ଭିଜିଲାନ୍ସର ତଦନ୍ତ ପରେ ପଟ୍ଟନାୟକ ବନ୍ଧ ସଫା ହେଲା ।

Municipal administration came to its senses after the vigilance investigation: Cleaning work started at Pattanaik Bandh

ଭିଜିଲାନ୍ସର ତଦନ୍ତ ପରେ ପଟ୍ଟନାୟକ ବନ୍ଧ ସଫା ହେଲା ।

ଗଜପତି, ୨୭/୧ (ମନୋଜ ପାଢ଼ୀ) : ଜିଲ୍ଲା ସଦରମହକୁମା ପାରଳା ପୌରପରିଷଦ ଅନ୍ତର୍ଗତ ପଟ୍ଟନାୟକ ବନ୍ଧର ପୁନଃଦ୍ଧାର କାର୍ଯ୍ୟରେ ହେରଫେର ଅଭିଯୋଗର ଭିଜିଲାନ୍ସ ତଦନ୍ତ ହେବାଯୋଗୁଁ ଆଜି ବନ୍ଧ ପରିସର ସଫେଇ ହୋଇଛି । ସୂଚନା ଯେ ଏହି ବନ୍ଧର ସୌନ୍ଦର୍ୟ୍ଯକରଣ ଓ ପୁନଃନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ ହୋଇ କାମ ହୋଇଥିଲା ବେଳେ ପ୍ରକୃତ ପକ୍ଷେ ଟଙ୍କା ଖର୍ଚ୍ଚର ତୁଳନାରେ ସେପରି ଆଖିଦୃଶିଆ କାମ ହୋଇନାହିଁ । ଯାହା କିଛି କାର୍ଯ୍ୟ ହୋଇଛି ନିମ୍ନ ମାନର ଏବଂ ବେନିୟମ କାମ ହୋଇଥିବା ବାରମ୍ବାର ଅଭିଯୋଗ ହୋଇଥିଲା । ବନ୍ଧର ପୁନରୁଦ୍ଧାର ନାମରେ ଅର୍ଥ ହେରଫେର କରାଯାଇଥିବା ଅଭିଯୋଗକୁ ନେଇ ଗତକାଲି ବ୍ରହ୍ମପୁର ଭିଜିଲାନ୍ସ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଖୋଳତାଡ ଆରମ୍ଭ କରିଛି । ତେବେ ଏହି ଟିମ୍ ଏହାର ଚତୁପାର୍ଶ୍ବ ତଥା ବନ୍ଧ ଏବଂ ଏହାର ପରିସର ଅନାବନା ଗଛଲତା ଉଠିଯାଇଥିବାରୁ କୌଣସି କାମ ହୋଇଛି କି ନାହିଁ ତାହା ଦେଖା ଦେଇନଥିବାରୁ ବିରକ୍ତି ପ୍ରକାଶ କରିଥିଲେ । ଏବଂ ପୌର ନିର୍ବାହୀ ଅଧିକାରୀ ଙ୍କୁ ସପ୍ତାହକ ମଧ୍ୟରେ ସଫେଇ କରିବାକୁ ମହଲତ ଦେଇଥିଲେ ।

ଗତକାଲିର ନିର୍ଦ୍ଦେଶ ପରେ ବନ୍ଧର ପରିସରରେ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଭିଜିଲାନ୍ସ ଖୋଳତାଡ ଆରମ୍ଭ ପରେ ପୌର ପ୍ରଶାସନକୁ ଚେତା ପସିଛି । ସୂଚନା ଯେ ଏହି ବନ୍ଧଟି ବିଗତ ୧୫ ବର୍ଷରୁ ଉର୍ଦ୍ଧ ସମୟ ହେଲା ବ୍ଯବହାର ଉପଯୋଗୀ ହୋଇପାରୁନାହିଁ । ଉନ୍ନୟନ ନାମରେ ବାରମ୍ବାର କାମ କରିବା ଆଳରେ ବନ୍ଧର ଜଳରାଶିକୁ ଶୁଖାଇ ଦିଆଯାଇଥିଲା । ଆଉ ଦୁର୍ନିତୀ ଅଭିଯୋଗ ହେବା ପର ଠାରୁ ଏହି ବନ୍ଧକୁ କେହି ଦୃଷ୍ଟି ନିକ୍ଷେପ କଲେ ନାହିଁ । ସେଥିପାଇଁ ୧୫ ବର୍ଷରୁ ଉର୍ଦ୍ଧ ସମୟ ଧରି ସେମିତି ଅପନ୍ତରା ପଡି ରହିଛି । ଏବେ ଭିଜିଲାନ୍ସ ତଦନ୍ତ ନାମରେ ସଫେଇ ହେଉଥିବାକୁ ନେଇ ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି ।