ ରହିବା ପରେ ଚତୁର୍ଥ କ୍ୱାର୍ଟରରେ ପ୍ରୀତି ଦୁବେ (୫୩ ମିନିଟ୍) ଗୋଲ୍ କରି ସ୍ଥିତି ୧-୧ରେ ସମାନ କରିଥିଲେ। ନିର୍ଦ୍ଧାରିତ ସମୟରେ ଆଉ ଗୋଲ୍ ନ ହେବାରୁ ମ୍ୟାଚ୍ ସୁଟ୍ଆଉଟ୍କୁ ଯାଇଥିଲା।
ସୁଟ୍ଆଉଟ୍ରେ ପାଇପର୍ସ ପକ୍ଷରୁ ଅଧିନାୟିକା ନବନୀତ କୌର, ଜୁଆନା କାଷ୍ଟେଲାରୋ ଓ ଲୌରା ରିଏରା ଗୋଲ୍ କରିଥିବାବେଳେ ଟାଇଗର୍ସ ପକ୍ଷରୁ ସୁଖବୀର କୌର ଓ ଲାଲ୍ରେମ୍ସିଆମି ଗୋଲ୍ କରିଥିଲେ। ପାଇପର୍ସର ଗୋଲକୀପର୍ ବଂଶାରୀ ସୋଲାଙ୍କି ୩ଟି ଗୋଲ୍ ଅଟକାଇ ଦଳକୁ ବିଜେତା କରିବାରେ ମୁଖ୍ୟ ଭୂମିକା ନିଭାଇଥିଲେ।
ପୁରସ୍କାର ବିତରଣରେ ପାଇପର୍ସର ବଂଶାରୀ ସୋଲାଙ୍କିଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଗୋଲକୀପର୍ ଘୋଷଣା କରାଯାଇଥିଲା। ଓଡ଼ିଆ ଖେଳାଳି ସୁନେଲିତା ଟୋପ୍ପୋ ଉଦୀୟମାନ ଖେଳାଳି ପୁରସ୍କାର ସହ ୫ ଲକ୍ଷ ଟଙ୍କା ପାଇଥିଲେ। ଟାଇଗର୍ସର ଅଗଷ୍ଟିନା ଗୋର୍ଜେଲାନି ୫ ଲକ୍ଷ ଟଙ୍କା ସହ ସର୍ବାଧିକ ଗୋଲ୍ ସ୍କୋରର୍ ହୋଇଥିଲେ। ପାଇପର୍ସ ଅଧିନାୟିକା ନବନୀତ କୌର ୨୦ ଲକ୍ଷ ଟଙ୍କା ସହ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ।
ହକି ଇଣ୍ଡିଆ ପକ୍ଷରୁ ବିଜେତା ପାଇପର୍ସକୁ ଦେଢ଼ କୋଟି ଟଙ୍କା, ଉପବିଜେତା ଟାଇଗର୍ସକୁ ୧ କୋଟି ଟଙ୍କା ଏବଂ ତୃତୀୟ ସ୍ଥାନରେ ଥିବା ରାଞ୍ଚି ରୟାଲ୍ସକୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।
