ମହିଳା ସ୍ନାତକ ମହାବିଦ୍ୟାଳୟରେ ଆର୍ନ୍ତଜାତୀୟ ମହିଳା ଦିବସ ପାଳନ ।
ଗଜପତି,୮.୩(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ଆର୍ନ୍ତଜାତୀୟ ମହିଳା ଦିବସ, ଅଧ୍ୟକ୍ଷା ଡ଼ ରୀନା ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମହିଳା ଦିବସର ପାଳନ, ଏହାର ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରି ଅଧ୍ୟକ୍ଷା ଛାତ୍ରୀମାନଙ୍କୁ ସଚେତନତାର ବାର୍ତ୍ତାରେ କହିଥିଲେ ଯେ, ମହିଳା ସଶକ୍ତି କରଣ ନିମନ୍ତେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ଶିକ୍ଷା ଓ ବିଭିନ୍ନ ଯୋଜନାର ସୂଚନା ନେବା ସଙ୍ଗେ ସଙ୍ଗେ ସେଗୁଡିକର ଅପବ୍ୟବହାର ଠାରୁ ନିଜକୁ ଦୂରେଇ ରଖିବା ନାରୀମାନଙ୍କର କର୍ତ୍ତବ୍ୟ । ସେହିପରି ଅଧ୍ୟାପିକା ବରଦା ଆଚାର୍ଯ୍ୟ ନିଜ ବକ୍ତବ୍ୟରେ କହିଥିଲେ ଯେ ନାରୀ ମାନଙ୍କର ଅର୍ନ୍ତନିହିତ ଗୁଣର ବିକାଶ ପୂର୍ବକ ବିଭିନ୍ନ କ୍ଷେତ୍ରରେ ନିଜ ବକ୍ତିତ୍ବର ପରାକାଷ୍ଠା ପ୍ରଦର୍ଶନ କରିବା ପାଇଁ ବର୍ତମାନ ସମୟ ଉପଯୁକ୍ତ ଅଟେ । ତେଣୁ ନାରୀ ନିଜକୁ ଅବଳା କିମ୍ବା ଦୁର୍ବଳା ଭାବିବା ଉଚିତ୍ ନୁହେଁ । ଅଧ୍ୟାପିକା ଡ଼ କଲ୍ୟାଣୀ ମିଶ୍ର, ମଧୁସ୍ମିତା ପ୍ରଧାନ ଏବଂ ଅଧ୍ୟାପକ କୃଷ୍ଣଚନ୍ଦ୍ର ପଣ୍ଡିତ ମଧ୍ୟ ନାରୀ ଶାରୀରିକ, ମାନସିକ, ଶିକ୍ଷାଗତ ଏବଂ ଆର୍ଥିକ କ୍ଷେତ୍ରରେ ସଶକ୍ତ ହେବା ସହ ନିଜର ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ ରହିବା ଉଚିତ୍ ।
ବ୍ୟକ୍ତିତ୍ବ ବିକାଶର ପ୍ରଚେଷ୍ଟା, ଓ ସମାଜ ଗଠନରେ ନାରୀର ଭୂମିକା ଏବଂ ନିଜ ଉଜ୍ବଳ ଭବିଷ୍ୟତ ଗଠନ ପାଇଁ ପ୍ରୟାସ ନିମନ୍ତେ ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଶେଷରେ ଅଧ୍ୟାପିକା ଡ଼ ଭାରତୀ ପାଣିଗ୍ରାହୀ ସମସ୍ତ ବକ୍ତବ୍ୟକୁ ସମୀକ୍ଷା କରିବା ସହ ଆଜିକାର ଆର୍ନ୍ତଜାତୀୟ ମହିଳା ଦିବସର ବାର୍ତ୍ତା ”ଦିଅ ଏବଂ ପ୍ରାପ୍ତ କର” ସମ୍ପର୍କରେ ସୂଚନା ଦେଇଥିଲେ । ମହିଳା ଦିବସ ପାଳନର କାରଣ ଉପସ୍ଥାପନା କରି କହିଥିଲେ ଯେ ବିଭିନ୍ନ ସମୟରେ ପୁରୁଷ ପ୍ରଧାନ ସମାଜରେ ନାରୀର ଦୟନୀୟ ସ୍ଥିତି ଏବଂ ତା’ ପ୍ରତି କରାଯାଉଥିବା ଅତ୍ୟାଚାର ବିରୋଧରେ ପ୍ରତିକାର ଓ ପଦକ୍ଷେପ ପାଇଁ ମହିଳା ସଶକ୍ତିକରଣର ଆବଶ୍ୟକତା ଅନିବର୍ଯ୍ୟ ଅଟେ । ପରିଶେଷରେ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମକର୍ତ୍ତା ଏବଂ ଛାତ୍ରୀମାନଙ୍କ ପୂର୍ଣ୍ଣ ସହଯୋଗ ପାଇଁ ଅଧ୍ୟାପିକା ଡ଼ ଭାରତୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।
