ବିଶ୍ୱ ହୋମିଓପାଥିକ ଦିବସ ପାଳିତ: ଜନସଚେତନତା ପଦଯାତ୍ରା ଓ ସଭା ଅନୁଷ୍ଠିତ ।
ଗଜପତି,(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅଧିନସ୍ଥ ଅଜୟଗଡ଼ ଗ୍ରାମରେ ବିଶ୍ୱ ହୋମିଓପାଥିକ ଦିବସ ଅବସରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି। ହୋମିଓପାଥି ଚିକିତ୍ସାର ପ୍ରସାର ଓ ଜନସାଧାରଣଙ୍କୁ ଏହାର ଉପକାରିତା ବିଷୟରେ ଅବଗତ କରାଇବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି।ଡାକ୍ତର କ୍ଷୀରୋଦ ବିଷୋୟୀଙ୍କ ତତ୍ୱାବଧାନରେ ସ୍ଥାନୀୟ ସରକାରୀ ବିଦ୍ୟାଳୟରେ ଏନେଇ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା। ଏଥିରେ କାର୍ଯ୍ୟରତ ମେଡିକାଲ ଅଫିସର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ହୋମିଓପାଥିକ ଚିକିତ୍ସା ପଦ୍ଧତିର ବିଶେଷତ୍ୱ ସମ୍ପର୍କରେ ବୁଝାଇଥିଲେ। ବିନା ପାର୍ଶ୍ୱ ପ୍ରତିକ୍ରିୟାରେ ଏହି ଚିକିତ୍ସା କିଭଳି ଶରୀର ପାଇଁ ସୁରକ୍ଷିତ ଏବଂ ଦୈନନ୍ଦିନ ସାଧାରଣ ରୋଗ କ୍ଷେତ୍ରରେ ଏହାର ପ୍ରୟୋଗ କିଭଳି ପ୍ରଭାବଶାଳୀ, ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯାଇଥିଲା।
ଏହି ଅବସରରେ ଗ୍ରାମାଞ୍ଚଳରେ ଏକ ବିଶାଳ ସ୍ୱାସ୍ଥ୍ୟ ସଚେତନତା ପଦଯାତ୍ରା ବାହାରିଥିଲା। ଏହି ପଦଯାତ୍ରା ମାଧ୍ୟମରେ ଲୋକମାନଙ୍କୁ ସୁସ୍ଥ ଜୀବନଶୈଳୀ ଆପଣାଇବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ହୋମିଓପାଥିର ଭୂମିକା ବିଷୟରେ ସଚେତନ କରାଯାଇଥିଲା। ଡିସପେନସାରୀକୁ ଆସୁଥିବା ରୋଗୀମାନଙ୍କୁ ମଧ୍ୟ ଜୀବନଶୈଳୀ ପରିଚାଳନା ଓ ପ୍ରତିରୋଧକ ଔଷଧ ସେବନ ବିଷୟରେ ପରାମର୍ଶ ଦିଆଯାଇଥିଲା।ସାଧାରଣ ରୋଗରୁ ମୁକ୍ତି ପାଇଁ ହୋମିଓପାଥିର ଉପକାରିତା ସମ୍ବନ୍ଧୀୟ ପ୍ରଚାର ପତ୍ର ସର୍ବସାଧାରଣରେ ବଣ୍ଟନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ହୋମିଓପାଥିକ ଚିକିତ୍ସା ପ୍ରତି ବିଶ୍ୱାସ ଓ ସଚେତନତା ବୃଦ୍ଧି କରିବାରେ ବେଶ୍ ସହାୟକ ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
